RathaKhala Halchal: ତିନିରଥର ଆଗଆଣି, ପଛଆଣି ଢମକ ମଝିରେ ପଡୁଛି ଜଗତପୃଷ୍ଠ ଶେଣୀ

By

Published : Jun 13, 2023, 4:39 PM IST

thumbnail

ପୁରୀ: ମହାପ୍ରଭୁ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ତିନିରଥର ଆଗଆଣି ଏବଂ ପଛଆଣି ୨ଟି ଲେଖାଁଏ 'କତରା' ଫିଟିଂ ହୋଇଛି। ସେହିପରି ତିନିରଥର 'ବେଦି' ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ରଥ ଚାରି ପାର୍ଶ୍ବରେ ପଟା ବାଡ଼ିଆ କାର୍ଯ୍ୟ ସହ ତିନିରଥର ଆଗଆଣି, ପଛଆଣି ଢମକ ମଝିରେ ୫ଟି ଲେଖାଁଏ 'ଜଗତପୃଷ୍ଠ ଶେଣୀ' ପକାଯାଉଛି। ଏହି ବେଦୀର ପରିସରକୁ ବୃଦ୍ଧି କରିବା ପାଇଁ ଜଗତପୃଷ୍ଠ ଶେଣୀ ଉଭୟ ପାର୍ଶ୍ଵର ଚାରି ୮ ନାହାକା ଏବଂ ଚଉଦ ନାହାକାରେ ୩ଟି ଲେଖାଁଏ 'ବାହୁଟ ଫାଳିଆ' ସାତ, ଦେଢ଼ ସାଇଜର ଚଉପଟ ଫାଳି ପଟା ବାଡ଼ିଆ ଯାଇଛି।  

ଏହାପରେ ସମ୍ମୁଖ ଭାଗକୁ ଛାଡି ୩ ପାର୍ଶ୍ବରେ 'ଗାଇଆଳ ମାଳ' ପଟା ବାଡ଼ିଆ ପରେ ବେଦୀ ନିର୍ମାଣ ପୂର୍ଣାଙ୍ଗ ହେବ। ତିନିରଥର ୨୦ ଫୁଟର ଆଠ କୋଣି ବିଶିଷ୍ଟ ୨ଟି ଲେଖାଁଏ 'ଘୋଡା ଇଶ' ନିର୍ମାଣ ଶେଷ ହୋଇଛି। ଏଥିସହ ତିନିରଥ ପାଇଁ ୪ଟି ଲେଖାଁଏ 'ଧ୍ଵଜବତା' ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହି 'ଧ୍ବଜ ବତା' ଦୁଆର ବେଢ଼ାକୁ ଟାଣି ଧରିବା ପାଇଁ ପ୍ରଥମ ଭୂଇଁ ଅଗ୍ରଭାଗ ଦ୍ବିତୀୟ ଭୂଇଁ ଶେଣୀରେ ସେଟିଂ ହେବ ।  ତାଳଧ୍ବଜ ରଥର ମୁଖ୍ୟ ରୂପକାର ସେବକ ପ୍ରଭାରେ ରୂପ ଖୋଦେଇ ପୂର୍ବରୁ ମାହାର୍ଦ୍ଦ ରଖି ଅନୁକୂଳ ପୂଜା ଆରମ୍ଭ କରିବାପରେ ନନ୍ଦିଘୋଷ ରଥ ଏବଂ ଦର୍ପଦଳନ ରଥର 'ପ୍ରଭା'ର ଅନୁକୂଳ ପୂଜା ବଢି ରୂପକାର ସେବକମାନେ ତିନିରଥର ପ୍ରଭା ଉପର ଭାଗରେ ରାହୁ ରୂପ ଚିତ୍ର ସହ ପ୍ରଭା ନିମ୍ନ ଭାଗ ୨ ପାର୍ଶ୍ଵରେ ମଗର ମୁଖ ଚିତ୍ର ଆଙ୍କି ରୂପ ଖୋଦେଇ ଆରମ୍ଭ କରିଛନ୍ତି ।  

ଏଥିସହ ତିନି ରଥର ଆସୁଆରୀରେ ରୂପକାର ସେବକମାନେ ସିଂହ ବିରାଳ, ଗଜ ବିରାଳ, ନର ବିରଳ ରୂପ ଖୋଦେଇ ଜାରି ରଖିଛନ୍ତି । ଚିତ୍ରକାର ସେବକମାନେ ରଥ ପାର୍ଶ୍ବ ଦେବାଦେବୀଙ୍କ ରୂପ ରଙ୍ଗ ଚିତ୍ର ସହ ହଂସପଟା, କନ୍ୟାପଟା, ଓଲଟ ଶୁଆ, ସଖୀ ଆଦିର ରଙ୍ଗ କାର୍ଯ୍ୟ ସହ ଦୁଆର ବେଢ଼ା ରୂପ ଚିତ୍ର ଏବଂ ରଥ ବାହ୍ୟ ପାର୍ଶ୍ବ ଗୁଜ, ଚକ ଆଦିରେ ରଙ୍ଗ ଚିତ୍ର ଜାରି ରଖିଛନ୍ତି । ଦୋଳବେଦୀ କମାର ଶାଳରେ ଓଝା ସେବକମାନେ କଣ୍ଟା ନିର୍ମାଣ ସହ, ଚାର ବନ୍ଧା ପାଇଁ ଭୋଇ ସେବକମାନଙ୍କ ପାଇଁ କଟୁରି ନିର୍ମାଣ କରୁଛନ୍ତି । ଦରଜି ସେବକମାନେ ତିନିରଥର ବତା କନାରେ ଲେସ ଫିଟିଂ ସହ ଦୁଆର ବେଢ଼ା କନାରେ ସିଲଭର ଫୁଲ, ଲେସ ସିଲାଇ କାର୍ଯ୍ୟ ଜାରି ରଖିଛନ୍ତି ।  

ଇଟିଭି ଭାରତ, ପୁରୀ 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.