Budget 2023: ଆୟକରଠୁ ଆବାସ ଯାଏଁ, ଜାଣନ୍ତୁ କାହାକୁ ମିଳିଲା କେତେ ?

🎬 Watch Now: Feature Video

thumbnail

By

Published : Feb 1, 2023, 8:43 PM IST

Updated : Feb 3, 2023, 8:39 PM IST

ନୂଆଦିଲ୍ଲୀ: ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରିଛନ୍ତି  । ଏହା ହେଉଛି ମୋଦି ସରକାରଙ୍କ ଦ୍ବିତୀୟ ପାଳିର ଶେଷ ପୂର୍ଣ୍ଣାଙ୍ଗ ବଜେଟ  । ଚଳିତ ବଜେଟରେ କୃଷି, ଶିକ୍ଷା, ସ୍ବାସ୍ଥ୍ୟ, ପ୍ରତିରକ୍ଷା, ରେଲୱେ ଠାରୁ ଆରମ୍ଭ କରି ମହିଳାଙ୍କ ବିକାଶ ପ୍ରତି ବିଶେଷ ଗୁରୁତ୍ବ ଦିଆଯାଇଛି  । ବଜେଟରେ କୃଷି କ୍ଷେତ୍ରରେ ପରିବର୍ତ୍ତନ ଆଣିବା ପାଇଁ ଏଗ୍ରିକଲଚର ଆସେଲେରେଟର ଫଣ୍ଡ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ଏହି ଫଣ୍ଡ କୃଷି କ୍ଷେତ୍ରରେ ଷ୍ଟାର୍ଟଅପକୁ ଗୁରୁତ୍ବ ଦେବ ।  

ବର୍ଷ ୨୦୨୪ ପାଇଁ କ୍ରେଡିଟ ଟାର୍ଗେଟ ୨୦ ଲକ୍ଷ କୋଟିକୁ ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏଥିରେ ପଶୁପାଳନ, ଗୋପାଳନ, ମତ୍ସ୍ୟଚାଷକୁ ପ୍ରାଥମିକତା ମିଳିବ । ଏହି ସମସ୍ତ କ୍ଷେତ୍ରରେ ପ୍ରାୟ ୨୦ ଲକ୍ଷ କୋଟି ଟଙ୍କାର ଲୋନ ପ୍ରଦାନ କରି ଯୁବ ଚାଷୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ମିଲେଟକୁ ପ୍ରୋତ୍ସାହନ ପାଇଁ ଶ୍ରୀଅନ୍ନ ଯୋଜନାର ଘୋଷଣା କରିଛନ୍ତି ସୀତାରମଣ  । ସେହିପରି ପିଏମ ଆବାସ ଯୋଜନା ପାଇଁ ଖର୍ଚ୍ଚକୁ ୬୬ ପ୍ରତିଶତ ବଢାଯାଇଛି  ।  

ଆଇସିଏମଆର ସୁବିଧା ବୃଦ୍ଧି ପାଇଁ ନୂତନ ନର୍ସିଂ କଲେଜ ପ୍ରତିଷ୍ଠା କରାଯିବା ନେଇ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ସୀତାରମଣ । ୨୦୧୫ ଠାରୁ ପ୍ରତିଷ୍ଠିତ ୧୫୭ ମେଡିକାଲ କଲେଜ ସ୍ଥାନରେ ମିଳିତ ଭାବେ ୧୫୭ଟି ନୂତନ ନର୍ସିଂ କଲେଜ ପ୍ରତିଷ୍ଠା କରାଯିବ । ଏଥିସହ ୨୦୪୭ ସୁଦ୍ଧା sickle cell anemia ବା ରକ୍ତହୀନତାକୁ ଦୂର କରିବା ପାଇଁ ସରକାର ଏକ ମିଶନ କାର୍ଯ୍ୟକାରୀ କରିବାକୁ ଯୋଜନା କରିଛନ୍ତି । ଚଳିତ ବଜେଟରେ ପ୍ରତିରକ୍ଷା କ୍ଷେତ୍ର ପାଇଁ ୫.୯୪ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ ହୋଇଛି ।

ଭାରତର ପର୍ଯ୍ୟଟନ ବିଭାଗର ପ୍ରୋତ୍ସାହନ ଲାଗି ରାଜ୍ୟ, ସରକାରୀ ପ୍ରୋଗ୍ରାମ ଓ ପବ୍ଲିକ-ପ୍ରାଇଭେଟ ଅଂଶୀଦାର ସକ୍ରିୟ ଭାବେ କାର୍ଯ୍ୟ କରିବେ । ଆଗାମୀ ଦିନରେ ୫୦ଟି ପର୍ଯ୍ୟଟନସ୍ଥଳୀର ଚୟନ କରାଯିବ । ଏହାକୁ ଉଭୟ ସ୍ବଦେଶୀ ଓ ଅନ୍ତର୍ଜାତୀୟ ସ୍ତରର ପର୍ଯ୍ୟଟନ କ୍ଷେତ୍ରରେ ପରିଣତ କରିବା ଲାଗି ପୂର୍ଣ୍ଣାଙ୍କ ପ୍ୟାକେଜର ଘୋଷଣା କରାଯିବ । 'ଦେଖୋ ଅପନା ଦେଶ' ଯୋଜନାରେ ଏହାର ବିକାଶମୂଳକ କାର୍ଯ୍ୟ କରାଯିବ । ସେହିପରି ଦେଶରେ ଭିତ୍ତିଭୂମି ବିକାଶ ପାଇଁ ବ୍ୟୟ ଅଟକଳ ୧୦ ଲକ୍ଷ କୋଟିକୁ ବଢାଇଛନ୍ତି ଅର୍ଥମନ୍ତ୍ରୀ  । ଭିତ୍ତିଭୂମି ଯେପରିକି ସଡ଼କ, ରାଜପଥ, ରେଳ, ଆବାସ, ସହରୀକରଣ ଆଦି ଲାଗି ପୁଞ୍ଜି ନିବେଶକୁ ବୃଦ୍ଧି କରାଯାଇଛି ।  

ବଜେଟରେ ମଧ୍ୟବିତ୍ତଙ୍କୁ ବଡ ଭେଟି ଦେଇଛନ୍ତି ନିର୍ମଳା ସୀତାରମଣ । ଆୟକର ଛାଡ ସୀମା ୫ ଲକ୍ଷରୁ ୭ ଲକ୍ଷକୁ ବୃଦ୍ଧି କରାଯାଇଛି । ଏଣିକି ବାର୍ଷିକ ୭ ଲକ୍ଷ ଆୟ କରୁଥିବା ଲୋକଙ୍କୁ ଆୟକର ଦେବାକୁ ପଡିବନି । ପୂର୍ବରୁ ଏହି ଟିକସ ସ୍ଲାବ ସୀମା ୫ ଲକ୍ଷ ଟଙ୍କା ଥିଲା । ମହିଳାଙ୍କ ପାଇଁ ସଞ୍ଚୟ ଯୋଜନାର ଘୋଷଣା ହୋଇଛି । ମହିଳା ସମ୍ମାନ ବଚତ ପତ୍ର ଯୋଜନାରେ ୨ ଲକ୍ଷ ଯାଏଁ ସଞ୍ଚୟ ଉପରେ ୭.୫ ପ୍ରତିଶତ ସୁଧ ମିଳିବ  ।  

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ 

Last Updated : Feb 3, 2023, 8:39 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.