ଭବାନୀପାଟଣା: ଆସୁଛି ଭାଇଚାରା ଓ କୃଷି ଭିତ୍ତିକ ମହାନ ପର୍ବ ପୁଷ୍ପୁନି । ନୂଆଖାଇ ପରେ ପୁଷ୍ପୁନି ହେଉଛି ପଶ୍ଚିମ ଓଡ଼ିଶାର ଅନ୍ୟ ଏକ ଗଣପର୍ବ । ନୂଆଖାଇ ଦିନ ଅମଳ ଧାନକୁ ଇଷ୍ଟଦେବୀଙ୍କ ଠାରେ ପୂଜାର୍ଚ୍ଚନା କରି ଚାଷୀ ପର୍ବ ପାଳନ କରୁଥିବା ବେଳେ ପୁଷ୍ପୁନି ଦିନ ଚାଷ କାମ ଭଲରେ ସରିଯାଇଥିବାରୁ ପୁଷ୍ପୁନି ପର୍ବ ପାଳନ କରାଯାଏ । ପଶ୍ଚିମ ଓଡ଼ିଶାର ଜନସାଧାରଣଙ୍କ ମୁଖ୍ୟ ଜୀବିକା କୃଷି ହୋଇଥିବାରୁ ଏହି ପର୍ବଟି କୃଷି ସହିତ ଜଡ଼ିତ । ଆଉ ଏହାକୁ ନେଇ ପଶ୍ଚିମ ଓଡ଼ିଶାରେ ଆରମ୍ଭ ହେଲାଣି ସାଜସଜ୍ଜା । କଳାହାଣ୍ଡି ଜିଲ୍ଲାର ଗାଁ ଗାଁରେ ଜମିଲାଣି ନାଚଗୀତର ଆସର ।
ତେବେ ପୌଷ ପୂର୍ଣ୍ଣିମାକୁ ପୁଷ୍ପୁନି କୁହାଯାଏ । ପୁଷ୍ପୁନି ହେଉଛି ଏକ କୃଷି ଭିର୍ତ୍ତିକ ପର୍ବ । ଚାଷୀର ବର୍ଷକର ଚାଷ କାମ ସରି ଯାଇଥାଏ ଓ ଭଲ ଅମଳରୁ ଦୁଇ ପଇସା ରୋଜଗାର ମଧ୍ୟ ହୋଇଥାଏ । ଆଉ ଏହି ଖୁସିରେ ଚଷା ପୁଅ ପାଳନ କରେ ପୁଷ୍ପୁନି ପର୍ବ । ଏହି ପର୍ବକୁ ପାଳନ କରିବା ପାଇଁ ଏବେ ଠାରୁ ଆଦିବାସୀଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି । ଗାଁ ଗାଁରେ ଆରମ୍ଭ ହୋଇଛି ନାଚ ଗୀତର ଆସର । କଳାହାଣ୍ଡି ଜିଲ୍ଲାର କୃଷି ଭିତ୍ତିକ ପର୍ବମାନଙ୍କ ମଧ୍ୟରେ ପୁଷ୍ପୁନି ହେଉଛି ଅନ୍ୟତମ । କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାର ସୀମାନ୍ତ ଇଲାକା ଲାହାଡ଼ି ଗାଁରେ ଏବେ ମଧ୍ୟ ବଞ୍ଚି ରହିଛି ଏହି ପରମ୍ପରା । ପୁଷ୍ପୁନି ପୂର୍ବରୁ ଗାଁର ମହିଳାମାନଙ୍କ ମଧ୍ୟରେ ଖଲି ସିଲେଇ, ଝୋଟି ଓ ଯୁବକମାନଙ୍କ ମଧ୍ୟରେ ବିଭିନ୍ନ ଖେଳ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ପରେ ପରେ ନାଚ ଗୀତରେ ମସଗୁଲ ହୋଇଥିଲେ ଆଦିବାସୀ ।
ଏହା ମଧ୍ୟ ପଢ଼ନ୍ତୁ... ସୁଲିଆ ଯାତ୍ରା; ଆଦିବାସୀଙ୍କ ଆସ୍ଥା ଓ ବିଶ୍ୱାସର ପର୍ବ, ପୀଠରେ ସବୁ ମନସ୍କାମନା ହୁଏ ପୂରଣ !
ପରମ୍ପରା ଅନୁଯାୟୀ ମଦନପୁର ରାଜ ପରିବାରର ରାଜକୁମାର ନୀଳ ମାଧବ ସିଂହଦେଓ ପୁଷ୍ପୁନି ପର୍ବରେ ଯୋଗଦେଇ ଆଦିବାସୀମାନଙ୍କୁ ଉତ୍ସାହିତ କରିଥିଲେ । ତେବେ ଗାଁକୁ ରାଜ ପରିବାର ସଦସ୍ୟ ଆସିଥିବାରୁ ଗ୍ରାମବାସୀଙ୍କ ପକ୍ଷରୁ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ସେପଟେ ପୁଷ୍ପୁନି ପର୍ବ ଦିନ ଗାଁ ଦାଣ୍ଡରେ କୁନିକୁନି ପିଲା ସକାଳୁ ସକାଳୁ ବିଭିନ୍ନ ଗୀତଗାଇ ଘରକୁ ଘର ବୁଲିଥାନ୍ତି । ସମସ୍ତେ ହାତରେ ଖଣ୍ଡେ ଖଣ୍ଡେ ବାଡ଼ି ଧରି ଦୁଆର ଦୁଆର ବୁଲି ଗୀତ ଗାଆନ୍ତି । ସେମାନେ ପ୍ରତ୍ୟେକ ଘରୁ ଚାଉଳ, ଡାଲି ଓ ଟଙ୍କା ସଂଗ୍ରହ କରିଥାନ୍ତି । ଏହାକୁ ନେଇ ସେମାନେ ଭୋଜି କରିଥାନ୍ତି । ଯାହାକୁ ଛେରଛେରା ବୋଲି ମଧ୍ୟ କୁହାଯାଏ ।
ଇଟିଭି ଭାରତ, କଳାହାଣ୍ଡି