ଭୁବନେଶ୍ବର: ଶିକ୍ଷାନୁଷ୍ଠାନ ଆଗରେ ନିଶା କାରବାରକୁ ରୋକିବା ପାଇଁ କମିଶନରେଟ୍ ପୋଲିସ ଆରମ୍ଭ କରିଛି ସ୍ପେଶାଲ ଡ୍ରାଇଭ୍ । ଶିକ୍ଷାନୁଷ୍ଠାନ ଆଖପାଖ ଦୋକାନ ଉପରେ ଚାଲିଛି ଚଢାଉ । ମୈତ୍ରୀବିହାର ହାତୀଆଶୁଣି ଅଞ୍ଚଳରେ ରାତିଅଧିଆ ପୋଲିସର ରେଡ କରିଛି । ଏଥିରେ 42 କେଜି ଗଞ୍ଜେଇ ଜବତ ସହ 5 ଜଣଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ନିକଟରୁ ନଗଦ ୨୦ ହଜାର ଟଙ୍କା ଏବଂ ୩ ଟି ବାଇକ ମଧ୍ୟ ଜବତ ହୋଇଛି ।
- ଅଭିଯୁକ୍ତଙ୍କ ବ୍ୟାକଗ୍ରାଉଣ୍ଡ ଖୋଜୁଛି ପୋଲିସ
ଗିରଫ ଅଭିଯୁକ୍ତମାନେ ହେଲେ ଦିଲ୍ଲୀପ କୁମାର ବରାଳ, ଜିତେନ୍ଦ୍ର ପ୍ରଧାନ, ପ୍ରକାଶ ଖଟୁଆ, ରବିନ୍ଦ୍ର ସାହୁ ଓ ନିଖଳେଶ ପଣ୍ଡା । ଏମାନଙ୍କ ନାଁରେ ପୂର୍ବରୁ କୌଣସି ଅପରାଧିକ ମାମଲା ରହିଛି କି ନାହିଁ, ସେନେଇ ଅଧିକ ଖୋଳତାଡ଼ କରୁଛି ପୋଲିସ । ଏହାସହ ଏତେ ପରିମାଣର ଗଞ୍ଜେଇ କେଉଁଠୁ ଆସୁଥିଲା, କାହା ପାଖକୁ ଚୋରା ଚାଲାଣ ହେଉଥିଲା ସେନେଇ ମଧ୍ୟ ପୋଲିସ ତନାଘନା ଜାରି ରଖିଥିବା ପ୍ରେସମିଟରେ ସୂଚନା ଦେଇଛନ୍ତି ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ ।
- ବ୍ରାଉନସୁଗାର ସହ 4 ଗିରଫ
ରାଜଧାନୀରେ ବୁଲୁଛି ଆଣ୍ଟି ଡ୍ରଗ୍ସ ସ୍କ୍ବାଡ । କମିଶନରେଟ ପୋଲିସର ଏହି ସ୍କ୍ବାଡ ବାଲିଅନ୍ତା ମହାତ୍ମା ସେତୁ ନିକଟରୁ ୨୬୦ ଗ୍ରାମ ବ୍ରାଉନସୁଗର ଜବତ କରିଛି । ଏଥିରେ ସମ୍ପୃକ୍ତ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ଗୋଟିଏ କାର, ୨୨ ହଜାର ନଗଦ ଟଙ୍କା ଏବଂ ତିନୋଟି ମୋବାଇଲ ଫୋନ ଜବତ କରିଛି । ୪ ଅଭିଯୁକ୍ତ ହେଲେ ସରୋଜ କୁମାର ରାଉତ, ମନୋଜ କୁମାର ମଲିକ, ବିଜୟ କୁମାର ମଣ୍ଡଳ ଏବଂ ସୁବାସ କୁମାର ସ୍ୱାଇଁ । ଗିରଫ ଅଭିଯୁକ୍ତଙ୍କ ନାଁରେ କମିଶନରେଟ ପୋଲିସର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା ମଧ୍ୟ ଜଣାପଡିଛି । ସେହିପରି ସେମାନେ ଏତେ ପରିମାଣ ବ୍ରାଉନସୁଗର କେଉଁଠୁ ଆଣିଥିଲେ ? କାହା ପାଖକୁ ଚୋରା ଚାଲାଣ ହେଇଥାନ୍ତା ? କେତେ ଟଙ୍କାରେ ବିକ୍ରି ହୋଇଥାନ୍ତା, ସେନେଇ ପୋଲିସ ଅଧିକ ଖୋଳତାଡ଼ ଜାରି ରଖିଛି ।
ଏହା ମଧ୍ୟ ପଢନ୍ତୁ:- କଣାସ ଝାଡ଼ାବାନ୍ତି ସ୍ଥିତି ନିୟନ୍ତ୍ରଣାଧୀନ କହିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସ୍ତ୍ରୀକୁ ଖଣ୍ଡ ଖଣ୍ଡ କଲା, ପ୍ରେସର କୁକର୍ରେ ସିଝାଇ ପୋଖରୀକୁ ଫିଙ୍ଗିଦେଲା ସ୍ବାମୀ |
- 30 ପାନ ଦୋକାନ ଉପରେ ଚଢାଉ, ମାଦକଦ୍ରବ୍ୟ ଜବତ
ଏଠାରେ ସୂଚନା ଥାଇଥାଉକି ଗତକାଲି ରାତିରେ ଇନଫୋସିଟି ଥାନା ଅଞ୍ଚଳରେ ବସ୍ତି ଓ ଏକ ଘରୋଇ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଆଖପାଖ ଥିବା ଏକାଧିକ ଦୋକାନରେ ରେଡ କରିଥିଲା ଆଣ୍ଟି ଡ୍ରଗ୍ସ ସ୍କ୍ବାଡ । ପ୍ରାୟ 30ଟି ପାନ ଦୋକାନରେ ଏହି ଚଢାଉ କରାଯାଇ ବିପୁଳ ପରିମାଣର ଗୁଟଖା ଏବଂ ବେଆଇନ ସିଗାରେଟ ଜବତ ହୋଇଥିଲା ।
ଇଟିଭି ଭାରତ, ଭୁବନେଶ୍ବର