ସୁନ୍ଦରଗଡ: ଜିଲ୍ଲା ବଡଗାଁ ପୋଲିସକୁ ସଫଳତା । ଜଣେ ନାବାଳିକାକୁ ଦିଲ୍ଲୀ ଚାଲାଣ କରାଯାଉଥିବା ବେଳେ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କଲା ବଡଗାଁ ପୋଲିସ । ଝାଡଖଣ୍ଡ ରାଜ୍ୟ ବୋଲବା ଥାନା ତାରାବୋଗାର ଜଣେ ନାବାଳିକା ନିଖୋଜ ଥିବା ନେଇ ନାବାଳିକାର ସମ୍ପର୍କୀୟ ଭାଇ ବଡଗାଁ ଥାନାରେ ଗତ 28 ତାରିଖରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୁକ୍ତ ଶ୍ୟାମ ସୁନ୍ଦର ମଙ୍ଗର ଉକ୍ତ ନାବାଳିକାକୁ ବୋଲବା ଥାନା ଠିଟେଇ ଟାଙ୍ଗର ଅଞ୍ଚଳରୁ ଚାକିରି କରାଇଦେବା ପ୍ରଲୋଭନ ଦେଖାଇ ବଡଗାଁ ଥାନା ଯାଜପୁରକୁ ଆଣିଥିଲା ।
ଅଭିଯୁକ୍ତ ଜଣଙ୍କ ନିଜ ଘରେ ଉକ୍ତ ନାବାଳିକାକୁ 3 ରୁ 4 ଦିନ ଧରି ଘରୋଇ କାମରେ ନିୟୋଜିତ କରିଥିଲା । ହେଲେ ଗତ 28 ତାରିଖ ଦିନ ନାବାଳିକାକୁ ଦିଲ୍ଲୀ ପଠାଇବା ନେଇ ଫୋନରେ କଥାବାର୍ତ୍ତା ହେଉଥିଲା ଅଭିଯୁକ୍ତ । ଏହା ଜାଣିବା ପରେ ସମ୍ପର୍କୀୟ ମାମୁଁ ପୁଅ ଭାଇକୁ ଜଣାଇଥିଲେ ନାବାଳିକା ଜଣଙ୍କ। ଏହା ପରେ ଅଭିଯୁକ୍ତ ଜଣଙ୍କ ନାବାଳିକାର ଫୋନକୁ ନାବାଳିକା ଠାରୁ ଛଡାଇ ନେଇଥିଲା । ଏହାପରେ ନାବାଳିକାର ଭାଇ ବହୁତ ଖୋଜା ଖୋଜି କରିବାପରେ ବଡଗାଁ ପୋଲିସକୁ ଲିଖିତ ଅଭିଯୋଗ କରିଥିଲା ।
ଅଭିଯୋଗ ପାଇବା ପରେ ବଡଗାଁ ପୋଲିସ ଖୋଳତାଡ ଆରମ୍ଭ କରି ଅଭିଯୁକ୍ତ ଓ ନାବାଳିକା ଏକ ଅଟୋ ରିକ୍ସା ଯୋଗେ ଦିଲ୍ଲୀ ଚାଲାଣ ପାଇଁ ରାଜଗାଙ୍ଗପୁର ଷ୍ଟେସନ ଅଭିମୁଖେ ଯାଉଥିବା ବେଳେ କିଛି ଲୋକ ବଡଗାଁ ପୋଲିସକୁ ଖବର ଦେଇଥିଲେ । ନାବାଳିକାଟି କାନ୍ଦୁଥିବା ନେଇ ଖବର ଆସିବାପରେ ବଡଗାଁ ପୋଲିସ କୌଶଳ କରି ଉକ୍ତ ଅଟୋକୁ ଅଟକାଇବା ପରେ ସଂପୂର୍ଣ୍ଣ ଘଟଣା ଜଣା ପଡିଥିଲା । ବଡଗାଁ ପୋଲିସ ଉକ୍ତ ନାବାଳିକାକୁ ଉଦ୍ଧାର କରି ତା ପରିବାରକୁ ହସ୍ତାନ୍ତର କରିବାସହ ସଂପୃକ୍ତ ଯୁବତୀ ଚାଲାଣକାରୀ ଅଭିଯୁକ୍ତ ଶ୍ୟାମ ସୁନ୍ଦର ମଙ୍ଗରକୁ ଭାରତୀୟ ପିଙ୍ଗଳ କୋର୍ଡର ଦଫା 363/370(4)ରେ କୋର୍ଟ ଚାଲାଣ କରିଛି ।
ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ