କଟକ: କଟକ ବୁଲିଲେ ପ୍ରବାସୀ ଭାରତୀୟ । ପ୍ରବାସୀ ଭାରତୀୟ ଦିବସ ଉତ୍ସବର ପ୍ରଥମ ଦିନରେ କଟକକୁ ୫୭ ଜଣ ପ୍ରବାସୀ ଭାରତୀୟମାନେ ବୁଲି ଆସିଥିଲେ । କଟକର ଅନେକ ସ୍ଥାନ ଯଥା ନେତାଜୀ ଜନ୍ମ ସଂଗ୍ରହାଳୟ, ସିଲଭର ସିଟି ବୋଟିଂ କ୍ଲବ, ଚଣ୍ଡୀ ମନ୍ଦିର, ନୌବାଣିଜ୍ୟ ସଂଗ୍ରହାଳୟ, ଧବଳେଶ୍ବର ମନ୍ଦିର ଭଳି ଅନେକ ସ୍ଥାନ ବୁଲିଛନ୍ତି । ଆମେରିକା, ଦୁବାଇ ଭଳି ଅନେକ ଦେଶରେ ରହୁଥିବା ଭାରତୀୟ ପ୍ରବାସୀମାନଙ୍କୁ କଟକ ବେଶ ପସନ୍ଦ ଆସିଥିଲା। ସେମାନେ ପ୍ରଥମେ ନେତାଜୀ ଜନ୍ମ ସଂଗ୍ରହାଳୟ ଯାଇଥିଲେ ଏବଂ ପରେ କଟକର ଅନେକ ସ୍ଥାନ ବୁଲିଥିଲେ ।
ପ୍ରବାସୀଙ୍କୁ କଟକରେ ଭବ୍ୟ ସ୍ବାଗତ:
ପ୍ରବାସୀ ଭାରତୀୟଙ୍କୁ ସହଯୋଗ ଏବଂ ସ୍ୱାଗତ କରିବା ପାଇଁ ସହରରେ ବିଭିନ୍ନ ପ୍ରକାର ବନ୍ଦୋବସ୍ତ ହୋଇଛି । ବିଶେଷ କରି ସିଲଭର ସିଟି ବୋଟିଂ କ୍ଲବ ପରିସରରେ ବ୍ୟାପକ ବ୍ୟବସ୍ଥା ହୋଇଛି । ଗୋଟିଏ ସ୍ଥାନରେ କଟକ ଜିଲ୍ଲାର ସମସ୍ତ ଐତିହ୍ୟକୁ ପ୍ରଦର୍ଶିତ କରାଯାଇଛି । ସେ ମାଣିଆ ବନ୍ଧର ପାଟ ଶାଢ଼ୀ ହେଉ ଅବା କଟକର ସୁକ୍ଷ୍ମ ତାରାକସି କାର୍ଯ୍ୟ, ବଡମ୍ବାର କାଠ ଓ ଡୋକ୍ରା ହେଉ ଅବା କଟକ ପ୍ରସିଦ୍ଧ ଦହିବରା । ସେସବୁକୁ ଏହି ସ୍ଥାନମାନଙ୍କରେ ପ୍ରଦର୍ଶିତ କରାଯାଇଛି । ଫଳରେ ଯେଉଁ ପ୍ରବାସୀ ଭାରତୀୟମାନେ ଆସୁଛନ୍ତି ସେମାନେ କଟକ ସମ୍ପର୍କରେ ଅନେକ ତଥ୍ୟ ଜାଣି ସହ ଭରପୁର ମଜା ନେଇପାରୁଛନ୍ତି।
କଟକ ଦହିବରାକୁ ପ୍ରବାସୀଙ୍କ ପ୍ରଶଂସା:
ଦହିବରା ପାଇଁ କଟକ ବେଶ ପ୍ରସିଦ୍ଧି ହାସଲ କରିଛି । ପ୍ରବାସୀ ଭାରତୀୟମାନଙ୍କ ପାଇଁ ଦହିବରା ର ଏକ ସ୍ୱତନ୍ତ୍ର ଷ୍ଟଲ କରାଯାଇଛି । ପ୍ରବାସୀ ଭାରତୀୟମାନେ ଦହିବରା ଖାଇବାର ମଜା ମଧ୍ୟ ନେଇଛନ୍ତି । ଅନେକ ପ୍ରବାସୀ ଏହି ଦହିବରା ଖାଇବାକୁ ପସନ୍ଦ କରିଥିଲେ । ଷ୍ଟଲରେ ଲାଗିଥିଲା ଭିଡ଼ । ଆମେରିକାରେ ରହୁଥିବା ଗୁଜୁରାଟର ଶରଦ ଅମିନ କହିଛନ୍ତି, "କଟକ ଦହିବରାର ସ୍ୱାଦ ସବୁଠୁ ନିଆରା । ଗୁଜୁରାଟରେ ଅନେକ ସ୍ଥାନରେ ଦହିବରା ଖାଇଛି । ମାତ୍ର କଟକ ଦହିବରା ହେଉଛି ସ୍ୱତନ୍ତ୍ର ।" ସେ ଏବଂ ତାଙ୍କର ପତ୍ନୀ କଟକ ଦହିବରା ଖାଇ ବେଶ ପ୍ରଶଂସା କରିଛନ୍ତି । ଅନ୍ୟପଟେ ଦହିବରା ବ୍ୟବସାୟୀ ହେମନ୍ତ ସାହୁ କହିଛନ୍ତି, "ପ୍ରବାସୀ ଭାରତୀୟଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ଦହିବରା ପ୍ରସ୍ତୁତ କରାଯାଇଛି । ସେମାନେ ପ୍ରଶଂସା କଲେ ଓଡିଶା ଏବଂ କଟକର ନାଁ ରହିବ। ଏହା ଆମ ପାଇଁ ଗର୍ବର ବିଷୟ ।"
ମାଣିଆ ବନ୍ଧର ତନ୍ତ ବୁଣା ପାଟ ଶାଢ଼ୀ:
କଟକ ମାଣିଆବନ୍ଧର ତନ୍ତ ବୁଣା ଶାଢ଼ୀ ମଧ୍ୟ ପ୍ରସିଦ୍ଧି ହାସଲ କରିଛି । ତନ୍ତରେ ପ୍ରସ୍ତୁତ ପାଟ ଶାଢ଼ୀ, ଡ୍ରେସ , କପଡାର ଅନେକ ଆଇଟମ ଏହି ଷ୍ଟଲରେ ସଜାଇ ରଖାଯାଇଛି ବ୍ୟବସାୟୀ ସୁରେନ୍ଦ୍ର ଦତ୍ତ । ବିଭିନ୍ନ ଡିଜାଇନର କଟନ ଶାଢ଼ୀକୁ ସେ ଏହି ଷ୍ଟଲରେ ରଖିଛନ୍ତି । "ତନ୍ତରେ ଗୋଟିଏ ଶାଢ଼ୀ ବୁଣିବା ପାଇଁ ତାଙ୍କୁ ୨ ରୁ ଅଢେଇ ଦିନ ଲାଗେ ଏବଂ ପାଟ ବୁଣିବା ପାଇଁ ୪ ଦିନ ଲାଗେ" ବୋଲି ମାଣିଆ ବନ୍ଧର ସୁରେନ୍ଦ୍ର ଦତ୍ତ କହିଛନ୍ତି । ଦର ୧୬୦୦ରୁ ୨୫୦୦ ଟଙ୍କା ପର୍ଯ୍ୟନ୍ତ ରହିଛି । ସେ ୪୦ ବର୍ଷ ହେବ ଏହି ବ୍ୟବସାୟ କରୁଥିବା କହିଛନ୍ତି । ତାଙ୍କ ପାଖରେ ୨୦୦ ବୁଣାକାର ରହିଥିବା କହିଛନ୍ତି ସୁରେନ୍ଦ୍ର । ଏହି ଷ୍ଟଲରେ ମଧ୍ୟ ତନ୍ତରେ ସେ ଲୁଗା ବୁଣୁଥିଲେ, ଯାହାକୁ ପ୍ରବାସୀମାନେ ଦେଖି ଫଟୋ ଉଠାଇବା ସହ ଅନେକ ଶାଢ଼ୀ ମଧ୍ୟ କିଣି ନେଇଥିଲେ।
ଏହା ବି ପଢନ୍ତୁ...ରାଜଧାନୀରେ ପ୍ରବାସୀ ମହାକୁମ୍ଭ, ଦେଖନ୍ତୁ ଝଲକ୍
ଆକର୍ଷିତ କରୁଛି ସୂକ୍ଷ୍ମ ତାରକସି କାମ:
ତାରକସି କାର୍ଯ୍ୟ ପାଇଁ କଟକ ବେଶ ପ୍ରସିଦ୍ଧ । ଅଳଙ୍କାରରେ ତାରକସି କାମର ନିଖୁଣ କାରିଗରୀ ସମସ୍ତଙ୍କୁ ବେଶ ଆକର୍ଷିତ ହୋଇଥାଏ । କଟକ ଦଶହରାରେ ମେଢ଼ ଗୁଡିକରେ ଯେଉଁ ସବୁ ଚାନ୍ଦି କାମ ହୁଏ ତାହା କେବଳ କଟକ ତାରକସି କାରିଗରମାନଙ୍କ ଦ୍ୱାରା ହୋଇଥାଏ । ଯାହାକୁ ଦେଖିବାକୁ କେବଳ ଓଡିଶାର ଲୋକ କାହିଁକି ବରଂ ଦେଶର ଅନେକ ସ୍ଥାନରୁ ଦର୍ଶକଙ୍କ ସୁଅ ଛୁଟି ଥାଏ । ଏହି ସୁକ୍ଷ୍ମ କାରିଗରୀ କାମକୁ ପ୍ରଦର୍ଶନ କରିବାକୁ ଯାଇ ପ୍ରବାସୀ ଭାରତୀୟମାନଙ୍କ ପାଇଁ ସ୍ୱତନ୍ତ୍ର ଷ୍ଟଲ ରଖାଯାଇଛି । ଏନେଇ ତାରକସି କାରିଗର ରମେଶ ବେହେରା କହିଛନ୍ତି, "କଟକର ସଂସ୍କୃତି ଆଉ କଳାକୁ ବଜାୟ ରଖିବାକୁ ଚେଷ୍ଟା କରୁଛୁ । ବିଶେଷକରି ଆଗାମୀ ଯୁବପିଢ଼ି ଯେପରି ଏହି କଳାକୁ ବଜାୟ ରଖିବେ ସେଥିପାଇଁ ଚେଷ୍ଟା ଜାରି ରଖିଛୁ । ପ୍ରବାସୀ ଭାରତୀୟମାନେ ମଧ୍ୟ ଏହାକୁ ନେଇ ବେଶ ପ୍ରଶଂସା କରୁଛନ୍ତି ।"
ଇଟିଭି ଭାରତ, ଭୁବନେଶ୍ବର