ଚଳିତ ବର୍ଷ IPLରେ ହେବ ଜୋରଦାର ଫାଇଟ୍‌: କ୍ରିକେଟ ସମୀକ୍ଷକ

By

Published : Mar 31, 2023, 7:57 PM IST

thumbnail

କଟକ: ଆଜିଠୁ ଆରମ୍ଭ ହେବ ଆଇପିଏଲ ମହାସମର । ୧୬ ତମ ସଂସ୍କରଣର ପ୍ରଥମ ମୁକାବିଲା ଆଜି ଅହମ୍ମଦାବାଦରେ ଖେଳାଯିବ । ଆଉ କିଛି ସମୟ ପରେ ମୁହାଁମୁହିଁ ହେବେ ଗୁଜୁରାଟ ଟାଇଟନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ । ମୋଟ ୧୦ଟି ଟିମକୁ ନେଇ ହେବ ସମସ୍ତ ମୁକବାଇଲା । ତେବେ ଚଳିତବର୍ଷ ଆଇପିଏଲ ବେଶ ରୋମାଞ୍ଚକର ହେବ ବୋଲି ସମସ୍ତଙ୍କର ଆଶା । କାରଣ ଅନେକ ଦିଗ ଏପରି ରହିଛି ଯାହାକୁ ଦର୍ଶକ ଚାହିଁ ରହିଛନ୍ତି । ତେବେ ଏନେଇ ଅଧିକ ଆଲୋଚନା କରିଛନ୍ତି କ୍ରିକେଟ ସମୀକ୍ଷକ ପବନ ଅଗ୍ରୱାଲ ।

ବରିଷ୍ଠ କ୍ରିକେଟ ସମୀକ୍ଷକ ପବନ ଅଗ୍ରୱାଲଙ୍କ ମତରେ "ମହେନ୍ଦ୍ର ସିଂହ ଧୋନିଙ୍କର ଏହା ଶେଷ ଆଇପିଏଲ ହୋଇପାରେ । ଏହାସହ ଦମ୍‌ଦାର ଫର୍ମରେ ଥିବା କିଙ୍ଗ୍‌ କୋହଲିଙ୍କ ଉପରେ ନଜର ରଖିବେ ଦର୍ଶକ । ଅନ୍ୟପଟେ ଶକ୍ତିଶାଳୀ ମୁମ୍ବାଇ ଦଳରେ ମଧ୍ୟ ଅନେକ ତାରକା ବିଦେଶୀ ଖେଳାଳି ରହିଛନ୍ତି । ଯେଉଁମାନେ କି ରୋହିତ ବାହିନୀକୁ ମ୍ୟାଚ୍‌ ଜିତାଇବାରେ ସହାୟକ ହୋଇପାରନ୍ତି । ତେବେ ଅନ୍ୟ ଟିମରେ ମଧ୍ୟ ଯୁବ ଓ ଅଭିଜ୍ଞ ଖେଳାଳି ରହିଛନ୍ତି । ତେଣୁ କହିବାକୁ ଗଲେ ଏହି ସଂସ୍କରଣରେ ଫାଇଟ ଜୋରଦାର ହେବ ବୋଲି ଆଶା । ତେଣୁ ଯେଉଁ ୫୨ ଦିନରେ ୭୦ଟି ମ୍ୟାଚ ଖେଳାଯିବ, ତାହାକୁ ବେଶ ଉପଭୋଗ କରିବେ ଦର୍ଶକ । ତେବେ ଚଳିତ ସିଜିନ ପାଇଁ ବହୁ ପୂର୍ବରୁ ଅଭ୍ୟାସ ଆରମ୍ଭ କରିଥିଲେ ବିଭିନ୍ନ ଟିମ । ପ୍ରତିଟି ମ୍ୟାଚ ହେବ ଚିତାକର୍ଷକ ।" ତେବେ ଉଭୟ ଭାରତୀୟ ଓ ବିଦେଶୀ ଖେଳାଳି ଚଳିତ ସିଜିନରେ ନିଶ୍ଚିତ ଉତ୍ତମ ପ୍ରଦର୍ଶନ କରିବେ ଓ ଦର୍ଶକ ମାନେ ମଧ୍ୟ ବେଶ ଉପଭୋଗ କରିବେ ବୋଲି ସେ କହିଛନ୍ତି ।

ଆଜି ଉଦ୍‌ଘାଟନୀ ମ୍ୟାଚ୍‌ରେ ପରସ୍ପରକୁ ଭେଟିବେ ଡିଫେଣ୍ଡିଂ ଚମ୍ପିଆନ ଗୁଜୁରାଟ ଟାଇଟନ୍ସ ଓ ୪ ଥରର ଆଇପିଏଲ ବିଜେତା ଚେନ୍ନାଇ ସୁପର କିଙ୍ଗ୍ସ । ତେବେ ଆଜିର ମ୍ୟାଚ କଥା ଆଲୋଚନା କରି ସେ କହିଛନ୍ତି, "ଚେନ୍ନାଇ ଏକ ଅଭିଜ୍ଞ ଓ ଗୁଜୁରାଟ ଏକ ଯୁବ ଟିମ୍‌ । ଗତ ସଂସ୍କରଣରେ ଗୁଜୁରାଟ ଚମ୍ପିଆନ ମଧ୍ୟ ହୋଇଥଲା । ତେଣୁ ଚେନ୍ନାଇ ଓ ଗୁଜୁରାଟ ମଧ୍ୟରେ ଆଜି ହେବାକୁ ଥିବା ମୁକାବିଲା ଜବରଦସ୍ତ ରହିବ । କାରଣ ଯଦି ଖେଳାଳିଙ୍କ କଥା କହିବା, ତେବେ ଚେନ୍ନାଇରେ ଅଲ୍‌ ଟାଇମ ଷ୍ଟାର ଧୋନି, ଜାଡେଜା, ବେନ ଷ୍ଟୋକସ, ଡେଭନ କନୱେ, ଋତୁରାଜ ଗାଏକ୍ୱାର୍ଡ, ଅମ୍ବାତି ରାୟିଡୁ ଭଳି ଦକ୍ଷ ଖେଳାଳି ରହିଛନ୍ତି । ସେହିପରି ଗୁଜୁରାଟରେ ମଧ୍ୟ ପ୍ରାରମ୍ଭିକ ଯୋଡିରୁ ଯୁବ ଖେଳାଳି ରହିଛନ୍ତି । ଶୁଭମନ ଗିଲ, ରାହୁଲ ତେୱତିଆ, ହାର୍ଦ୍ଦିକ ପାଣ୍ଡ୍ୟା, କେନ ୱିଲିୟମସନ, ରସିଦ ଖାନ, ଅଲଜାରୀ ଜୋଶେଫ ଓ ମହମ୍ମଦ ସାମିଙ୍କ ଭଳି ଖେଳାଳି ରହିଛନ୍ତି । ଉଭୟ ଟିମ ବେଶ ମଜଭୁତ ରହିଥିଲା ବେଳେ ଅହମ୍ମଦାବାଦର ଏହି ବଡ଼ ଗ୍ରାଉଣ୍ଡରେ ରନ ବର୍ଷା ହେବାର ସମ୍ଭବନା ରହିଛି ।" ତେବେ କୁହାଯାଉଛି ଚଳିତ ସିଜିନ ଧୋନିଙ୍କ ଶେଷ ସିଜିନ ହୋଇପାରେ । ତେଣୁ ଚେନ୍ନାଇ ଦଳ ୨୦୨୩ ଟ୍ରଫିକୁ ଜିତି ଧୋନିଙ୍କୁ ବିଦାୟ ଦେବାକୁ ଚେଷ୍ଟା କରିବ ବୋଲି କହିଛନ୍ତି କ୍ରିକେଟ ସମୀକ୍ଷକ ପବନ ଅଗ୍ରୱାଲ ।

ଇଟିଭି ଭାରତ, କଟକ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.