ରାଉରକେଲା: ସ୍କୁଲରେ ଚାଲିଥିଲା ପ୍ରଧାନ ଶିକ୍ଷକଙ୍କ ରାସଲୀଳା । ରୋଷେୟା ପ୍ରେମରେ ପଡି ମର୍ଯ୍ୟାଦା ଭୁଲିଗଲେ ରସିକିଆ ଶିକ୍ଷକ । ଶ୍ରେଣୀ ଗୃହ ଭିତରେ ରୋଷେୟାଙ୍କ ସହ ଅନୈତିକ ସମ୍ପର୍କ ରଖିଥିଲେ । ପିଲାଙ୍କୁ ପାଠପଢା ଛାଡି ପ୍ରଧାନ ଶିକ୍ଷକ ରୋଷେୟାଙ୍କ ସହ ରାସଲୀଳା କରୁଥିବାର ସୁରାକ ପାଇ ସ୍କୁଲରେ ପହଞ୍ଚିଗଲେ ଗ୍ରାମବାସୀ । ଅସଞ୍ଜତ ଅବସ୍ଥାରେ ଦୁହିଁଙ୍କ ଧରିଲେ । ଆଉ ଧରାପଡିବା ପରେ ଗାଁ ଲୋକଙ୍କ ହାତରୁ ନିର୍ଦ୍ଧୁମ ଛେଚା ଖାଇଲେ ରସିକିଆ ସାର୍ । ସାରଙ୍କ ବେକରେ ଚପଲ ମାଳ ପିନ୍ଧାଇ ଗାଁ ବୁଲାଇଲେ ଲୋକେ । ଘଟଣାଟି ସୁନ୍ଦରଗଡ଼ ଜିଲ୍ଲା କେ. ବଲାଙ୍ଗ ଥାନା ଅନ୍ତର୍ଗତ ଖଡ଼ିଆବାହାଲ ସେବାଶ୍ରମରେ ଘଟିଛି ।
ଖଡ଼ିଆବାହାଲ ସେବାଶ୍ରମର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରୋହିତ କୁମାର ରାଏଙ୍କର ଦୀର୍ଘ ବର୍ଷ ହେଲା ସ୍କୁଲର ରୋଷେୟାଙ୍କ ସହ ଅନୈତିକ ସମ୍ପର୍କ ରହିଥିବା ଅଭିଯୋଗ ହୋଇଆସୁଥିଲା । ଏହାକୁ ନେଇ ୨ ବର୍ଷ ପୂର୍ବେ ସ୍କୁଲ କମିଟି ବୈଠକ ବସି ଉଭୟଙ୍କୁ ଚେତାବନୀ ଦିଆଯାଇଥିଲା । ତଥାପି ଦୁହେଁ ସୁଧୁରି ନଥିଲେ ଓ ପୂର୍ବଭଳି ସମ୍ପର୍କ ରଖିଥିଲେ । ବହୁଥର ଉଭୟଙ୍କୁ କ୍ଲାସରୁମରୁ ଏକାଠି ବାହାର କରାଯାଇଥିଲା । ଏହାକୁ ନେଇ ସ୍କୁଲର ଶୈକ୍ଷିକ ବାତାବରଣ ସମ୍ପୂର୍ଣ୍ଣ ବିଗିଡି ଯାଇଥିଲା । ଏମିତିକି ବାପାମାଆ ନିଜ ପିଲାଙ୍କୁ ସ୍କୁଲକୁ ଛାଡିବାକୁ ଅମଙ୍ଗ ହୋଇଥିଲେ ।
ଖରା ଛୁଟି ପରେ ଗତ ବୁଧବାରଠାରୁ ସ୍କୁଲ ଖୋଲିଥିଲା । ଏହାପରେ ପୁଣିଥରେ ଆରମ୍ଭ ହୋଇଥିଲା ପ୍ରଧାନ ଶିକ୍ଷକଙ୍କ ରାସଲୀଳା । ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଓ ମହିଳା ରୋଷେୟା ଅନୈତିକ କାର୍ଯ୍ୟରେ ଲିପ୍ତ ଥିବା ଜାଣି ଗ୍ରାମବାସୀ ସ୍କୁଲରେ ପହଞ୍ଚିଥିଲେ । ସେମାନେ ଉଭୟଙ୍କୁ ଏକ ବନ୍ଦ କୋଠରୀରୁ ଅସଞ୍ଜତ ଅବସ୍ଥାରେ ବାହାର କରିବା ପରେ ଏହାକୁ ନେଇ ସେଠାରେ ଉତ୍ତଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଦୁଇ ଜଣଯାକ ନିଜ ଭୁଲ୍ ସ୍ବୀକାର କରିବା ସହ ଭବିଷ୍ୟତରେ ଏମିତି କରିବେ ନାହିଁ ବୋଲି କହିଥିଲେ । ହେଲେ ଗ୍ରାମବାସୀ ସେମାନଙ୍କ କଥା ଶୁଣିବା ପରିସ୍ଥିତିରେ ନଥିଲେ । ଗାଁଲୋକେ ମିଶି ପ୍ରଧାନ ଶିକ୍ଷକଙ୍କ ବେକରେ ଚପଲ ମାଳ ପକାଇ ଗାଁରେ ଚଲାଇ ଚଲାଇ ନେଇଥିଲେ ।
ଏନେଇ ଗ୍ରାମବାସୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତେବେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନି । ଏପରିକି ଗ୍ରାମବାସୀ ବିଡିଓଙ୍କୁ ଘଟଣା ସମ୍ପର୍କରେ ଲିଖିତ ଭାବେ ଜଣାଇଥିବା ସୂଚନା ମିଳିଛି । ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ଅନ୍ୟତ୍ର ବଦଳି କରିବାକୁ ଲୋକେ ଦାବି କରିଛନ୍ତି । ସ୍ଥାନୀୟ ୱାର୍ଡମେମ୍ବର କହିଛନ୍ତି ଯେ, ପ୍ରଧାନ ଶିକ୍ଷକ ଓ ରୋଷେୟା ମଧ୍ୟରେ ଅବୈଧ ସମ୍ପର୍କ ରହିଥିଲା । ଏଭଳି କାର୍ଯ୍ୟ ପାଇଁ ଶିକ୍ଷକଙ୍କୁ ବହିଷ୍କୃତ କରାଯାଉ । ଏନେଇ ଗ୍ରାମବାସୀଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି । ହେଲେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଲାନାହିଁ । ଶିକ୍ଷକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ଦାବି କରିଛନ୍ତି ।
ଇଟିଭି ଭାରତ, ରାଉରକେଲା