RathaKhala Halchal: ଶେଷ ପର୍ଯ୍ୟାୟରେ ନିର୍ମାଣ କାର୍ଯ୍ୟ, ୩ ରଥରେ ଲାଗିଲା ହଂସପଟା

By

Published : Jun 17, 2023, 3:44 PM IST

Updated : Jun 17, 2023, 4:08 PM IST

thumbnail

ପୁରୀ: ମହାପ୍ରଭୁ ରଥଯାତ୍ରା ପାଇଁ ରଥ ନିର୍ମାଣ ଏବେ ଶେଷ ପର୍ଯ୍ୟାୟରେ । ତିନି ରଥରେ ଏବେ ମହାରଣା ସେବକମାନେ ହଂସପଟା ଲଗାଉଛନ୍ତି । ସେହିପରି ଠେକେରା ବାଡ ମଧ୍ୟ ଲଗାଯଉଛି । କୋଣ ଗୁଜଗୁଡିକ ରଙ୍ଗ କାର୍ଯ୍ୟ ଜାରି ରହିଛି । ତିନିରଥର ଦୁଆର ବେଢ଼ାକୁ ବାନ୍ଧି ରଖିବାପାଇଁ ଗୋଟିଏ ଲେଖାଁଏ 'ଧିଜବତା' ଦୁଆର ବେଢ଼ା ଚନ୍ଦ୍ରଶାଳି କାପରେ ସେଟିଂ କରାଯାଇ ମଝି ଭୂଇଁ ଛ' କାଠିରେ ଫିଟିଂ କରାଯାଇଛି । ଏଥିସହ ତିନିରଥରେ କଣି ଫାଉଡା, ଧୂଳିଦଣ୍ଡା, ହାତୀ ଆଳମାଳ ଲଗାଯାଇଛି  ।  

ଭୋଇ ସର୍ଦ୍ଦାର ତଥା ତିନି ରଥର ମୁଖ୍ୟ ଭୋଇ ସେବକମାନଙ୍କ ସହଯୋଗରେ ଭୋଇ ସେବକ ଏବଂ ତିନି ମୁଖ୍ୟ ମହାରଣାଙ୍କ ନିର୍ଦ୍ଦେଶରେ ଭୋଇ ସେବକମାନେ କଳସ, ଓଲଟ ଶୁଆ ଏବଂ ଅଁଳାକୁ ରଥ ଉପର ପୋଟଳ ଖପୁରୀ ମଧ୍ୟ ଭାଗରେ ରଖି ତିନିରଥରେ ସଂସ୍ଥାପନ କରିଛନ୍ତି । ତିନି ରଥରେ ଲାଗିଥିବା କଳସ ଓ ଓଲଟ ଶୁଆକୁ ସୁଦୃଢ଼ ରଖିବା ପାଇଁ କଳଶ ବାଗିଆ କଣ୍ଟା ଏବଂ ସାଢ଼େ ୪ଫୁଟର ୩ଟି ଲେଖାଁଏ 'ନାରାଜ' କଣ୍ଟା ବାଡେଇ ଓଲଟ ଶୁଆ ଫିଟିଂ କରାଯାଇଛି । ଅଁଳା ଉପରେ ପିତଳ କଳଶ ସଂସ୍ଥାପନ ବାକି ରହିଛି ।  

ଏହା ବି ପଢନ୍ତୁ- ଆଜିଠୁ ଦୁଇ ଦିନ ମହାପ୍ରଭୁଙ୍କ ବନକଲାଗି ନୀତି, 19ରେ ନବଯୌବନ ଦର୍ଶନ

ଏଥିସହ ଦୁଆରବେଢ଼ାକୁ ବାନ୍ଧି ରଖିବା ପାଇଁ ପ୍ରତି ନାଟଗୋଡ଼ରେ ଦୁଇ ପାର୍ଶ୍ଵରେ ଦୁଇଟି ଲେଖାଁଏ 'ଦୁଆର ବାଣିଆ' ଚଉଦ ବାହାକା ସହ ଫିଟିଂ କରାଯାଇଛି । ଚିତ୍ର କାର୍ଯ୍ୟ ଶେଷ ହୋଇଥିବା 'କନ୍ୟାପଟା'ଗୁଡିକୁ ମହାରଣା ସେବକମାନେ ତିନି ରଥରେ ଫିଟିଂ କରିଛନ୍ତି । ତାଳଧ୍ବଜ ରଥ ଏବଂ ନନ୍ଦିଘୋଷ ରଥରେ ୧୨ ଲେଖାଁଏ ଏବଂ ଦର୍ପଦଳନ ରଥରେ ୮ଟି କନ୍ୟା ପଟା ଫିଟିଂ ହୋଇଛି । ରୂପକାର ସେବକମାନେ ୩ ରଥର ଗୋଟିଏ ଲେଖାଁଏ ଘୋଡା ଜୁଆଳି, ୨ଟି ଲେଖାଁଏ ଆଶା ବାଡ଼ି ଏବଂ ତାଳଧ୍ବଜ ରଥ, ନନ୍ଦିଘୋଷ ରଥ ସାରଥିଙ୍କ 'କିରଣ' ନିର୍ମାଣ ଶେଷ କରି କିରଣରେ ପଦ୍ମ ପାଖୁଡା ଖିଦେଇ କାର୍ଯ୍ୟ ମଧ୍ୟ ଶେଷ କରିଛନ୍ତି ।

ଦୋଳବେଦୀ କମାର ଶାଳରେ ଓଝା ସେବକମାନେ ତିନିରଥର କଳସ ଫିଟିଂ ପାଇଁ କଳଶ ବାଗିଆ କଣ୍ଟା ଏବଂ ଓଲଟ ଶୁଆ ଫିଟିଂ ପାଇଁ ନାରାଜ କଣ୍ଟା ଯୋଗାଇଛନ୍ତି । ରଥରେ ଘୋଡା ଫିଟିଂ ପାଇଁ ଘୋଡା ବାଗିଆ କଣ୍ଟା ଏବଂ ପ୍ରଭା କଣ୍ଟା ନିର୍ମାଣ କରୁଛନ୍ତି । ଚିତ୍ରକାର ସେବକମାନେ ବାକି ରହିଥିବା ରଥ ବାହ୍ୟ ଅଂଶରେ ରଙ୍ଗ କରିବା ସହ, ପ୍ରଭା ଏବଂ ତିନିରଥ ଘୋଡାରେ ରଙ୍ଗ କାର୍ଯ୍ୟ ଜାରି ରଖିଛନ୍ତି । ଦରଜି ସେବକମାନେ ତିନି ରଥର କନାରେ ଜାରି ଜମ୍ବୁରା, ଲେସ କାର୍ଯ୍ୟ ସମ୍ପୂର୍ଣ୍ଣ କରି ରଥରେ କନା ପଡିବା ପାଇଁ କନା ଯୋଡ଼ା କାମ କରୁଛନ୍ତି ।

ଇଟିଭି ଭାରତ, ପୁରୀ

Last Updated : Jun 17, 2023, 4:08 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.