Rathakhala Halchal: ଭଉଁରୀ ତିଥିରେ ତିନି ରଥର ଚକ ଅଖ ଡେରା ନୀତି ସମ୍ପନ୍ନ

By

Published : May 12, 2023, 4:57 PM IST

thumbnail

ପୁରୀ: ପାଖେଇ ଆସୁଛି ବିଶ୍ବନିୟନ୍ତଙ୍କ ଘୋଷଯାତ୍ରା । ବିଶ୍ବବ୍ରହ୍ମାଣ୍ଡଙ୍କ ବଡ ଯାତ୍ରା ପାଇଁ ଅକ୍ଷୟ ତୃତୀୟାରୁ ବିଧି ଅନୁସାରେ ଚାଲିଛି ରଥ ନିର୍ମାଣ । ଭୋଇ କମାର ସମେତ ବିଭିନ୍ନ ସେବକମାନେ ପ୍ରଭୁଙ୍କ ରଥ ନିର୍ମାଣରେ ନିମଗ୍ନ । ସକାଳୁ ସଂଧ୍ୟା ଯାଏଁ ଶ୍ରୀକ୍ଷେତ୍ର ପୁରୀ ରଥଖଳା ଚଳଚଞ୍ଚଳ । ଆଜି ଭଉଁରୀ ତିଥିରେ ତିନି ରଥର ଚକ ଅଖ ଡେରା ନୀତି ସମ୍ପନ୍ନ ହୋଇଛି । ପ୍ରଥମେ ତାଳଧ୍ବଜ ରଥର ଚକ ଅଖ ଯୋଖା ହୋଇଛି । ପରେ ନନ୍ଦିଘୋଷ ଶେଷରେ ଦର୍ପଦଳନ ରଥର ଚକ ଅଖ ଡେରା ନୀତି ସମ୍ପନ୍ନ ହୋଇଛି । ଭୋଇ ସେବକମାନେ ଏହି ନୀତି କରିଛନ୍ତି । ଚକ ଅଖ ଡେରା ନୀତି ପାଇଁ ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସିବା ରର ଚକ ଅଖରେ ଆଜ୍ଞାମାଳ ଲାଗି ହୋଇଥିଲା । ସେପଟେ ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ତିନି ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ତିନିରଥର ୨୫ ଗୋଟି ଚକ ନିର୍ମାଣ ଶେଷ ହୋଇଛି। ତିନି ରଥର ଆଉ ଦୁଇଟି ଲେଖାଁଏ ଚକ ନିର୍ମାଣ ପାଇଁ ଯନ୍ତାଗାଡ ଠାରେ ଭୋଇ ସେବକଙ୍କ ଦ୍ବାରା ତୂମ୍ବରେ ସିଙ୍ଗଡା ବାଡିଆ କାର୍ଯ୍ୟ ପରେ ତିନି ଚାଳିକୁ ଯୋଗାଇ ଥିଲେ। ତିନିରଥ ମହାରଣା ମାନେ ଅର ସଂଯୋଗ ତୂମ୍ବରେ ପଇ ଥୋଇ ମାପ ଅନୁସାରେ ବଳକା ପଇ କାଟି ଅର ମୁହଁ ସାଲ କରିଛନ୍ତି ପଇ ସଂଯୋଗ ବାକି ଅଛି। ତିନିରଥର ମୋଟ ୪୪ ଗୋଟି ଯୋକା ନିର୍ମାଣ ଶେଷ ହୋଇଛି। ସେହିପରି ତିନିରଥର ଗୋଟିଏ ଗୋଟିଏ ସିଂହାସନ ନିର୍ମାଣ ପାଇଁ ରଥ ଅମୀନ ଭୋଇ ସେବକଙ୍କ ମାଧ୍ୟମରେ ତିନି ରଥ ଚାଳିକୁ ୧୨ ଫୁଟିଆ ଅସନ କାଠ ଯୋଗାଇ ଥିଲେ। ତିନିରଥ ମହାରଣା ମାନେ ସିଂହାସନ ଚଉପଟ କାର୍ଯ୍ୟ ଶେଷ କରିଛନ୍ତି। ଚଉପଟ ସରିଥିବା ସିଂହାସନରେ ତିନି ରଥ ମହାରଣା ମାନେ ତିନି ଥାକିଆ ରାହା କାଟିବେ। ରାହା କଟା ପରେ ସେଥିରେ ରୂପକାର ସେବକ ମାନେ ପୂର୍ଣ୍ଣ କୁମ୍ଭ, ହାତୀ ମାଳ ଏବଂ ଡାଳି ଲତା ଖୋଦେଇ କରିବେ। ଦର୍ପଦଳନ ରଥର ପ୍ରଭା ଅପସରା ଚଉପଟ କାର୍ଯ୍ୟ ଶେଷ ହୋଇଛି । ତିନିରଥର ରୂପକାର ସେବକ ମାନେ ଗୁଜ ଗୁଡିକରେ ରୂପ ଖୋଦେଇ ସହ ପଲିସ କାର୍ଯ୍ୟ ଜାରି ରଖିଛନ୍ତି ।

ଇଟିଭି ଭାରତ, ପୁରୀ 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.