ରାଉରକେଲା: ଇୟରଫୋନ ପାଇଁ ସାଙ୍ଗ ସାଜିଥିଲେ ଶତ୍ରୁ । ନେଇଥିଲେ ସାଙ୍ଗର ଜୀବନ । ରାଉରକେଲା ନାବାଳକ ହତ୍ୟା ଘଟଣା ପଛରେ ଥିଲା ଏମିତି କିଛି କାରଣ । ଇୟରଫୋନ ପାଇଁ ସାଙ୍ଗକୁ ହତ୍ୟା କରିଥିଲେ ସାଙ୍ଗ । ଏହି ଘଟଣାରେ ପୋଲିସ ଦୁଇ ସାଙ୍ଗକୁ ଗିରଫ କରି କୋର୍ଟଚାଲାଣ କରିଥିଲା । ଆଜି ଦୁଇ ନାବାଳକଙ୍କୁ ବାଳ ସୁଧାରଗୃହକୁ ପଠାଇଲେ କୋର୍ଟ ।
ଘଟଣାକୁ ନେଇ DSP ଉପାସନା ପାଢ଼ୀ କହିଛନ୍ତି, ‘‘ଦଶମ ଶ୍ରେଣୀ ଛାତ୍ରଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିଛନ୍ତି ତାଙ୍କ ତିନି ନାବାଳକ ସାଙ୍ଗ । ମୃତ ଛାତ୍ର ହେଲେ ବାଲୁଘାଟ ନୂଆବସ୍ତିର ରୁଦ୍ରନାରାୟଣ ପାଢ଼ୀ । ଗତକାଲି (ମଙ୍ଗଳବାର) ସକାଳୁ କଚଡ଼ା ପୁଲିଆ ନିକଟରୁ ତାଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ହତ୍ୟାରେ ସଂପୃକ୍ତ ମୋଟ ତିନିଜଣ ନାବାଳକ ଛାତ୍ରଙ୍କୁ ଉଦିତନଗର ପୋଲିସ ଗିରଫ ପରେ ସେମାନଙ୍କୁ କୋର୍ଟ ଚାଲଣ କରାଯାଇଥିଲା । କୋର୍ଟ ସେମାନଙ୍କୁ ସୁଧାର ଗୃହକୁ ପଠାଇଛନ୍ତି । ତେବେ ଇୟରଫୋନ ପାଇଁ ଘଟିଗଲା ହତ୍ୟାକାଣ୍ଡ । ରବିବାର ଦିନ ଗଣେଶ ପୂଜା ବିସର୍ଜନ ସମୟରେ ଏକାଠି ହୋଇ ତିନି ଜଣ ସାଙ୍ଗ ବୁଲି ବାହାରିଥିଲେ । ହଠାତ ଉଦିତନଗର ନିକଟରେ ଦୁଇ ସାଙ୍ଗ ସହ ମୃତ ନାବାଳକ ଛାତ୍ର ରୁଦ୍ର ନାରାୟଣଙ୍କ ହାଲୁକା ପାଟି ତୁଣ୍ଡ ହୋଇଥିଲା ।
ଏହିପାଟି ତୁଣ୍ଡ ହଠାତ ଉଗ୍ର ରୂପ ନେଇ ଝଗଡାରେ ପରିଣତ ହୋଇଥିଲା । କେବଳ ଗୋଟିଏ ବ୍ଲୁଟୁଥ ଇୟରଫୋନ ଲାଗି ଦୁଇ ସାଙ୍ଗ ରୁଦ୍ର ନାରାୟଣଙ୍କ ସହ ମାଡ ପିଟ୍ କରିଥିଲେ । ଧସ୍ତାଧସ୍ତି ହୋଇଥିଲେ ଏବଂ ସେଠାରେ ପଥର ମଧ୍ୟ ଫୋପାଡି ଥିଲେ । ତେବେ ହଠାତ ଜଣେ ସାଙ୍ଗ ରୁଦ୍ର ନାରାୟଣଙ୍କୁ ଠେଲି ଦେଇଥିଲେ ଫଳରେ ରୁଦ୍ର ପଛକୁ ପଡି ଯାଇଥିଲେ । ପଛରେ ଥିବା ପଥରରେ ମୁଣ୍ଡ ମାଡ଼ ହେବରୁ ରୁଦ୍ର ନାରାୟଣଙ୍କ ମୃତ୍ୟୁ ହୋଇଯାଇଥିଲ । ଏହାପରେ ଦୁଇ ସାଙ୍ଗ ରୁଦ୍ରଙ୍କ ମୃତଦେହକୁ ନେଇ ସରନା ଛକ କଚଡ଼ା ପୁଲିଆ ରାସ୍ତା ନିକଟରେ ଝୁଣ୍ଡି ଭିତରେ ଫୋଫାଡ଼ି ଦେଇଥିଲେ।’’
ଏହା ମଧ୍ୟ ପଢନ୍ତୁ..ବନ୍ଧୁ ସାଜିଲା ବୈରୀ, ନାବାଳକଙ୍କୁ ନିର୍ମମ ଭାବେ ହତ୍ୟା କଲେ ତିନି ସାଙ୍ଗ
ସେ ଆହୁରି ମଧ୍ୟ କହିଛନ୍ତି, ‘‘ ରବିବାର ଦିନ ଘରକୁ ନଫେରିବାରୁ ସୋମବାର ଦିନ ରଘୁନାଥପାଲି ପୋଲସ ଷ୍ଟେସନରେ ନିଖୋଜ ନେଇ ମାମଲା ରୁଜୁ କରିଥିଲେ ପରିବାର ଲୋକେ । ଏହାପରେ ପୋଲିସ ଖୋଜାଖୋଜି କରିବା ପରେ ମଙ୍ଗଳବାର ଦିନ ସକାଳୁ ରୁଦ୍ର ନାରାୟଣଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଥିଲା । ଦୁଇ ଜଣ ସାଙ୍ଗକୁ ପ୍ରଥମ ପର୍ଯ୍ୟାୟରେ ଅଟକ ରଖାଯାଇଥିଲା ତେବେ ପଚରାଉଚରା ପରେ ଦୁଇ ଜଣ ନାବାଳକ ସାଙ୍ଗ ଦୋଷୀ ପାଇ ପୋଲିସ କୋର୍ଟ ଚାଲାଣ କରିଥିଲା । ଏହାପରେ ସେମାନଙ୍କୁ ନାବାଳକ ସୁଧାର ଗୃହକୁ ପଠାଇ ଦିଆଯାଇଛି । ’’
ଇଟିଭି ଭାରତ, ରାଉରକେଲା