ରାଉରକେଲା: ରାଉରକେଲା ବାସୀଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକ୍ଷମ ହେବ ରାଉରକେଲା ବିମାନବନ୍ଦର । ଏହାର ଭିତ୍ତିଭୂମି ବିକାଶ ପାଇଁ ରାଜ୍ୟ ସରକାର ବିହିତ ପଦକ୍ଷେପ ନେଇଛନ୍ତି । ଏନେଇ ବିସ୍ତୃତ ପ୍ରୋଜେକ୍ଟ ରିପୋର୍ଟ(ଡି.ପି.ଆର୍) ପ୍ରସ୍ତୁତ କରିବାକୁ ରେଲ୍ ଇଣ୍ଡିଆ ଟେକ୍ନିକାଲ ଆଣ୍ଡ୍ ଇକୋନୋମିକ ସର୍ଭିସକୁ ନିୟୋଜିତ କରାଯାଇଛି । ରାଜ୍ୟ ସରକାର ବର୍ତ୍ତମାନ ରାଜ୍ୟର ବିଭିନ୍ନ ବିମାନବନ୍ଦର ଗୁଡିକର ଉନ୍ନତିକରଣ କରୁଥିବା ବେଳେ ଏହାରି ମଧ୍ୟରେ ରାଉରକେଲା ବିମାନବନ୍ଦର ମଧ୍ୟ ରହିଛି ।
ଏହା ମଧ୍ୟ ପଢନ୍ତୁ-Rourkela to Kolkata flight service: ନଭେମ୍ବର 1ରୁ ରାଉରକେଲାରୁ କୋଲକାତାକୁ ଉଡିବ ବିମାନ
ରାଉରକେଲା ସମେତ ରାଜ୍ୟର ଅନ୍ୟ ଦୁଇଟି ଜୟପୁର, ଅମରଦା ରୋଡ଼ ବିମାନବନ୍ଦରର ମଧ୍ୟ ଉନ୍ନତିକରଣ ହେବ । ଏଥିପାଇଁ ଡିପିଆର୍ ପ୍ରସ୍ତୁତି ବାବଦକୁ ରାଜ୍ୟ ସରକାର ମୋଟ ୩.୩ କୋଟି ଟଙ୍କା ବ୍ୟୟ କରିବେ । ଆଗାମୀ ୩/୪ ମାସ ଭିତରେ ଡିପିଆର୍ ପ୍ରସ୍ତୁତ ହୋଇ ଦାଖଲ ହେବା ନେଇ ସୂଚନା ରହିଛି । ଏହାପରେ ତିନି ବିମାନବନ୍ଦର ନୂଆ ରୂପ ପାଇବା ସହ ୩ସି କାଟେଗୋରିର ବିମାନବନ୍ଦର ଭାବେ ମାନ୍ୟତା ପାଇଁ ଆବେଦନ କରାଯିବ । ରାଉରକେଲା ବିମାନବନ୍ଦର ଭିତ୍ତିଭୂମି ବିକାଶ ତଥା ପୂର୍ଣ୍ଣ କାର୍ଯ୍ୟକ୍ଷମ ପାଇଁ ସରକାର ପୂର୍ବରୁ ମଧ୍ୟ ପଦକ୍ଷେପ ନେଇଥିଲେ । ଗତ ଜୁଲାଇ ୪ ତାରିଖରେ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଭାରତୀୟ ବିମାନବନ୍ଦର ପ୍ରାଧିକରଣ( ଏଏଆଇ)କୁ ପତ୍ର ମାଧ୍ୟମରେ ବିମାନବନ୍ଦର ଭିତ୍ତିଭୂମି ଯାଞ୍ଚ ଓ ଇନ୍ଷ୍ଟ୍ରୁମେଣ୍ଟ୍ ଲ୍ୟାଣ୍ଡିଂ ସିଷ୍ଟମ୍ ସ୍ଥାପନ ସହ ରାତ୍ରିକାଳୀନ ବିମାନ ଅବତରଣ ବ୍ୟବସ୍ଥା ପାଇଁ ଦୃଷ୍ଟି ଆକର୍ଷଣ କରିଥିଲେ । ଏ ବାବଦକୁ ହେବାକୁ ଥିବା ବ୍ୟୟ ଅଟକଳ ସହ ଡିପିଆର୍ ପ୍ରସ୍ତୁତ କରିବାକୁ ନିବେଦନ କରାଯାଇଥିଲା । ତେବେ ଏଏଆଇ ପକ୍ଷରୁ କୌଣସି ବିହିତ ପଦକ୍ଷେପ ନିଆ ଯାଇନଥିଲା । ଏବେ କିନ୍ତୁ ରାଇଟ୍ସକୁ ପରାମର୍ଶଦାତା ଭାବେ ନିୟୋଜିତ କରାଯାଇଛି ।
ଏହା ମଧ୍ୟ ପଢନ୍ତୁ-ଉଦଘାଟନର ଦିନକ ପରେ ରାଉରକେଲା ବିମାନ ବନ୍ଦରରୁ ଗୁଳି ଜବତ, ବ୍ୟାଗରେ ରଖିଥିଲେ ଯାତ୍ରୀ
କିଛି ଦିନ ପୂର୍ବେ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ରାଇଟ୍ସ ସଂସ୍ଥାକୁ ଲିଖିତ ଭାବେ ପରମର୍ଶଦାତା ହେବା ପାଇଁ ନିର୍ଦେଶ ଦିଆଯାଇଥିଲା । ଖୁବଶୀଘ୍ର ସମସ୍ତ ପଦକ୍ଷେପ ଏବଂ କାର୍ଯ୍ୟ ଆରମ୍ଭ ହେବ । ରାଜ୍ୟ ସରକାର ମଧ୍ୟ ସମସ୍ତ ସର୍ତ୍ତକୁ ମାନି ରାଜ୍ୟର ତିନି ବିମାନବନ୍ଦରକୁ ବିକଶିତ କରିବାକୁ ରାଜି ହୋଇଛନ୍ତି । ରାଜ୍ୟ ସରକାରଙ୍କ ପଦକ୍ଷେପକୁ ସାଧାରଣରେ ରାଉରକେଲା ବାସୀ ସ୍ୱାଗତ କରିଛନ୍ତି ।
ଇଟିଭି ଭାରତ, ସୁନ୍ଦରଗଡ