ସେତେବେଳେ 'ଝିଟିପିଟି କହେ', ଏବେ 'ଆମ ଘର ହାଲଚାଲ'; ସୌମ୍ୟଙ୍କୁ ବଳ ଦେଲେ ଦାମ, କହିଲେ ଦେଖାଇଛନ୍ତି ସତସାହାସ

By ETV Bharat Odisha Team

Published : Aug 28, 2023, 8:00 PM IST

thumbnail

ଭୁବନେଶ୍ବର: ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ନିଜ ସମ୍ପାଦକୀୟରେ ଲେଖିଥିବା 'ଆତ୍ମବିଭୋର ପ୍ରଶାସକ ଏବଂ ଅସହାୟ ରାଜନେତା' ଆଲେଖ୍ୟ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ରାଜନେତା ଦାମୋଦର ରାଉତ । ନିଜ ଖବରକାଗଜରେ ସୌମ୍ୟ ବାରମ୍ବାର ବିସ୍ଫୋରଣ କରି ରାଜ୍ୟ ସରକାର, 5T ସଚିବଙ୍କ ସମେତ ବିଜେଡି ନେତାଙ୍କୁ କାଠଗଡ଼ାକୁ ଟାଣୁଥିବାବେଳେ ଏଥିପାଇଁ ତାଙ୍କୁ ନିଜ ଦଳ ବିଜେଡିରୁ ଘୋର ସମାଲୋଚନାର ଶିକାର ହେବାକୁ ପଡ଼ିଛି । ହେଲେ ଏହାକୁ ଭୃକ୍ଷେପ ନକରି ଗୋଟିଏ ପରେ ଗୋଟିଏ ବିସ୍ଫୋରଣ କରିଚାଲିଛନ୍ତି ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ଏହାରି ଭିତରେ ସୌମ୍ୟଙ୍କ ସମର୍ଥନରେ ବାହାରିଛନ୍ତି ବରିଷ୍ଠ ରାଜନେତା ଦାମ ରାଉତ । 

ସେ କହିଛନ୍ତି, "ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ହେଉଛି ଗଣମାଧ୍ୟମ । ସ୍ବର୍ଗତ ରାଧାନାଥ ରଥ ଆଠଗଡ଼ରୁ ଲଗାତାର ଭାବେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସେହି ସମୟରେ ମଧ୍ୟ ସେ ଏକ ଖବରକାଗଜର ସମ୍ପାଦକ ଭାବରେ 'ଝିଟିପିଟି କହେ' ଶୀର୍ଷକରେ ସରକାରଙ୍କ ବିଫଳତା, ତ୍ରୁଟି ବିଚ୍ୟୁତିକୁ ଲୋକଙ୍କ ସାମ୍ନାକୁ ଆଣୁଥିଲେ । ସମାନ ଭାବରେ ସ୍ବର୍ଗତ ହରେକୃଷ୍ଣ ମହତାବ ବିଭିନ୍ନ ପଦ ପଦବୀରେ ଥାଇ ମଧ୍ୟ ନିଜ ଖବରକାଗଜରେ 'ଗାଁ ମଜଲିସ' ଶୀର୍ଷକରେ ଏଭଳି ସମ୍ପାଦକୀୟ ଲେଖୁଥିଲେ । ତେଣୁ କେବଳ ଜଣେ ଖବର କାଗଜର ସମ୍ପାଦକ ଭାବରେ ସୌମ୍ୟ ବାବୁ ଲେଖୁଛନ୍ତି । ତାହା କେତେଦୂର ଗ୍ରହଣୀୟ, ସେକଥା ପାଠକ ବିଚାର କରିବେ । ହେଲେ ଏହାକୁ ନେଇ ରାଜନୀତିକରଣ କରିବା ଉଚିତ ନୁହେଁ ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.