Rathakhala Halchal: ଭଉଁରୀ ତିଥି ପାଇଁ ତିନି ରଥର ସରିଲା 21 ଚକ ନିର୍ମାଣ - ରଥଖଳା ହାଲଚାଲ

🎬 Watch Now: Feature Video

thumbnail

By

Published : May 9, 2023, 6:32 PM IST

ପୁରୀ: ପାଖେଇ ଆସୁଛି ବିଶ୍ବନିୟନ୍ତଙ୍କ ଘୋଷଯାତ୍ରା । ବିଶ୍ବବ୍ରହ୍ମାଣ୍ଡଙ୍କ ବଡ ଯାତ୍ରା ପାଇଁ ଅକ୍ଷୟ ତୃତୀୟାରୁ ବିଧି ଅନୁସାରେ ଚାଲିଛି ରଥ ନିର୍ମାଣ । ଭୋଇ କମାର ସମେତ ବିଭିନ୍ନ ସେବକ ମାନେ ପ୍ରଭୁଙ୍କ ରଥ ନିର୍ମାଣରେ ନିମଗ୍ନ । ସକାଳୁ ସଂଧ୍ୟା ଯାଏଁ ଶ୍ରୀକ୍ଷେତ୍ର ପୁରୀ ରଥଖଳା ଚଳଚଞ୍ଚଳ । ରଥ ନିର୍ମାଣ କାର୍ଯ୍ୟ ଆଜି ପନ୍ଦର ଦିନରେ ପହଞ୍ଚିଛି । ଆସନ୍ତା ୧୨ ତାରିଖ ପବିତ୍ର ଭଉଁରୀ ତିଥିରେ ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବା ପରେ ରଥଖଳାରେ ୬ଟି ଚକ ସହ ତିନୋଟି ଅଖ ସଂଯୋଗ ନୀତି ଅନୁଷ୍ଠିତ ହେବ। ଏହାକୁ ଦୃଷ୍ଟିରେ ରଖି ଚକ, ଅଖ ନିର୍ମାଣ କାର୍ଯ୍ୟରେ ଲାଗି ପଡିଛନ୍ତି ବିଶ୍ଵକର୍ମା ମହାରଣା। ତିନିରଥର ମୋଟ ୪୨ଟି ଚକରୁ ୨୧ଟି ଚକ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ତିନୋଟି ଅଖ ନିର୍ମାଣ କାର୍ଯ୍ୟକୁ ବିଶ୍ବକର୍ମା ମହାରଣା ମାନେ ଆଗେଇ ନେଉଛନ୍ତି। ସେହିପରି ତିନି ରଥର‌ ପଡ଼ି ନାହାକା ଚକ, ସାଲଗୁଜ, ଜଳଯନ୍ତ୍ର, ତୀଖଗୁଜ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତିନି ରଥର‌ ରୂପକାର ସେବକ ମାନେ କଣ ଗୁଜରେ ନୃସିଂହ ରୂପ ଖୋଦେଇ କାର୍ଯ୍ୟ ଜାରି ରଖିଛନ୍ତି। ଏପଟେ ଦୋଳବେଦୀ ସ୍ଥିତ ଅସ୍ଥାୟୀ କମାରଶାଳରେ କମାର ସେବକ ମାନେ ତିନି ରଥର ନାହାକ ଚକ ଏବଂ ପଡ଼ି ନାହାକା ଚକ ପାଇଁ ଆବଶ୍ୟକ ପନ୍ଦାରୀ ଓ ବଳା ନିର୍ମାଣ କରି ମହାରଣା ସେବକଙ୍କୁ ଯୋଗାଇ ଦେଉଛନ୍ତି। ତେବେ ଭଉଁରୀ ଦିନ ଛଅଟି ଚକ ସହ ତିନୋଟି ଅଖର ସଂଯୋଗ ଥିବାରୁ ଭୋଇ ସେବକମାନେ ଗତକାଲି ତିନୋଟି ଅଖ ବିଶ୍ଵକର୍ମାଙ୍କୁ ଯୋଗାଇବା ପରେ ଅଖ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି। ସେହିପରି ଜନ୍ତାଗାଡରେ ଭୋଇ ସେବକମାନେ ୨୪ଟି ସିଙ୍ଗଡ଼ା ବାଡିଆ କାର୍ଯ୍ୟ ସାରିଥିବା ଭୋଇ ସର୍ଦ୍ଦାର କହିଛନ୍ତି। ଆସନ୍ତା ଶୁକ୍ରବାର ପବିତ୍ର ଭଉଁରୀ ଅବସରରେ ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା ଶେଷ ହେବ। ସେହିଦିନ ରଥ ନିର୍ମାଣର ପ୍ରମୁଖ କାର୍ଯ୍ୟ ଚକ ଅଖ ଡେରା ନୀତି ସମ୍ପନ୍ନ ହେବ। ଏଣୁ ଏହି ସବୁ କାର୍ଯ୍ୟକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ ଜିଲ୍ଲା, ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି।  

ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.