ରାଉରକେଲା: ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିଶାଳ ରାଲି ସହ ବିକ୍ଷୋଭ ପ୍ରଦର୍ଶନ । ଶହଶହ ମହିଳା ଏକାଠି ହୋଇ ରାଲି କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ମହାନଗର ନିଗମ ଅଧୀନରେ ରଘୁନାଥପଲ୍ଲୀ ନିର୍ବାଚନ ମଣ୍ଡଳୀକୁ ସାମିଲ କରାଯିବା ନେଇ ଦାବି ବାରମ୍ବାର ଉଠୁଥିଲେ ମଧ୍ୟ ଏହା ପୂରଣ ହୋଇ ପାରୁନାହିଁ । ଯାହାକୁ ନେଇ ଆଜି ରଘୁନାଥପଲ୍ଲୀ ନିର୍ବାଚନ ମଣ୍ଡଳୀର ସମସ୍ତ ମହିଳା ଆସି ଏକାଠି ହେବା ସହ ମହାନଗର ନିଗମ ଅଧୀନରେ ସାମିଲ କରିବାକୁ ଦାବି କରିଥିଲେ । ତେବେ ରାଉରକେଲା ଉଦିତନଗର ସିଂହାସିନୀ ମନ୍ଦିରଠାରୁ ରାଉରକେଲା ମହାନଗର ନିଗମ ଯାଏଁ ଏକ ବିଶାଳ ରାଲିର ଆୟୋଜନ କରାଯାଇଥିଲା ।
ରଘୁନାଥପଲ୍ଲୀ ନିର୍ବାଚନ ମଣ୍ଡଳୀର ସମସ୍ତ ଜନ ସାଧାରଣଙ୍କୁ ରାଜ୍ୟ ସରକାର ଅବହେଳା କରୁଥିବା ନେଇ ଅଭିଯୋଗ ହୋଇଛି । ରାଜ୍ୟ ସରକାରଙ୍କର ବିଭିନ୍ନ ଯୋଜନାରୁ ବଞ୍ଚିତ ହେଉଥିବା ନେଇ ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି । ତେବେ ରାଉରକେଲା ମହାନଗର ନିଗମ ଅଧୀନରେ ଥିବା ସମସ୍ତ ଜନ ସାଧାରଣ ସବୁ ସୁବିଧା ପାଉଥିବାବେଳେ ରଘୁନାଥପଲ୍ଲୀ ନିର୍ବାଚନ ମଣ୍ଡଳୀର ଲୋକେ ଏହାକୁ ପାଇ ପାରୁନାହାନ୍ତି । କାରଣ ଏହି ନିର୍ବାଚନ ମଣ୍ଡଳୀ ଇସ୍ପାତ କାରଖାନା ଷ୍ଟିଲ ଟାଉନସିପ୍ ଅଧୀନରେ ଆସୁଛି । ହେଲେ ସେଠାରେ ରାଜ୍ୟ ସରକାରଙ୍କ କୌଣସି ଜନ ହିତକାରୀ ଯୋଜନା ପହଞ୍ଚି ପାରୁନାହିଁ । ରାଉରକେଲା ମହାନଗର ନିଗମ ଏହାକୁ ଗୁରୁତ୍ୱର ସହ ନେଇ ସମସ୍ତ ସୁବିଧା ସୁଯୋଗ ଯୋଗାଇଦେବା ପାଇଁ ଦାବି ହୋଇଛି ।
ତେବେ ଏହି ଇସ୍ପାତ ସହରାଞ୍ଚଳ ଓ ଦକ୍ଷିଣ ରାଉରକେଲାର ନାଁ ମହାନଗର ନିଗମ ନା ପଞ୍ଚାୟତ ଅଧିନରେ ଯାଉନାହିଁ । ତେଣୁ ଏହି ଅଞ୍ଚଳ ୧୯୯୫ ମସିହାରୁ ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଥିବା ବୋଲି ଅଭିଯୋଗ ହେଉଛି । ରାଉରକେଲା ଇସ୍ପାତ କାରଖାନା ତା'ର କର୍ମଚାରୀଙ୍କ ପାଇଁ ବାସଗୃହ ସମେତ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା କରିଛି । ଏହି ଅଞ୍ଚଳରେ ବସବାସ କରୁଥିବା ଅଧିକାଂଶ ପରିବାର ଅନେକ ସରକାରୀ ଯୋଜନାରୁ ବଞ୍ଚିତ ରହିଛନ୍ତି । ରଘୁନାଥପଲ୍ଲୀ ନିର୍ବାଚନ ମଣ୍ଡଳୀର ଲୋକେ ଗରିବ ଶ୍ରେଣୀର ହୋଇଥିବାବେଳେ ଦୁଃଖ ଦୁର୍ଦ୍ଦିନରେ ଜୀବନଯାପନ କରୁଛନ୍ତି । ତେବେ ଇସ୍ପାତ ସହରାଞ୍ଚଳ ଓ ଦକ୍ଷିଣ ରାଉରକେଲାରେ ଗଠିତ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀକୁ ମୁକ୍ତା ଯୋଜନାରେ ଅନ୍ତର୍ଭୁକ୍ତ କରିବା ଦ୍ବାରା ସେମାନେ ସ୍ବାବଲମ୍ବୀ ଓ ଆତ୍ମନିର୍ଭରଶୀଳ ହୋଇପାରିବେ ବୋଲି ଆଶା ରଖିଛନ୍ତି ।
ଏହା ବି ପଢନ୍ତୁ...୧୦ ବର୍ଷ ହେବ ହୋଇନି RMC ନିର୍ବାଚନ, ଚାଲିଛି ଅଫିସର ରାଜ୍ !
ଏନେଇ ପ୍ରାକ୍ତନ ବିଧାୟକ ପ୍ରାର୍ଥୀ କହିଛନ୍ତି, "ଏହି ଅଞ୍ଚଳର ରାସ୍ତାକଡ଼ର ବୁଲା କ୍ଷୁଦ୍ର ବ୍ୟବସାୟୀ ସରକାରଙ୍କ ସ୍ୱନିଧି ଯୋଜନାରୁ ବଞ୍ଚିତ ଅଛନ୍ତି । ଯୋଜନାରେ ଅନ୍ତର୍ଭୁକ୍ତ ହେଲେ ନିଜର ବ୍ୟବସାୟ ସୃଷ୍ଟି ସହ ପରିବାର ଚଳାଇବାରେ ସକ୍ଷମ ହେବେ । ସହରାଞ୍ଚଳ ବସ୍ତିରେ ବସବାସ କରୁଥିବା ବାସିନ୍ଦାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ବିଜୁ ପକ୍କା ଘର ଯୋଜନାରେ ଅନ୍ତର୍ଭୁକ୍ତ କରାଯାଉ । ଜାଗା ମିଶନ କାର୍ଯ୍ୟକାରୀ ହେଲେ ଅଞ୍ଚଳବାସୀ ସ୍ଥାୟୀ ଜମି ପଟ୍ଟା ପାଇପାରିବେ । ରାସନ କାର୍ଡଧାରୀମାନେ ସରକାରଙ୍କ ବିଭିନ୍ନ ଋଣ ଯୋଜନାରେ ଆବଶ୍ୟକୀୟ ରଣ ନେଇ ନିଜର ଜରୁରୀ କାର୍ଯ୍ୟ ଯଥା ବିବାହ, ପାଠପଢ଼ା, ବ୍ୟବସାୟ, ବାସଗୃହ ଆଦିରେ ବିନିଯୋଗ କରିପାରିବେ ।"
ସେ ଆହୁରି ମଧ୍ୟ କହିଛନ୍ତି, "ରାସ୍ତା ଆଲୋକୀକରଣ ଯୋଜନା ଦ୍ଵାରା ଦସ୍ତି ବାସିନ୍ଦା ଓ ରଘୁନାଥପଲ୍ଲୀ ନିର୍ବାଚନ ମଣ୍ଡଳୀ ବାସିନ୍ଦା ଉନ୍ନତମାନର ଆଲୋକୀକରଣ ବ୍ୟବସ୍ଥା ପାଇପାରିବେ । ବନ୍ଧମୁଣ୍ଡା ଅଞ୍ଚଳର କୋଇଲା ବସ୍ତି, ଶିବ ଶଙ୍କର ନଗରରୁ ଉତ୍ତମ ବସ୍ତି, ତିଲକା ନଗର, ଫୁଲୱାରୀ ଓ ଶୀତଳ ନଗର ପର୍ଯ୍ୟନ୍ତ ରାଉରକେଲା ମହାନଗର ନିଗମରେ ଅନ୍ତର୍ଭୁକ୍ତ କରାଯାଉ ।" ଏନେଇ ଆଜି ରଘୁନାଥପଲ୍ଲୀ ନିର୍ବାଚନ ମଣ୍ଡଳୀର ବାସିନ୍ଦା ଏକାଠି ହୋଇ ସ୍ବର ଉଠାଇଛନ୍ତି ।
ଇଟିଭି ଭାରତ, ରାଉରକେଲା