ରାଉରକେଲା: ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଅଫିସ ଘେରିଲେ ରାଉରକେଲା ଇସ୍ପାତ କାରଖାନା ଏବଂ ମନ୍ଦିରା ଡ୍ୟାମ ବିସ୍ଥାପିତ ପରିବାର। ଅତିରିକ୍ତ ଜିଲ୍ଲାପାଳ ଅଫିସ ସମ୍ମୁଖରେ ବସି ଧାରଣା ଦେଇଛନ୍ତି ନିଜ ଜମି ହରାଇଥିବା ବିସ୍ଥାପିତ ଲୋକେ । ବହୁଦିନର ମୌଳିକ ଅଧିକାରକୁ ନେଇ ବିସ୍ଥାପିତ ପରିବାର ପକ୍ଷରୁ ବାରମ୍ବାର ଦାବି ସତ୍ତ୍ବେ ପ୍ରଶାସନ କର୍ଣ୍ଣପାତ କରୁ ନଥିବାରୁ ଆଜି ପୁଣିଥରେ ନିଜର ଦାବି ଜଣାଇବାକୁ ଧାରଣାରେ ବସିଛନ୍ତି ।
ସୂଚନା ମୁତାବକ, ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ଇସ୍ପାତ କାରଖାନା ଏବଂ ମନ୍ଦିରା ଡ୍ୟାମ ନିର୍ମାଣ ସମୟରେ ଜମି ଅଧିଗ୍ରହଣ କରାଯାଇଥିଲା । ଏଥିରେ ୭୦ଟି ଗ୍ରାମର ଲୋକ ବିସ୍ଥାପିତ ହୋଇଥିଲେ । କିନ୍ତୁ ଆଜି ଯାଏଁ ଅନେକ ବିସ୍ଥାପିତ ପରିବାର ସଦସ୍ୟଙ୍କୁ ମିଳିପାରି ନାହିଁ ଚାକିରି । ଚାକିରି ପାଇଁ ହନ୍ତସନ୍ତ ହେଉଛନ୍ତି ଯୁବପିଢି । ବାରମ୍ବାର ଦାବି ସତ୍ତ୍ୱେ କୌଣସି ପ୍ରକାର ସୁଫଳ ନମିଳିବାରୁ ନ୍ୟାୟାଳୟର ଆଶ୍ରୟ ନେଇଛନ୍ତି ବିସ୍ଥାପିତ ପରିବାର ।
ତେବେ ଏହି ବିସ୍ଥାପିତଙ୍କ ମାମଲାକୁ ନେଇ ଉତ୍ତରାଞ୍ଚଳ ଆରଡିସି ମଧ୍ୟ କହିଛନ୍ତି ଯେ, 3722 ଜଣ ବିସ୍ଥାପିତଙ୍କୁ ଚାକିରି ପ୍ରଦାନ କରାଯିବ । କିନ୍ତୁ ଏହାରି ମଧ୍ୟରେ କୌଣସି ବିସ୍ଥାପିତଙ୍କ ପାଇଁ ପ୍ରଶାସନ ପକ୍ଷରୁ ଚାକିରି ଦିଆଯିବାର ବ୍ୟବସ୍ଥା ହୋଇପାରି ନାହିଁ । ବରଂ ସମସ୍ତଙ୍କ ନାମ ତାଲିକାଭୁକ୍ତ ହୋଇ ରହିଯାଇଥିବା ନେଇ ଅଭିଯୋଗ କରିଛନ୍ତି RSP ଏବଂ ମନ୍ଦିରା ଡ୍ୟାମ ବିସ୍ଥାପିତ ପରିବାର । ହଜାର ହଜାର ସଂଖ୍ୟାରେ ବିସ୍ଥାପିତ ପରିବାର ସଦସ୍ୟ ଆସି ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଅଫିସ ଘେରାଉ କରିଥିଲେ ମଧ୍ୟ ଏଥିରେ ସୁଫଳ ମିଳିନି । ବାଧ୍ୟ ହୋଇ ପୁଣି ଏଥର ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିବେ ବୋଲି କହିଛନ୍ତି ।
ଏହା ମଧ୍ୟ ପଢନ୍ତୁ- ୨୫ କିଲୋମିଟର ଚାଲିଲେ ପିଲାଏ, ବିଦ୍ୟାଳୟ ସମସ୍ୟାର ସମାଧାନ ଦାବିରେ ଧାରଣା
ଯଥା ସମ୍ଭବ ବଳକା ଜମି ଫେରସ୍ତ କରିବା ସହ ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଚାକିରି ଦେବାକୁ ଦାବି କରିଛନ୍ତି ବିସ୍ଥାପିତ ପରିବାର । ନଚେତ ଅଧିଗ୍ରହଣ ହୋଇଥିବା ଜମିକୁ ସମ୍ପୂର୍ଣ୍ଣ ଫେରସ୍ତ କରିବାକୁ ଦାବି କରିଛନ୍ତି ବିସ୍ଥାପିତ । ତାହା ନହେଲେ ଆଗାମୀ ଦିନରେ ଏହି ବିକ୍ଷୋଭ ବଡ଼ ଆନ୍ଦୋଳନର ରୂପ ନେବ ଚେତାବନୀ ଦେଇଛନ୍ତି ବିସ୍ଥାପିତ ପରିବାର ।
ଇଟିଭି ଭାରତ, ରାଉରକେଲା