RathaKhala Halchal: ଶେଷ ପର୍ଯ୍ୟାୟରେ ନିର୍ମାଣ କାର୍ଯ୍ୟ, ତିନିରଥ ଚାରି ପାର୍ଶ୍ବରେ ତାଗ ବାଡ଼ିଆ ଶେଷ

By

Published : Jun 12, 2023, 6:24 PM IST

thumbnail

ପୁରୀ: ମହାପ୍ରଭୁ ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତିନିରଥର ପାରାଭାଡ଼ି ସମେତ ୧୩ ତମ ପରସ୍ତ 'ଖପୁରୀ ପାରେଣି' ପଡିବା ସହ ତିନିରଥ ଚାରି ପାର୍ଶ୍ବରେ ତାଗ ବାଡ଼ିଆ ଶେଷ ହୋଇଛି । ତିନିରଥର ଦୁଇଟି ଲେଖାଁଏ ଆଗଆଣି ଏବଂ ପଛଆଣି 'କତରା' ନିର୍ମାଣ ଶେଷ ପରେ ତିନି ରଥରେ ଫିଟିଂ କରାଯାଇଛି । ମାପ ପ୍ରକାରେ କତରାରେ କାପ କରାଯାଇ ଗୁଜ ଏବଂ ଗୟଳ ଟାଣ ଉପରେ କଣ୍ଟା ବାଡ଼ିଆ ଯାଇ ଫିଟିଂ କରାଯାଇଛି । ରଥର ବିଭିର୍ଣ୍ଣ ଅଂଶକୁ ବାନ୍ଧି ରଖିବା ପାଇଁ କତରା ବାଡ଼ିଆ ହୋଇଥାଏ, ସେବାକାରୀମାନେ ରଥ ଉପରକୁ ଉଠିବାରେ ଏହା ସହାୟକ ହୋଇଥାଏ । ତିନିରଥ ଚାରି ପାର୍ଶ୍ବରେ ତାଗ ବା ବଟନ ବାଡ଼ିଆ ପରେ ତାଗ ଉପରେ ପଟା ବାଡ଼ିଆ କାର୍ଯ୍ୟ ଜାରି ରହିଛି।  

ମହାରଣା ସେବକ ମାନେ ତିନି ବାଡର 'ପ୍ରଭା' ଏବଂ ଶ୍ରୀବିଗ୍ରହ ମାନଙ୍କ 'ଚକା ବଇଠି' ନିର୍ମାଣ ଶେଷ କରିଛନ୍ତି । ଏଥି ସହ ତିନିରଥର ଦୁଇଟି ଲେଖାଁଏ 'ଘୋଡାଇଶ' ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହି ଘୋଡା ଇଶ ଚାର ପରିଛା, ନିରାଡ଼ି ମଧ୍ୟରେ ଥିବା ଫାଙ୍କରେ ଭର୍ତ୍ତି କରାଯାଇ ସଂଯୋଗ କରାଯିବ । ତିନିରଥର ଦୁଇଟି ଲେଖାଁଏ ୨୦ ଫୁଟର 'ସାଙ୍ଗି' ନିର୍ମାଣ ଶେଷ ହୋଇଛି । ଏହାଦ୍ବାରା ଭୋଇ ସେବକ ମାନେ ରଥ ସାରଥୀ, ରଥ ଦଉଡ଼ି ଅନ୍ୟାନ୍ୟ ଜିନିସାତ ବୋହି ନେବାରେ ବ୍ୟବହୃତ ହେବ। ରୂପକାର ସେବକମାନେ ତିନିରଥର ବାକି ନାତଗୋଡ଼ଗୁଡିକରେ କନ୍ଦର୍ପ ରୂପ ଖୋଦେଇ ଶେଷ କରିଛନ୍ତି।  

ଆଜି ଅନୁକୂଳ ପୂଜା ପରେ 'ପ୍ରଭା' ଗୁଡିକରେ ରୂପ ଖୋଦେଇ ଆରମ୍ଭ କରିଛନ୍ତି । ଚିତ୍ରକାର ସେବକମାନେ ତିନିରଥର ଚାରୋଟି ଲେଖାଁଏ ଦୁଆର ବେଢାରେ ରୂପ ଚିତ୍ର ସହ, ରଥ ପାର୍ଶ୍ବ ଦେବାଦେବୀ, କଳସ, ଓଲଟ ଶୁଆ, ହଂସପଟା, ରଥ ବାହ୍ୟ ଅଂଶରେ ଚିତ୍ର କାର୍ଯ୍ୟ ଜାରି ରଖିଛନ୍ତି । ଦୋଳବେଦୀ କମାର ଶାଳରେ ଓଝା ସେବକମାନେ ଜଗତ ପୃଷ୍ଠ ଶେଣୀ କଣ୍ଟା ନିର୍ମାଣ ଜାରି ରଖିଛନ୍ତି । ଦରଜି ସେବକମାନେ ତିନିରଥର ବତା କନାର ବିଳାଶ ପଟିରେ ଲେସ କାମ କରୁଛନ୍ତି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.