ଭୁବନେଶ୍ବର: ନିର୍ବାଚନ ପାଖେଇ ଆସୁଥିବାବେଳେ ଦଳ ବଦଳ ନୀତି ଜୋରସୋରରେ ଆଗେଇ ଚାଲିଛି । ଏଥିରେ ସାମିଲ ହୋଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ହେମାନନ୍ଦ ବିଶ୍ଵାଳଙ୍କ ଝିଅ ସୁନିତା ବିଶ୍ବାଳ । ବାପା କଂଗ୍ରେସରେ ଥିବାବେଳେ ଝିଅ ଆଜି ବିଜୁ ଜନତା ଦଳ(ବିଜେଡି)ରେ ଯୋଗଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତରେ ଶଙ୍ଖ ଧରିଛନ୍ତି ସୁନିତା । ମିଶିବା ପରେ ସୁନିତା କହିଛନ୍ତି ଯେ ମହିଳା, କୃଷକ ଓ ଯୁବକଙ୍କ ପାଇଁ ନବୀନ ସରକାରର କାର୍ଯ୍ୟଶୈଳୀ ଏବଂ ବିକାଶରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ଯୋଗ ଦେଇଛନ୍ତି । ଏହା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି । ଦଳ ଯେଉଁ ଦାୟିତ୍ଵ ଦେବ ତାହା କରିବେ ବୋଲି ସେ କହିଛନ୍ତି ।
ଲୋକସଭା ସିଟ ପାଇଁ ପ୍ରାର୍ଥୀ ନ ମିଳିବାରୁ ସେ ବିଜେଡିରେ ମିଶିଛନ୍ତି ବୋଲି ପ୍ରଶ୍ନରେ ସୁନିତା କହିଛନ୍ତି ଯେ ତାଙ୍କ ଲକ୍ଷ୍ୟ ସୁନ୍ଦରଗଡର ବିକାଶ । ଏଥିପାଇଁ ସେ ବିଜେଡିରେ ମିଶିଛନ୍ତି । ହୁଏତ କଂଗ୍ରେସରେ ଥିଲେ ଏପରି କାର୍ଯ୍ୟ ସମ୍ଭବ ହୋଇନଥାନ୍ତା । ଲୋକେ ସୁନ୍ଦରଗଡର ଝିଅ ଭାବେ ତାଙ୍କୁ ଜାଣିଥିଲେ ଏବଂ ଏବେ ସେ ସୁନ୍ଦରଗଡର ବୋହୂ ଭାବେ ଲଢିବେ ବୋଲି କହିଛନ୍ତି ।
ବାପା କଂଗ୍ରେସରେ ଅଛନ୍ତି ଏବଂ ସେ ବିଜେଡିରେ ମିଶିଲେ । ଏହା ଲୋକଙ୍କ ଉପରେ ପ୍ରଭାବ ପକାଇବ କି ପ୍ରଶ୍ନରେ ସୁନିତା କହିଛନ୍ତି ଏବେ ଜନତା କାର୍ଯ୍ୟ ଦେଖି ପ୍ରତିନିଧି ବାଛୁଛନ୍ତି । ତେଣୁ ଭଲ କାମ କଲେ ଲୋକଙ୍କ ବିଶ୍ବାସ ଜିତିହେବ ବୋଲି ସେ କହିଛନ୍ତି ।
ଏହାସହ ଆଜି ସଚିଦାନନ୍ଦ ମହାକୁଡ, ରାଜକିଶୋର ଦାସ ପ୍ରମୁଖ ବିଜେଡିରେ ଯୋଗଦାନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ସ୍ବାଗତ କରିବା ସହ କହିଛନ୍ତି ଯେ ଏମାନଙ୍କ ଯୋଗଦାନ ପାର୍ଟିକୁ ମଜଭୁତ କରିବ ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ