ବାଟରେ ଜଗି ବସିଥିଲା ଯମ, ଟ୍ରକରେ ଚାପି ହୋଇ ଚାଲିଗଲା ଦମ୍ପତିଙ୍କ ଜୀବନ
🎬 Watch Now: Feature Video
ଅନୁଗୋଳ: ହସ୍ପିଟାଲରୁ ଫେରିବା ବେଳେ ଚାଲିଗଲା ଦମ୍ପତିଙ୍କ ଜୀବନ । ଦୁଇ ଟ୍ରକ ମଝିରେ ଚାପିହୋଇ ସ୍ୱାମୀ ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି । ଯାହାକୁ ନେଇ ପ୍ରାୟ 3 ଘଣ୍ଟା କାଳ ରାସ୍ତାରୋକ ହୋଇଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ, ଅନୁଗୋଳ ଦେଇ ଯାଇଥିବା ଜାତୀୟ ରାଜପଥ ୫୫ରେ ଆଜି ପୁଣି ଏକ ଦୁର୍ଘଟଣା ଘଟି ସ୍ୱାମୀ-ସ୍ତ୍ରୀଙ୍କ ଜୀବନ ଯାଇଛି । ଦୁଇ ଟ୍ରକ ମଝିରେ ଚାପି ହୋଇ ଉଭୟଙ୍କ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ମୃତକ ଦୁହେଁ ଗୁରଙ୍ଗ ଦେହୁରୀସାହିର ଅକ୍ଷୟ ବେହେରା ଓ ତାଙ୍କ ସ୍ତ୍ରୀ ମମତା ବେହେରା ବୋଲି ଜଣାପଡିଛି ।
ସୂଚନା ଅନୁସାରେ, ଏହି ଦମ୍ପତି ମୋଟରସାଇକେଲ ଯୋଗେ ଅନୁଗୋଳ ସ୍ଥିତ ଏକ ଘରୋଇ ହସ୍ପିଟାଲରରୁ ସମ୍ବଲପୁର ଆଡକୁ ଯାଉଥିଲେ । ତାଙ୍କ ଆଗରେ ଏକ ଟ୍ରକ ଥିବାବେଳେ ପଛରୁ ଆସୁଥିବା ଆଉ ଏକ ଟ୍ରକ ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ ଧକ୍କା ଦେଇ ଆଗରେ ଯାଉଥିବା ଟ୍ରକ ପଛରେ ବାଡେଇ ହୋଇଥିଲା । ଫଳରେ ଦୁଇ ଟ୍ରକ ମଝିରେ ଚାପି ହୋଇ ଘଟଣା ସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା । ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଦୀର୍ଘ ସମୟ ଧରି ଯାନବାହନ ଅଟକି ରହିଥିଲା। ଖବର ପାଇ ଅନୁଗୋଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛି ।
ଇଟିଭି ଭାରତ, ଅନୁଗୋଳ