ରାଜ୍ୟରେ ୧୪ଟି ସାମୁଦ୍ରିକ ଓ ନଦୀଭିତ୍ତିକ ବନ୍ଦର ପାଇଁ ସ୍ଥାନ ନିରୂପଣ ହୋଇଛି: ବାଣିଜ୍ୟ ମନ୍ତ୍ରୀ - ରାଜ୍ୟରେ କୌଣସି ଅନ୍ତର୍ଦେଶୀୟ ଜଳପଥ ବନ୍ଦର ନାହିଁ
🎬 Watch Now: Feature Video
ଭୁବନେଶ୍ବର: ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ବଜେଟ ଅଧିବେଶନର ଆଜି ପ୍ରଶ୍ନକାଳରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି । ଆଜି ପ୍ରଶ୍ନକାଳରେ ବିଜେପି ବିଧାୟକ ଭାସ୍କର ମଢେଇ ଅନ୍ତର୍ଦେଶୀୟ ଜଳପଥ ବନ୍ଦର ସମ୍ପର୍କରେ ପ୍ରଶ୍ନ କରିଥିଲେ । ବିଧାୟକ ପଚାରିଥିଲେ, ରାଜ୍ୟରେ ଅନ୍ତର୍ଦେଶୀୟ ଜଳପଥ ବନ୍ଦର କିପରି କାର୍ଯ୍ୟକ୍ଷମ ଅଛି । ନୂତନ ଭାବେ କେତୋଟି ବନ୍ଦର ନିର୍ମାଣ କରାଯିବ ଓ ତା'ର ଭିତ୍ତିଭୂମି ପାଇଁ କେତେ ଅର୍ଥ ବିନିଯୋଗ କରାଯାଉଛି ।
ଉତ୍ତରରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ କହିଥିଲେ ଯେ, ବର୍ତ୍ତମାନ ରାଜ୍ୟରେ କୌଣସି ଅନ୍ତର୍ଦେଶୀୟ ଜଳପଥ ବନ୍ଦର କାର୍ଯ୍ୟକ୍ରମ ନାହିଁ । ୧୪ଟି ଅଣବୃହତ ସାମୁଦ୍ରିକ ଓ ନଦୀଭିତ୍ତିକ ବନ୍ଦର ନିର୍ମାଣ ପାଇଁ ରାଜ୍ୟ ସରକାର ସ୍ଥାନ ନିରୂପଣ କରି ବିଜ୍ଞପ୍ତି କରିଥିଲେ । ସେଥିମଧ୍ୟରୁ ଦୁଇଟି ଅଣବୃହତ ବନ୍ଦର ଧାମରା ଓ ଗୋପାଳପୁର କାର୍ଯ୍ୟକ୍ଷମ ଅଛି । ସୁବର୍ଣ୍ଣରେଖା ମୁହାଣ ଓ ଅସ୍ତରଙ୍ଗ ଠାରେ ଅନ୍ୟ ଦୁଇଟି ଅଣବୃହତ ବନ୍ଦର ପ୍ରତିଷ୍ଠା ନିମନ୍ତେ କାର୍ଯ୍ୟ ଜାରି ରହିଛି ।
ଏତଦବ୍ୟତୀତ ୧୦ଟି ସ୍ଥାନରେ ଯଥା ବାଲେଶ୍ବର ଜିଲ୍ଲାର ବିଚିତ୍ରପୁର, ବାହାବଳପୁର, ଚାନ୍ଦିପୁର ଓ ଇଞ୍ଚୁଡି, ଭଦ୍ରକ ଜିଲ୍ଲାର ଚୁଡାମଣି, ଜଗତସିଂହପୁରର ଜଟାଧାର ମୁହାଣ, ପୁରୀ ଜିଲ୍ଲାର ଅସ୍ତରଙ୍ଗ ଓ ବାଲି ହରଚଣ୍ଡୀ, ଗଞ୍ଜାମ ଜିଲ୍ଲାର ବାଲୁର ଓ ବାହୁଦା ମୁହାଣ ଠାରେ ସାମୁଦ୍ରିକ ଅଣବୃହତ ବନ୍ଦର ଏବଂ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକର ମହାନଦୀର ବାମପାର୍ଶ୍ବରେ ଥିବା ଆଖଡାଶାଳି ଗ୍ରାମ ନିକଟରେ ଏକ ନଦୀ ଭିତ୍ତିକ ବନ୍ଦର ନିର୍ମାଣ ପାଇଁ ସରକାର ବିହିତ ପଦକ୍ଷେପ ଗ୍ରହଣ କରୁଛନ୍ତି ।
ରାଜ୍ୟରେ ସମସ୍ତ ଅଣବୃହତ ବନ୍ଦରର ବିକାଶ କାର୍ଯ୍ୟ ସରକାରୀ ଓ ଘରୋଇ ସହଭାଗିତାରେ କରାଯାଉଛି । ଏହି ସମସ୍ତ ଅଣବୃହତ ବନ୍ଦର ପ୍ରତିଷ୍ଠା ନିମନ୍ତେ ରାଜ୍ୟ ସରକାର ଲିଜ୍ ସୂତ୍ରରେ କେବଳ ଜମି ଯୋଗାଇ ଦେଉଛନ୍ତି । ନୂତନ ଭାବରେ ନିର୍ମାଣ ହେବାକୁ ଥିବା ବନ୍ଦରର ଭିତ୍ତିଭୂମି ବିକାଶ ନିମନ୍ତେ ରାଜ୍ୟ ସରକାର ସୁବିଧା ପ୍ରଦାନ କରିଛନ୍ତି । ସରକାର ଆଇଆଇଟି ମାଡ୍ରାସ ସହଯୋଗରେ ୧୩ଟି ଚିହ୍ନିତ ସ୍ଥାନ ଗୁଡିକରେ ଅଣବୃହତ ବନ୍ଦରର ସୁବ୍ୟବସ୍ଥାକରଣ ପାଇଁ ମୋଟ ୧୬ କୋଟି ୮୫ ଲକ୍ଷ ୪୦୦ ଟଙ୍କା ବ୍ୟୟବରାଦ ହୋଇଛି ବୋଲି ମନ୍ତ୍ରୀ ଉତ୍ତର ରଖିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର