ପୁଣି ଦବିଲା ପୁରୀ ଚକ୍ରତୀର୍ଥ ରାସ୍ତା, ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତିଲେ ବସଯାତ୍ରୀ
🎬 Watch Now: Feature Video
ପୁରୀ: ପୁଣି ଦବିଲା ପୁରୀ ଚକ୍ରତୀର୍ଥ ରାସ୍ତା । ଏକ ବଡ଼ ଅଘଟଣରୁ ବର୍ତ୍ତିଗଲେ ବସଯାତ୍ରୀ । ଆଜି ସକାଳେ ଚକ୍ରତୀର୍ଥ ରାସ୍ତା ଦେଇ ଏକ ବସ ଯାଉଥିବା ସମୟରେ ବେଡ଼ି ହନୁମାନ ମନ୍ଦିର ସମ୍ମୁଖ ରାସ୍ତାଟି ଦବି ଯାଇଥିଲା । ଫଳରେ ବସ ଭିତରେ ଥିବା ଯାତ୍ରୀମାନେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ । ରାସ୍ତା ଦବି ବଡ଼ ଗର୍ତ୍ତ ସୃଷ୍ଟି ହେବା ପରେ ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ପୂର୍ତ୍ତ ବିଭାଗ ପକ୍ଷରୁ ରାସ୍ତାର ଉଭୟ ପାର୍ଶ୍ବକୁ ବନ୍ଦ ରଖାଯାଇଥିବା ବେଳେ ସ୍ଥାନୀୟ ବାସିନ୍ଦା ଓ ପର୍ଯ୍ୟଟକମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ପୂର୍ତ୍ତ ବିଭାଗ ଓ ସ୍ବେରେଜର ଅବହେଳା ଯୋଗୁଁ ବାରମ୍ବାର ଏଭଳି ଅଘଟଣ ଘଟୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଗତ ଏକ ବର୍ଷ ଭିତରେ 3 ଥର ସେହି ନିର୍ଦ୍ଦିଷ୍ଟ ସ୍ଥାନରେ ରାସ୍ତା ଦବି ଯାଉଛି ।
ଏହା ବି ପଢ଼ନ୍ତୁ: ବେଙ୍ଗାଲୁରୁ ଭୂତଳ ମେଟ୍ରୋ ପ୍ରକଳ୍ପ କାମ ବେଳେ ହଠାତ ଧସିଲା ରାସ୍ତା, ଜଣେ ଆହତ
ଏହି ରାସ୍ତା ପୁରୀ ସହରର ଏକ ପ୍ରମୁଖ ରାସ୍ତା । ପୁରୀରୁ କୋଣାର୍କ ପର୍ଯ୍ୟଟକମାନେ ଏହି ରାସ୍ତା ଦେଇ ଯାତାୟତ କରିଥାନ୍ତି । ତେବେ ରାସ୍ତାର ଦୂରାବସ୍ଥା ଦିନକୁ ଦିନ ବଢ଼ିବାରେ ଲାଗିଛି । ଅନେକ ସ୍ଥାନରେ ପିଚୁ ଉଠି ଖାଲ ହୋଇ ଗଲାଣି । ଅଧିକାଂଶ ସମୟରେ ଦୁର୍ଘଟଣା ଘଟି ଲୋକେ ଆହତ ହେଉଛନ୍ତି । ହେଲେ ପ୍ରଶାସନର ନିଘା ନଥିବା ଅଭିଯୋଗ ହୋଇ ଆସୁଛି । ମରାମତି ନାରେ ପୂର୍ତ୍ତ ବିଭାଗର କିଛି ଯନ୍ତ୍ରୀ ଓ ଠିକାଦାର ମିଶି ରାସ୍ତା କାମ ପାଇଁ ଆସୁଥିବା ଟଙ୍କାକୁ ହରିଲୁଟ କରୁଥିବା ଅଭିଯୋଗ ହୋଉଛି । ବେଡ଼ି ହନୁମାନ ମନ୍ଦିର ଏକ ପର୍ଯ୍ୟଟନସ୍ଥଳୀ ହୋଇ ଥିବା ବେଳେ ପ୍ରତିଦିନ ଶହଶହ ଭକ୍ତ ମନ୍ଦିରକୁ ଦର୍ଶନ ପାଇଁ ଆସିଥାନ୍ତି । ହେଲେ ରାସ୍ତା କାର୍ଯ୍ୟ ନିମ୍ନମାନର କରାଯାଇଥିବାରୁ ସବୁବେଳେ ଏହା ଧସି ଯାଉଛି । ତେଣୁ ତୁରନ୍ତ ଏହି ରାସ୍ତାକୁ ନିର୍ମାଣ କରାଯିବା ପାଇଁ ଦାବି ହୋଇଛି ।
ଇଟିଭି ଭାରତ, ପୁରୀ