ଗଛ ପ୍ରେମୀ ଗଙ୍ଗାଧର, ୨୩ ବର୍ଷ ଧରି ହଜାର ହଜାର ଗଛ ଲଗାଇ ପାଲଟିଛନ୍ତି ଉଦାହରଣ

By

Published : Aug 17, 2023, 8:11 PM IST

thumbnail

ବାଲେଶ୍ବର: ବୃକ୍ଷ ହିଁ ମଣିଷର ବନ୍ଧୁ । ପରିବେଶକୁ ସୁରକ୍ଷା ଦେଲେ ମଣିଷ ନିଜେ ସୁରକ୍ଷିତ ରହି ପାରିବ । ଏପରି ଚିନ୍ତାଧାରା ନେଇ ହଜାର ହଜାର ଗଛ ଲଗାଇ ଚାଲିଛନ୍ତି କୌଣସି ସମାଜସେବୀ କି ଯୁବପିଢି ନୁହଁନ୍ତି 70 ବର୍ଷର ବୃଦ୍ଧ ଗଙ୍ଗାଧର ରାଉଳ । ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ ପିଠାଖିଆପଦା ଗ୍ରାମର ଗଙ୍ଗାଧର ରାଉଳ ପରିଣତ ବୟସରେ ମଧ୍ୟ ଥକିଯାଇ ନାହିଁନ୍ତି କି ଗଛ ପ୍ରିତୀକୁ ପାସୋରି ଦେଇ ନାହିଁନ୍ତି । ଗଛ ହିଁ ଜୀବନ କଥାଟିକୁ ଜୀବନର ବ୍ରତ କରି ନେଇ ନିଜେ ଗଛ ଲଗାଇବା ସହ ଯୁବପିଢୀଙ୍କୁ ଗଛ ଲଗାଇବା ପାଇଁ ପ୍ରେରଣା ଦେଇଛନ୍ତି ।  


ଗଙ୍ଗାଧର ରାଉଳ ଆଜିକି କାଲି ନୁହେଁ ବରଂ ୨୩ ବର୍ଷ ଧରି ହଜାର ହଜାର ଗଛ ଲଗାଇ ଆସୁଛନ୍ତି । ସେଥିମଧ୍ୟରୁ ଅନେକ ଏବେ ବିଶାଳକାୟ ବୃକ୍ଷ ଆକାରରେ ସବୁଠି ଠିଆ ହୋଇଛି । ଶାଖା ପ୍ରଶାଖା ମେଲାଇ ସେହି ଗଛଗୁଡ଼ିକ ପତ୍ର, ଫୁଲ ଓ ଫଳରେ ଭରି ରହିଛନ୍ତି । ରାସ୍ତା, ଜାତୀୟ ରାଜପଥ ମନ୍ଦିର, ଓ ସ୍କୁଲଗୁଡ଼ିକରେ ବିଭିନ୍ନ ପ୍ରକାରର ଗଛ ଲଗାଇଛନ୍ତି ଗଙ୍ଗାଧର। ଖାଲି ସେତିକି ନୁହେଁ ଗଛ ଲଗାଇବା ସାଙ୍ଗକୁ ଗୀତ ଗାଇବା, ଗାଁ ତଥା ଗଛକୁ ନେଇ କବିତା ଲେଖିବା ସହ ବିଭିନ୍ନ ବାଦ୍ୟଯନ୍ତ୍ର ବଜାଇ ଥାଆନ୍ତି । ପରିବେଶ ଉପରେ ଗୀତ ଓ କବିତା ଲେଖିବା ସହ ଗଛ ଲଗାଇବା ପାଇଁ ସମସ୍ତଙ୍କୁ ସେ ଆହ୍ୱାନ ଦେଇଥାଆନ୍ତି । ନିଜ ଅଞ୍ଚଳର ପିଲାମାନଙ୍କୁ ପରିବେଶ ସଂକ୍ରାନ୍ତୀୟ ଗୀତ ଶିଖାଇବା, ଗଛପତ୍ରର ଚିତ୍ର ଆଙ୍କିବା ସହିତ ଖଞ୍ଜଣି, ଦାସକାଠିଆ, ମୃଦଙ୍ଗ ପ୍ରଭୃତି ବାଦ୍ୟ ଯନ୍ତ୍ର ବଜାଇବା ତାଙ୍କର ଅନ୍ୟ ଏକ ନିଶା । ଏପରି ଜଣେ ଗଛ ପ୍ରେମୀ ତଥା ପ୍ରକୃତି ପ୍ରେମୀ ମଣିଷଙ୍କୁ ବିଭିନ୍ନ ସଂଗଠନ, ଜିଲ୍ଲା କୃଷି କାର୍ଯ୍ୟାଳୟରୁ ମଧ୍ୟ ସମ୍ମାନିତ କରାଯାଇଛି । ଗଙ୍ଗାଧରଙ୍କ ଏମିତି ପ୍ରୟାସ ଆଜି ତାଙ୍କ ଅଞ୍ଚଳରେ ତାଙ୍କୁ ସ୍ୱତନ୍ତ୍ର ପରିଚୟ ଦେବାସହ ଗାଁରେ ଆଜି ସବୁଜ ପରିବେଶ ସୃଷ୍ଟି ହୋଇ ପାରୁଛି ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.