କଟକ/ଯାଜପୁର: ପ୍ରଭୁ ଯୀଶୁଙ୍କ ଧରାପୃଷ୍ଠକୁ ଆଗମନକୁ ନେଇ ଉତ୍ସବମୁଖର ଗାଁଠୁ ସହର । ଶାନ୍ତି, ପ୍ରେମ, ମୈତ୍ରୀର ବାର୍ତ୍ତା ନେଇ ସବୁଠି ଧୁମଧାମରେ ପାଳନ ହେଉଛି ମେରି ଖ୍ରୀଷ୍ଟମାସ । ଆଲୋକମାଳାରେ ଝଲସି ଉଠିଛି ଚର୍ଚ୍ଚ । ସମୂହ ପ୍ରାର୍ଥନା କରିବା ସହ ଘରେ ଘରେ ଦେଖିବାକୁ ମିଳିଛି ଉତ୍ସବର ମାହୋଲ ।
ସିଲଭରସିଟିରେ ଖ୍ରୀଷ୍ଟମାସ ପାଳିତ
ସିଲଭରସିଟିରେ ପାଳିତ ହେଲା ବଡ଼ ଦିନ । ଶାନ୍ତି, ପ୍ରେମ, ମୈତ୍ରୀର ବାର୍ତ୍ତା ନେଇ ଭାଇଚାରାର ସହର କଟକରେ ଖ୍ରୀଷ୍ଟମାସ ପର୍ବ ପାଳନ ହୋଇଛି । ପ୍ରଭୁ ଯୀଶୁଙ୍କ ଧରାବତରଣ ପାଇଁ ସୁନ୍ଦର ଭାବରେ ସଜେଇ ହୋଇଛି ସାଂସ୍କୃତିକ ପ୍ରାଣକେନ୍ଦ୍ର ରୌପ୍ୟ ନଗରୀ କଟକ ସହରରେ ସମସ୍ତ ଚର୍ଚ୍ଚ । ଏହାସହ ବିଭିନ୍ନ ଆଲୋକ ମାଲରେ ଝଲସି ଉଠିଛି ସାରା ସହର । ପ୍ରଭୁ ଯୀଶୁ ଜନ୍ମ ନେଇ ଥିବା ପବିତ୍ର ଗୁହାଳ ଠାରୁ ଆରମ୍ଭ କରି ଚର୍ଚ୍ଚ ମୁଖଶାଳା ପର୍ଯ୍ୟନ୍ତ ସବୁ ଦେଖିବା ପାଇଁ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼ ।
ସଜେଇ ହୋଇଛି ଚର୍ଚ୍ଚ
ରାତି ୧୨ ବାଜିବା କ୍ଷଣି ସମସ୍ତେ ସମସ୍ତଙ୍କୁ କରିଥିଲେ ବଡ଼ଦିନର ଶୁଭେଚ୍ଛା । ଚର୍ଚ୍ଚରେ ସମୂହ ପ୍ରାର୍ଥନା କରିବା ପରେ ଘରେ ଘରେ ଦେଖିବାକୁ ମିଳିଥିଲା ଉତ୍ସବର ମାହୋଲ ।ଖ୍ରୀଷ୍ଟଧର୍ମାବଲମ୍ବୀ ଭାଇଭଉଣୀମାନେ କ୍ରିସମାସ ପାଇଁ କଟକ ସହରର ଥିବା କ୍ୟାଥୋଲିକ୍ ଚର୍ଚ୍ଚ, ବାପଟିଷ୍ଟ ଚର୍ଚ୍ଚ ଏବଂ ଅନ୍ୟାନ୍ୟ ଚର୍ଚ ଗୁଡିକରେ ଏକାଠି ହୋଇ ସମୂହ ପାର୍ଥନା କରିଛନ୍ତି । କେବଳ ଖ୍ରୀଷ୍ଟିୟାନ ଧର୍ମାବଲମ୍ବୀ ନୁହନ୍ତି, ଭାଇଚାରାର ସହର କଟକରେ ଅନ୍ୟାନ୍ୟ ସଂପ୍ରଦାୟ ଲୋକ ମଧ୍ୟ ସାମିଲ ହୋଇଛନ୍ତି ଏହି ବଡଦିନ ପର୍ବରେ । ସମସ୍ତ ଏକାଠି ହୋଇ କ୍ୟାରୋଲ ଗାନ କରିଛନ୍ତି । ଏହାସହ ପରସ୍ପରକୁ ଏହି ପବିତ୍ର କ୍ରିସମାସରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।
ଏହାମଧ୍ୟ ପଢନ୍ତୁ... |
ସମାଜର ମଙ୍ଗଳ ପାଇଁ ସମୂହ ପ୍ରାର୍ଥନା ସଭା
ସେହିପରି ଯାଜପୁର ଜିଲ୍ଲାରେ ମଧ୍ୟ ପାଳନ ହୋଇଯାଇଛି ବଡଦିନ । ବ୍ୟାସନଗର ପୌର ପରିଷଦ କହ୍ନେଇପୁର ସ୍ଥିତ ଚର୍ଚ୍ଚରେ ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ପକ୍ଷରୁ ପବିତ୍ର ଖ୍ରୀଷ୍ଟମାସ ପାଳିତ ହେଇଯାଇଛି l ସମାଜରେ ଶାନ୍ତି ମୈତ୍ରୀ ଓ ସଦଭାବନା ରଖିବା ପାଇଁ ପ୍ରଭୁ ଯୀଶୁଙ୍କ ନିକଟରେ କ୍ୟାଣ୍ଡେଲ ଜାଳି ସମୂହ ପ୍ରାର୍ଥନା କରିଛନ୍ତି ଖ୍ରୀଷ୍ଟିୟାନ ଭାଇଭଉଣୀମାନେ l ଆନନ୍ଦ ଉଲ୍ଲାସର ସହ ପାଳନ ହୋଇଛି ବଡ଼ଦିନ ।
ଇଟିଭି ଭାରତ, କଟକ/ ଯାଜପୁର