ନାବାଳକ ଛୁରା ମାଡରେ ନାବାଳିକା ଗୁରୁତର, ଆକ୍ରମଣର କାରଣ ଅସ୍ପଷ୍ଟ - ଆକ୍ରମଣର କାରଣ ଅସ୍ପଷ୍ଟ
🎬 Watch Now: Feature Video
କେନ୍ଦ୍ରାପଡା: ନାବାଳକର ଛୁରା ମାଡରେ ନାବାଳିକା ଛାତ୍ରୀ ଗୁରୁତର । ସଙ୍କଟାପନ୍ନ ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ଛାତ୍ରୀଙ୍କ ଚିକିତ୍ସା ଜାରି ରହିଛି । ଛୁରାମାଡର ପ୍ରକୃତ କାରଣ ଅସ୍ପଷ୍ଟ । ଏକତରଫା ପ୍ରେମ କରି ବିଫଳ ହେବା ପରେ ନାବାଳକ ଜଣକ ଏଭଳି କାଣ୍ଡ ଭିଆଇଥିବା ସ୍ଥାନୀୟ ଲୋକେ ଆଶଙ୍କା କରିଛନ୍ତି । ସୂଚନାନୁଯାୟୀ, କେନ୍ଦ୍ରାପଡା ପାଟକୁରା ଥାନା ଅଧିନ ଏକ ଗାଁର ଜନୈକା ନାବାଳିକା ଛାତ୍ରୀ ସ୍ଥାନୀୟ ଏକ କମ୍ପ୍ୟୁଟର ଟ୍ରେନିଂ ସେଣ୍ଟରରେ ପାଠ ପଢ଼ନ୍ତି । ଗତକାଲି ସନ୍ଧ୍ୟାରେ ଛାତ୍ରୀ ଜଣଙ୍କ ଟ୍ରେନିଂ ସେଣ୍ଟରରୁ ଫେରୁଥିଲା । ନଦୀବନ୍ଧ ରାସ୍ତା ଦେଇ ଘରକୁ ଫେରୁଥିବା ବେଳେ ନାବାଳକ ଜଣଙ୍କ ଛାତ୍ରୀଙ୍କ ଉପରକୁ ମରଣାନ୍ତକ ଆକ୍ରମଣ କରିଥିଲା । ଛାତ୍ରୀ ଜଣଙ୍କର ବାମ ହାତ, ବେକ ଓ କାନ୍ଧରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ଛାତ୍ରୀ ଜଣଙ୍କ ଚିତ୍କାର କରିବାରୁ ତାଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଦୌଡ଼ି ଆସି ନାବାଳକକୁ କାବୁ କରିଥିଲେ । ତୁରନ୍ତ ଛାତ୍ରୀଙ୍କୁ ଆମ୍ବୁଲାନ୍ସ ଯୋଗେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ପ୍ରାଥମିକ ଚିକିତ୍ସା ପରେ ଛାତ୍ରୀଜଣଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି । ପାଟକୁରା ପୋଲିସ ଅଭିଯୁକ୍ତ ନାବାଳକକୁ ଥାନାରେ ଅଟକ ରଖିଥିବା ବେଳେ ଘଟଣାକୁ ନେଇ ତଦନ୍ତ ଚଳାଇଛି ।
ଇଟିଭି ଭାରତ, କେନ୍ଦ୍ରାପଡା