ଯଦି ଆପଣଙ୍କର ଚାପ ସ୍ତର କମ୍ ରହୁଛି, ତେବେ ଆପଣ କମ୍ ଫାଷ୍ଟ ଫୁଡ୍ ଖାଇବାର ସମ୍ଭାବନା ରହିଛି । ଏଭଳି ସମ୍ଭାବନା ନେଇ ନୂଆ ତଥ୍ୟ ପ୍ରକାଶ ପାଇଛି । ଫାଷ୍ଟ ଫୁଡ୍ ସମେତ ଅଧିକ ଚର୍ବିଯୁକ୍ତ ଖାଦ୍ୟ କମ୍ ପରିମାଣରେ ଖାଉଥିବା ବ୍ୟକ୍ତି କମ୍ ଚାପ ଅନୁଭବ କରନ୍ତି । ଅଧିକ ଚର୍ବିଯୁକ୍ତ ଓ ଫାଷ୍ଟ ଫୁଡ୍ ଖାଇବା ସହିତ ଜଣଙ୍କର ମାନସିକ ଚାପର ସ୍ତର କିପରି ଯୋଡ଼ା ଯାଇପାରେ ତାହାକୁ ନେଇ ହୋଇଥିବା ଗବେଷଣାରୁ ଏପରି ତଥ୍ୟ ବାହାରିଛି।
ଓହିଓ ଷ୍ଟେଟ୍ ୟୁନିଭର୍ସିଟିର ପ୍ରମୁଖ ପ୍ରଫେସର ମି-ୱି ଚାଙ୍ଗ କହିଛନ୍ତି ଯେ, ଚାପ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ମହିଳାମାନଙ୍କ ଚାଲିଚଳଣିକୁ ନେଇ ଏକ ଭିଡିଓ କରାଯାଇଥଇଲା ଏବଂ ଭିଡିଓରେ ସେମାନଙ୍କ ପରିବାର ସହିତ ସେମାନଙ୍କର ପାରିବାରିକ ସମ୍ପର୍କ ଦେଖାଇଥିଲୁ । ଯେଉଁମାନଙ୍କୁ ନେଇ ଏହି ଭିଡିଓ କରିଥିଲୁ ତାହା ଦେଖିବା ପରେ ସେମାନଙ୍କ ମଧ୍ୟରୁ ଅନେକ କହିଛନ୍ତି, ‘ପ୍ରଥମ ଥର ପାଇଁ ମୁଁ ଅନୁଭବ କଲି ଯେ ମୁଁ ଏତେ ଚାପଗ୍ରସ୍ତ’ – କାରଣ ସେମାନେ ଏକ ଚାପଗ୍ରସ୍ତ ଜୀବନ ବିତାଇଛନ୍ତି । ଚାଙ୍ଗ ଆହୁରି ବି କହିଛନ୍ତି, ଏହି ମହିଳାମାନଙ୍କ ମଧ୍ୟରୁ ଅନେକ ଅଧୈର୍ଯ୍ୟ ଲାଗିବା, ମୁଣ୍ଡ ଓ ବେକରେ ଯନ୍ତ୍ରଣା ଏବଂ ନିଦ ନ ହେବା ବିଷୟରେ ଜାଣିଛନ୍ତି, କିନ୍ତୁ ସେମାନେ ଜାଣନ୍ତି ନାହିଁ ଯେ ଏସବୁ ହେଉଛି ଚାପର ଗୋଟିଏ ଗୋଟିଏ ଲକ୍ଷଣ । ଅଧ୍ୟୟନ ତଥ୍ୟର ବିଶ୍ଲେଷଣରୁ ଜଣାପଡ଼ିଛି ଯେ, ଯେଉଁ ଚାପଗ୍ରସ୍ତ ମହିଳାମାନଙ୍କୁ ନେଇ ଗବେଷଣା କରାଯାଇଥିଲା, ସେମାନେ ପରବର୍ତ୍ତୀ ଅବସ୍ଥାରେ ଜାଣିବାକୁ ପାଇଥିଲେ ଯେ ଅଧିକ ଚର୍ବିଯୁକ୍ତ ଓ ଫାଷ୍ଟ ଫୁଡ୍ ଖାଇବା କମାଇବା ହେଉଛି ସେମାନଙ୍କ ଉପରୁ ଚାପ ହ୍ରାସ ହେବାର ମୁଖ୍ୟ କାରଣ ।
ଏହା ନୁହେଁ ଯେ ଏହି ମହିଳାମାନେ ସ୍ବାସ୍ଥ୍ୟକର ଖାଦ୍ୟ ଖାଇବାକୁ ଚାହୁଁ ନଥିଲେ । ଯଦି ଆପଣ ଜାଣି ନାହାଁନ୍ତି ଚାପକୁ କିପରି ପରିଚାଳନା କରିବେ, ସେ ସମୟରେ ଆପଣ ଚାପମୁକ୍ତ ରହିଲେ ଆପଣ କାହିଁକି କଣ ଖାଉଛନ୍ତି ସେ ନେଇ ଯତ୍ନବାନ ରହିବେ ବୋଲି ଚାଙ୍ଗ କହିଛନ୍ତି ।
ନ୍ୟୁଟିଏଣ୍ଟସ ପତ୍ରିକାରେ ପ୍ରକାଶିତ ଏହି ଅଧ୍ୟୟନ ପ୍ରସ୍ତୁତ କରିବାରେ 18 ରୁ 39 ବର୍ଷ ବୟସ ମଧ୍ୟରେ 338 ଜଣ ଅଧିକ ଓଜନ କିମ୍ବା ମେଦବହୁଳ ମାଆଙ୍କୁ ସାମିଲ କରାଯାଇଥିଲା । ଚାପ ପରିଚାଳନା, ସୁସ୍ଥ ଖାଦ୍ୟ ଏବଂ ଶାରୀରିକ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରି ଓଜନ ବୃଦ୍ଧି ରୋକିବା ସକାଶେ 16 ସପ୍ତାହର ଏକ କାର୍ଯ୍ୟକ୍ରମ କରାଯାଇଥିଲା । ଏହି ଅନୁଧ୍ୟାନରେ 212 ଜଣ ଅଂଶଗ୍ରହଣ କରିଥିଲେ । ସେମାନେ ମୋଟ 10ଟି ଭିଡିଓ ଦେଖିଥିଲେ । ଭିଡିଓରେ ସେମାନଙ୍କ ପରି ମହିଳାମାନେ ସୁସ୍ଥ ଖାଦ୍ୟ ରାନ୍ଧିବା ଓ ଖାଇବା, ଚାପ ପରିଚାଳନା ଏବଂ ଶାରୀରିକ ଚଳଚଞ୍ଚଳ ରହିବା ନେଇ ସେମାନଙ୍କର ଅଲିଖିତ ବୟାନ ରଖିଥିଲେ ।