ସୁନ୍ଦରଗଡ: ଟ୍ରକ ଧକ୍କାରେ ଜଣେ ନାବାଳକଙ୍କ ମୃତ୍ୟୁ। ସୁନ୍ଦରଗଡ ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ କୁନାଲ ପେଟ୍ରୋଲ ପମ୍ପ ନିକଟରେ ଗୋଟିଏ ଟ୍ରକ ଧକ୍କାରେ ଜଣେ 15ବର୍ଷ ବାଳକର ମୃତ୍ୟୁ ହୋଇଛି।
ମୃତ ବାଳକ ହେଲେ ଅଜିତ ରାଉତ। ଗତକାଲି ରାତିରେ ଅଜିତ ବାଇକରେ କିରେଇ ପଟୁ ନବରଙ୍ଗପୁର ଆସୁଥିବା ବେଳେ ଭୁଲ ପଥରେ ଯାଉଥିବା ଟ୍ରକ (OD_16_C_0580) ସହ ଧକ୍କା ହୋଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି।
ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ସୁନ୍ଦରଗଡ ମୁଖ୍ୟ ଡାକ୍ତରଖାନାର ମର୍ଗ ହାଉସରେ ରଖିଛି। ଏହାସହ ଉଭୟ ଟ୍ରକ ଓ ମୋଟରସାଇକେଲକୁ ଜବତ କରିଛି। ଦୁର୍ଘଟଣା ଘଟାଇବା ପରେ ଟ୍ରକ ଛାଡି ଡ୍ରାଇଭର ଫେରାର ହୋଇଯାଇଛି। ମୃତ ଅଜିତ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଥାନ୍ତେ। ସେ ତାଙ୍କ ମାମୁଁଘର ନବରଙ୍ଗପୁରରେ ରହି ପାଠ ପଢୁଥିଲେ।
ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର,ଇଟିଭି ଭାରତ