କାଳବୈଶାଖୀ ଯୋଗୁଁ କେନ୍ଦ୍ରାପଡ଼ାରେ ବ୍ୟାପକ କ୍ଷୟକ୍ଷତି, ଏଯାଏଁ ପହଞ୍ଚିନି ପ୍ରଶାସନ - ଆଳି ଓ ରାଜକନିକା କାଳବୈଶାଖୀ ପ୍ରଭାବ
🎬 Watch Now: Feature Video
କେନ୍ଦ୍ରାପଡା: ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି । କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ଓ ରାଜକନିକା ବ୍ଲକରେ ମଧ୍ୟ ଦେଖିବାକୁ ମିଳିଛି କାଳବୈଶାଖୀ ପ୍ରଭାବ । ପବନର ବେଗରେ ପବନ କାରଣରୁ ସ୍ଥାନେସ୍ଥାନେ ଗଛ ଭାଙ୍ଗି ପଡିବା ସହ ବିଦ୍ୟୁତ ଖୁଣ୍ଟଗୁଡିକ ଉପୁଡି ପଡିଥିବା ଦେଖିବାକୁ ମିଳିଛି । କେଉଁଠି ଘରର ଛପର ଉଡିଯାଇଛି ତ କେଉଁଠି ଗଛ ଭାଙ୍ଗି ଘର ଉପରେ ପଡିଛି । ଗୁରୁବାର ହଠାତ୍ କାଳବୈଶାଖୀ ହେବା ଦ୍ବାରା କୁଆପଥର ବର୍ଷା ଏବଂ ବଜ୍ରପାତ ହୋଇଥିଲା । ସେହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୦୦ରୁ ୧୨୦କିଲୋମିଟର ଥିବା ଅନୁମାନ କରାଯାଇଛି । ଫଳରେ କେନ୍ଦ୍ରାପଡ଼ା ରାଜକନିକା ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି । ସେହିପରି ରାଜକନିକାରୁ ଭୁବନେଶ୍ୱର ଯାଉଥିବା ଏକ ଯାତ୍ରିବାହୀ ବସ୍ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ଯାଇଥିବାବେଳେ ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ । ଅଶୋକ ବଜାର ନିକଟରେ ଘଟିଥିଲା ଏହି ଦୁର୍ଘଟଣା ।
ଏହାସହ ଦେଉଳସାହି ନିକଟରେ ମେଗା ପାନୀୟ ଜଳ ପ୍ରକଳ୍ପରେ ନିୟୋଜିତ ଏକ ଘରୋଇ କମ୍ପାନିର କଣ୍ଟେନର ଓ ଟେଣ୍ଟ୍ ଭାଙ୍ଗି ଓଲଟି ପଡ଼ିଥିବା ମଧ୍ୟ ଦେଖିବାକୁ ମିଳିଛି । ଅଶୋକ ବଜାର ଚନ୍ଦନ ପୋଖରୀ ଛକ, ଥାନା ଛକ ତଥା ଓଳାଭର ରାସ୍ତାରେ ବଡ଼ବଡ଼ ଗଛ ଉପୁଡି ପଡିଛି । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଥିବାବେଳେ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ରାଜକନିକା ବଳରାମପୁର ନିକଟରେ ଏକ ବିରାଟ ବରଗଛ ଓଲଟିବା ସହିତ ବିଦ୍ୟୁତ ତାର,ଖୁଣ୍ଟ, ଟ୍ରାନ୍ସଫର୍ମର ଉପୁଡି ପଡିବା ଫଳରେ ବିଦ୍ୟୁତ ସରବରାହ ସମ୍ପୂର୍ଣ୍ଣ ବନ୍ଦ ରହିଛି ।
ବିଭିନ୍ନ ସ୍ଥାନରେ ଦମକଳ ବାହିନୀ ନିୟୋଜିତ ହୋଇ ରାସ୍ତାରୁ ଗଛ କାଟି ସଫା କରୁଥିବା ଦେଖିବାକୁ ମିଳିଛି । ଆଳି ଓ ରାଜକନିକା ବ୍ଲକରେ ୯ଟି ଘରର ଛପର ଉଡିଯାଇଥିବାବେଳେ ନାଗପଡା ଗାଁର ଜଣେ ମହିଳା ଆହତ ହୋଇଛନ୍ତି । କଟକ-ଚାନ୍ଦବାଲି ରାସ୍ତା ଉପରେ ଅନେକ ଗାଡ଼ି ଓଲଟି ପଡିଥିବା ସୂଚନା ମିଳିଛି । ପବନର ପ୍ରବାହ ତୀବ୍ର କାରଣରୁ ଆଳିର ବାଳକାଟି ଓ ମହାକାଳପଡ଼ାର ବିଜୟନଗର ଆଦି ସ୍ଥାନରେ ୫ଟି ଆଜବେଷ୍ଟସ ଘର ଭାଙ୍ଗିଥିବା ଜଣାପଡିଛି । ହେଲେ ଘଟଣାସ୍ଥଳରେ ଏଯାବତ୍ କୌଣସି ପ୍ରଶାସନିକ ଅଧିକାରୀ କିମ୍ବା ରାଜସ୍ୱ ବିଭାଗ ଅଧିକାରୀ ପହଞ୍ଚି ନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି ।
ଇଟିଭି ଭାରତ, କେନ୍ଦ୍ରାପଡା