ବିସ୍ମୟ ପ୍ରତିଭା, ୧୦ବର୍ଷ ବାଳକ ମୁଁହରେ ଅନର୍ଗଳ ଶ୍ଳୋକ ଏବଂ ପ୍ରବଚନ - ୧୦ବର୍ଷ ବାଳକ ମୁଁହରେ ଅନର୍ଗଳ ଶ୍ଳୋକ ଏବଂ ପ୍ରବଚନ
🎬 Watch Now: Feature Video
ଖୋର୍ଦ୍ଧା: ବୟସ ମାତ୍ର ୧୦ ବର୍ଷ । ହେଲେ ତାଙ୍କ ଜ୍ଞାନର ପରିମାପ ଅମାପ । ଶିବ ତାଣ୍ଡବ ଶ୍ଳୋକ ହେଉକି ମହା ମୃତ୍ୟୁଞ୍ଜୟ ମନ୍ତ୍ର, ସେ ହନୁମାନ ଚାଳିଶା ହେଉକି, ପୁରାଣ ଭାଗବତ ପଂକ୍ତି । ଆନାୟାସରେ କହିପାରନ୍ତି ସେ । ବିନା ଦ୍ବିଧାରେ ଅନର୍ଗଳ ଦେଇ ଚାଲନ୍ତି ପ୍ରବଚନ । ଯିଏ ଶୁଣୁଛି, ଆଶ୍ଚର୍ଯ୍ୟ ହୋଇ ଘଡ଼ିଏ କୁନି ମୁହଁକୁ ଚାହିଁ ରହୁଛି । ଖୋର୍ଦ୍ଧା ଜିଲ୍ଲାର ୧୦ ବର୍ଷୀୟ ବାଳକ ସ୍ବୟଂ ସମ୍ଭମ୍ ପଶ୍ଚିମ କବାଟଙ୍କ ପାଖରେ ଏହି ବିସ୍ମୟ ପ୍ରତିଭା ଦେଖିବାକୁ ମିଳିଛି । ବାପା ସନ୍ତୋଷ କୁମାର ପଶ୍ଚିମ କବାଟ ଏବଂ ମାତା ଇପ୍ସିତା ପ୍ରଧାନଙ୍କ ଏକମାତ୍ର ସନ୍ତାନ । ଖୋର୍ଦ୍ଧାର ଏକ ଘରୋଇ ଇଂଲିଶ ମିଡିୟମ୍ ସ୍କୁଲର ପଞ୍ଚମ ଶ୍ରେଣୀର ଛାତ୍ର ସ୍ବୟଂ । ଶିବ ତାଣ୍ଡବ ଶ୍ଳୋକ, ମହା ମୃତ୍ୟୁଞ୍ଜୟ ମନ୍ତ୍ର, ଗାୟତ୍ରୀ ମନ୍ତ୍ର, ହନୁମାନ ଚାଳିଶା ଆହୁରି କେତେ ଛୋଟ ବଡ ଶ୍ଳୋକ, ସ୍ତୋତ୍ର, ଗୀତା, ଭାଗବତକୁ ମନ୍ଦିର ବେଢ଼ାରେ ବସି ନିର୍ଭୁଲ ଭାବେ ଗାଇଚାଲୁଛନ୍ତି ସ୍ବୟଂ । ବେଶ ପୋଷାକରେ ମଧ୍ୟ ନିଆରା ପରିବର୍ତ୍ତନ । ସନ୍ଧ୍ୟା ହେଲେ ଧୋତି ପରିଧାନ କରି ମନ୍ଦିର ବେଢାରେ ବସି ବିଭିନ୍ନ ଶ୍ଲୋକ ଆବୃତି କରିଥାନ୍ତି । ଆଉ କୁନି ତୁଣ୍ଡରେ ପ୍ରବଚନ ଶୁଣିବା ପାଇଁ ଲୋକଙ୍କ ମଧ୍ୟ ବେଶ ଭିଡ଼ ଲାଗୁଛି । ଅଳ୍ପ ବୟସରୁ ସ୍ବୟଂଙ୍କ ଏହି ଆଧ୍ୟାତ୍ମିକ ଚିନ୍ତାଧାରା ପାଇଁ ପରିବାର ଲୋକେ ମଧ୍ୟ ଖୁସି ଅନୁଭବ କରିଛନ୍ତି ।
ଇଟିଭି ଭାରତ, ଖୋର୍ଦ୍ଧା