RathaKhala Halchal: ଆଗୁଆ ଚାଲିଛି ରଥ ନିର୍ମାଣ, ତିନି ରଥର ଉଠିଲା ଚାରି ନାହାକା - ରଥଖଳା ଖବର

🎬 Watch Now: Feature Video

thumbnail

By

Published : May 30, 2023, 4:45 PM IST

ପୁରୀ: ପାଖେଇ ଆସୁଛି ବିଶ୍ବନିୟନ୍ତାଙ୍କ ଘୋଷଯାତ୍ରା। ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ମାଉସୀ ଘରକୁ ଯିବେ କାଳିଆ ସାଆନ୍ତେ । ବଡଦାଣ୍ଡରେ ଭକ୍ତ ଭଗବାନ ହେବେ ଏକାକାର । ଦାରୁବ୍ରହ୍ମଙ୍କୁ ଚର୍ମଚକ୍ଷୁରେ ଦେଖିବ ସାରା ଜଗତ ।  ଶ୍ରୀଜୀଉଙ୍କୁ ଘୋଷଯାତ୍ରା ପାଇଁ ଶ୍ରୀକ୍ଷେତ୍ର ରଥଖଳାରେ ନିର୍ମାଣ ଚାଲିଛି ରଥ । ରଥ ନିର୍ମାଣ ଆଜି 36 ଦିନରେ ପହଞ୍ଚିଥିବା ବେଳେ   ସ୍ନାନ ଯାତ୍ରା ପୁର୍ବରୁ ତିନି ରଥର ଉଠିଛି ଚାରି ନାହକା । 

ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ବେଶ ଆଗୁଆ ଚାଲିଛି । ସ୍ନାନ ଯାତ୍ରାରେ ତିନି ରଥର ଚାରି ନାହାକା ଉଠିବାର ବିଧି ଥିବା ବେଳେ ଏହାର ଯଥେଷ୍ଟ ପୂର୍ବରୁ ଆଜି ତିନି ରଥର ଚାରି ନାହାକା ଉଠିଛି। ବିଶ୍ଵକର୍ମା ମହାରଣା ମାନେ ଅନୁକୂଳ ପୂଜା କରିବା ପରେ ଭୋଇ ସେବକ ମାନେ ଚାରି ନାହାକା ଉଠାଇ ଥିଲେ। ଗତକାଲି ତିନିରଥର ପାଞ୍ଚ ଦଣ୍ଡା ଫ୍ରେମରେ କଣ୍ଟା ବାଡିଆ ସହ ଆଗଆଣି ଏବଂ ପଛଆଣି ମୁହାଁଟରେ ଗୁଜ, ଜଳଯନ୍ତ୍ର ଉଠି ତା ଉପରେ ଆଗ, ପଛ ନିରାଡି ସଂଯୋଗ ହୋଇ ତିନିରଥ କୁ ଦୁଇଟି ଲେଖାଁଏ ‘ଗରଗରା' ଉଠିଥିଲା । ତିନିରଥରେ ଗରଗରାରେ କଣ୍ଟା ବାଡିଆ ପୂର୍ବରୁ ତିନି ରଥର ମହାରଣା ମାନେ ମାପ ପ୍ରକାରେ ‘ଗରଗରା' ପଛ ଭାଗ ଏବଂ ଦଣ୍ଡାର ଉପରଭାଗ ଅର୍ଦ୍ଧ ବର୍ଗ କାର ଖୋଦେଇ ସହ ବିନ୍ଧ କଲା ପରେ ତିନିରଥର ମହାରଣା ଭୋଇ ସେବକଙ୍କ ସହାୟତାରେ ତିନି ରଥର ଗରଗରାରେ କଣ୍ଟା ବାଡିଆ କାର୍ଯ୍ୟ ସମ୍ପନ୍ନ କରିଥିଲେ । ଏହାପରେ ତିନିରଥର ଉଭୟ ପାର୍ଶ୍ଵରେ ଗୋଟିଏ ଗୋଟିଏ ବଡ ପୋଲ ଗୟଳ ମୋଡାଯାଇଥିଲା ।

ଏହି ପୋଲ ଗୟଳକୁ ମୁଣ୍ଡାଇ ରଖିବା ପାଇଁ ତିନି ରଥର ଉଭୟ ପାର୍ଶ୍ବ ଛଡେଇ ଦଣ୍ଡାରେ ୪/୩ ସାଇଜର ୭ ଟି ଖମ୍ବୀ ଏବଂ ଦୁଇଟି ଅସୁଆରି ଉଠି ବଡ ପୋଲ ଗୟଳ ସହ ସଂଯୋଗ କରାଯାଇଅଛି। ଏତତ ବ୍ୟତିତ ତାଳଧ୍ବଜ ରଥ ଏବଂ ନନ୍ଦିଘୋଷ ରଥର ଆଜି ସୁଦ୍ଧା ବଡ ପୋଲ ଗୟଳରୁ ୬ ଗୋଟି ଏବଂ ଛନ୍ଦା ଗୟଳରୁ ୩ ଗୋଟି ଲେଖାଁଏ ଶେଷ ହୋଇଅଛି। ଦର୍ପଦଳନ ରଥର ୫ ଗୋଟି ଗୟଳର ନିର୍ମାଣ ଶେଷ ହୋଇ ବାକି ୩ ଗୋଟି ଛନ୍ଦା ଗୟଳର ନିର୍ମାଣ ଜାରି ରହିଛି । ରୂପକାର ସେବକ ମାନେ ତିନି ରଥ ସିଂହାସନର ଖୋଦେଇ କାର୍ଯ୍ୟ ଜାରି ରଖିଥିବା ବେଳେ, ତିନିରଥ ପାଇଁ ନାଟ ଗୋଡରେ ରୂପ ଖୋଦେଇ ପାଇଁ ରୂପ ଅଙ୍କନ ଆରମ୍ଭ କରିଛନ୍ତି । ଦୋଳବେଦୀ କମାର ଶାଳରେ ଓଝା ସେବକ ମାନେ ଗୟଳ କଣ୍ଟା, ଯୋଖା କଣ୍ଟା ସହ ଗୟଳ କଣ୍ଟାନିର୍ମାଣ ଜାରି ରଖିଛନ୍ତି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.