ସହରର ସମସ୍ୟା ନେଇ ସିଏମସି ଉପରେ ବର୍ଷିଲେ ଶ୍ରୀତମ, ମେୟରଙ୍କ ଇସ୍ତଫା ଦାବି - ବିଜେପି ସାମ୍ବାଦିକ ସମ୍ମିଳନୀ
🎬 Watch Now: Feature Video
କଟକ: ସହରର ବିଭିନ୍ନ ସମସ୍ୟା ନେଇ ସିଏମସି ଉପରେ ବର୍ଷିଲେ ଅଭିନେତା ତଥା ବିଜେପି ନେତା ଶ୍ରୀତମ ଦାସ । ଜାଇକା ଠାରୁ ଆରମ୍ଭ କରି ବକ୍ସ ପର୍ଯ୍ୟନ୍ତ ପ୍ରକଳ୍ପ କାର୍ଯ୍ୟ ଏବେ ସହରବାସୀଙ୍କ ପାଇଁ ମରଣଯନ୍ତା ପାଲଟିଛି । ଗତ ୧୦ ବର୍ଷ ମଧ୍ୟରେ ୩୩ରୁ ଊର୍ଦ୍ଧ୍ବ ଲୋକଙ୍କ ଜୀବନ ଯାଇଥିବା ବେଳେ ଗତ ତିନି ମାସ ମଧ୍ୟରେ ୫ ଜଣଙ୍କ ଜୀବନ ଯାଇଛି । ଏହା ସତ୍ତ୍ବେ କଟକ ମହାନଗର ନିଗମକୁ କାହିଁକି ଚେତା ପଶୁନି ବିଜେପି ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଛନ୍ତି ଶ୍ରୀତମ ଦାସ । ଯଦି ମେୟର କଟକବାସୀଙ୍କ ପାଇଁ କିଛି କରି ପାରୁନାହାନ୍ତି ତା ହେଲେ ସେ ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ ବୋଲି ବିଜେପି ପକ୍ଷରୁ ଦାବି କରାଯାଇଛି ।
ଏହା ମଧ୍ୟ ପଢନ୍ତୁ: ମୁଣ୍ଡ ନେଉଛି ମୁକୁଳା ଡ୍ରେନ: CMC ଆଗରେ ମୃତଦେହ ରଖି ପରିବାର ଲୋକଙ୍କ କ୍ଷତିପୂରଣ ଦାବି
ବିଡାନାସୀ ଠାରୁ ଆରମ୍ଭ କରି ଛତ୍ର ବଜାର ପର୍ଯ୍ୟନ୍ତ ଥିବା ଡ୍ରେନରେ ପଡ଼ି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ଲୋକଙ୍କ ପର୍ଯ୍ୟନ୍ତ ଜୀବନ ଯାଇଛି । ସହରସାରା ଏବେ ଖୋଳା ପୋତାରେ ଚାଲିଛି । କଟକ ସହରର ରାସ୍ତା ଏବେ ସହରବାସୀଙ୍କ ପାଇଁ ଯମ ପାଲଟିଛି । କଟକବାସୀଙ୍କୁ ମୌଳିକ ସୁବିଧା ମିଳି ପାରୁନାହିଁ । କେବଳ ଏତିକି ନୁହେଁ ବାଲିଯାତ୍ରା ଓ ହକି ବିଶ୍ଵକପ ଉଦଘାଟନୀ ଉତ୍ସବ ପାଇଁ ଖର୍ଚ୍ଚ ହୋଇଥିବା କୋଟି କୋଟି ଟଙ୍କାର ହିସାବ ଦେଉନାହିଁ କଟକ ମହାନଗର ନିଗମ । କଟକ ସହରକୁ ୟୁରୋପ କରିବା ପାଇଁ ପ୍ରତିଶ୍ରୁତି ଦେଇଥିବା ମେୟର ସୁବାସ ସିଂ କାହିଁକି ସହର ସମସ୍ୟା ସମାଧାନ କରିବାରେ ବିଫଳ ହେଲେ ବୋଲି ବିଜେପି ପ୍ରଶ୍ନ କରିଛି । ମୌସୁମୀ ସମୟରେ ପଙ୍କ ଉଦ୍ଧାର କରିବା, ଦଳୀୟ କର୍ମୀଙ୍କୁ ଠିକାରେ କାମ ଦେବା, ନିମ୍ନ ମାନର କାମ କରିବା ଭଳି ବିଜେପି ଅଭିଯୋଗ କରିଛି । କେବଳ ଏତିକି ନୁହେଁ ଡ୍ରେନରେ ପଡ଼ି ମୃତ୍ୟୁବରଣ କରୁଥିବା ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଉ ବୋଲି ବିଜେପି ଦାବି କରିଛି ।
ଇଟିଭି ଭାରତ, କଟକ