ଅସହାୟ ମହିଳାଙ୍କ ଘର ମରାମତି କଲା ସାମାଜିକ ଅନୁଷ୍ଠାନ
🎬 Watch Now: Feature Video
ବାଲେଶ୍ବର: ଅସହାୟ ବିଧବା ମହିଳାଙ୍କୁ ସହାୟତା କଲା ସାମାଜିକ ସଂଗଠନ । ଅଧା ପନ୍ତରିଆ ଘରେ ଦୁଇ ଛୁଆକୁ ନେଇ ବଡ କଷ୍ଟରେ କାଳତିପାତ କରୁଥିବା ମହିଳାଙ୍କ ଘରେ ପହଞ୍ଚି ତାଙ୍କର ମାଟି ଚଟାଣକୁ କଂକ୍ରିଟରେ ବଦଳାଇଲା । ଡହ ଡହ ଖରାକୁ ଖାତିର ନକରି ବାଲେଶ୍ୱର ଜିଲ୍ଲା ସୋର ବ୍ଲକର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଆଦର୍ଶ ଯୁବ ପରିଷଦ ସଦସ୍ୟମାନେ ତଳନଗର ପଞ୍ଚାୟତ ଅନ୍ତର୍ଗତ ଅଲିପୁର ଗ୍ରାମର ବିଧବା ଅସହାୟ ମହିଳା ସୁକାନ୍ତି ଜେନାଙ୍କ ଅଧା ଗଢ଼ା ଘର ଚଟାଣକୁ କଂକ୍ରିଟ କରିଛନ୍ତି । ବର୍ଷା ଦିନରେ ସୁକାନ୍ତି ମାଟି ସନ୍ତସନ୍ତିଆ ଚଟାଣ ଉପରେ ବହୁ କଷ୍ଟରେ ରହୁଥିଲେ । ରାତିରେ ଉକ୍ତ ଚଟାଣରେ ଶୋଇ ନପାରି ତାଙ୍କର ଦୁଇ ପିଲାଙ୍କୁ ଧରି ଉଜାଗର ରହୁଥିଲେ । କିଛି ଦିନ ପୂର୍ବରୁ ପଶ୍ଚିମା ଝଡ଼ର ପ୍ରଭାବରେ ତାଙ୍କ ଘର ଚଟାଣ ସମ୍ପୂର୍ଣ ଓଦା ରହିଥିଲା । ଏଥିପାଇଁ ଏହି ପରିବାର ଅତ୍ୟନ୍ତ ଦୁଃଖ କଷ୍ଟରେ ଦିନ କାଟୁଥିଲେ ।
ଦୁଇ ବର୍ଷ ପୂର୍ବେ ସ୍ୱାମୀଙ୍କ ମୃତ୍ୟୁ ପରେ ଦୁଃଖର ପାହାଡ଼ ତଳେ ସୁକାନ୍ତି ନିଜର ଦୁଇ ଛୋଟ ପିଲାଙ୍କୁ ଧରି ସଂଘର୍ଷ କରୁଛନ୍ତି । ସରକାରୀ ସ୍ତରରେ ତାଙ୍କୁ ଖଣ୍ଡିଏ ଇନ୍ଦିରା ଆବାସ ଘର ମିଳିଛି । ହେଲେ ଅର୍ଥ ଅଭାବରୁ ଘରଟି ସମ୍ପୂର୍ଣ୍ଣ ନିର୍ମାଣ ହୋଇପାରି ନାହିଁ । ଏହି ଅଧା ଗଢା ଘରେ ମହିଳା ନିଜର ଗୋଟିଏ ପୁଅ ଓ ଝିଅକୁ ନେଇ ଅତି ଦୁଃଖ କଷ୍ଟରେ ବଞ୍ଚୁଥିଲେ । ମହିଳାଙ୍କ ସମସ୍ୟା ସମ୍ପର୍କରେ ଆଦର୍ଶ ଯୁବ ପରିଷଦ ସଦସ୍ୟ ଶଶିକାନ୍ତ ରାଉତଙ୍କ ଦୃଷ୍ଟି ଆକର୍ଷଣ ହେବା ପରେ ଏନେଇ ସେ ସଂଗଠନକୁ ଜଣାଇଥିଲେ । ଏହାପରେ ପରିଷଦ ସଦସ୍ୟମାନେ ଏକତ୍ରିତ ହୋଇ ସୁକାନ୍ତିଙ୍କ ଘରେ ପହଞ୍ଚି ତାଙ୍କ ଘର ଚଟାଣକୁ କଂକ୍ରିଟ କରାଇଛନ୍ତି । ଏଥିପାଇଁ ମହିଳା ଜଣକ ସଂଗଠନର ସମସ୍ତ ସଦସ୍ୟଙ୍କୁ କୃତଜ୍ଞତା ଜଣାଇଛନ୍ତି । ଗ୍ରାମବାସୀ ମଧ୍ୟ ଆଦର୍ଶ ଯୁବ ପରିଷଦର ମହତ୍ କାର୍ଯ୍ୟକୁ ଖୁବ ପ୍ରଶଂସା କରିଛନ୍ତି । ଆଦର୍ଶ ଯୁବ ପରିଷଦ ସଦସ୍ୟମାନେ ନିସ୍ଵାର୍ଥପର ଭାବେ ଏହି ଅଞ୍ଚଳରେ ସମାଜ ସେବା ଜାରି ରଖିଛନ୍ତି ।
ଇଟିଭି ଭାରତ, ବାଲେଶ୍ବର