ରାଉରକେଲା: ହକି ବିଶ୍ବକପ୍ ପାଇଁ ପ୍ରସ୍ତୁତ ହେଉଛି ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମ । ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରାଉରକେଲା ଗସ୍ତ କରି ସମସ୍ତ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଥିଲେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଆଉ ଗୋଟିଏ ମାସ ପରେ ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ବିଶ୍ବକପ୍ ଆୟୋଜନ ହେବ । ଏହାକୁ ନେଇ ପୁରା ରାଉରକେଲା ସ୍ମାର୍ଟ ସିଟି ସଜେଇ ହେଉଛି । ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।
ବର୍ତ୍ତମାନ ସମସ୍ତ ନିର୍ମାଣ କାର୍ଯ୍ୟରେ କେବଳ ଶେଷ ସ୍ପର୍ଶ ଦିଆଯାଉଛି । ଖେଳାଳିଙ୍କ ପାଇଁ ଟର୍ଫ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି, ଦର୍ଶକ ଗ୍ୟାଲେରୀ ମଧ୍ୟ ପ୍ରସ୍ତୁତ ହୋଇଥିବାବେଳେ, ଅଭ୍ୟାସ ଗ୍ରାଉଣ୍ଡ ମଧ୍ୟ ପ୍ରସ୍ତୁତ କରାଯାଇଛି । ଏଠାରେ ଏକାସାଙ୍ଗରେ ୨୦ ହଜାର ଦର୍ଶକ ବସି ଏଠାରେ ମ୍ୟାଚ୍ ଦେଖି ପାରିବେ । ହକି ବିଶ୍ବକପ୍କୁ ନେଇ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ରହିଛି । ଅନ୍ଲାଇନ୍ରେ ମାତ୍ର ଗୋଟିଏ ଦିନରେ ସମସ୍ତ ଟିକେଟ୍ ବିକ୍ରି ହୋଇଥିଲା ।
ସୁନ୍ଦରଗଡ଼ ଜିଲ୍ଲାରେ ହକି ଭିତ୍ତିଭୂମି ବିକାଶ ପାଇଁ 17ଟି ବ୍ଲକରେ 17ଟି ଆଷ୍ଟ୍ର ଟର୍ଫ ବିଛା ଯାଇଛି । ଯୁଦ୍ଧକାଳୀନ ଭିତ୍ତିରେ ରାଉରକେଲା ହକି ଷ୍ଟାଡିୟମକୁ ପ୍ରସ୍ତୁତ କରିବାରେ ଲାଗି ପଡ଼ିଛନ୍ତି ରାଜ୍ୟ ସରକାର । ଉଭୟ ଦର୍ଶକ ଓ ଖେଳାଳିଙ୍କ ପାଇଁ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା କରିବା ଉପରେ ଧ୍ୟାନ ଦେଇଛନ୍ତି ରାଜ୍ୟ ସରକାର । ମୁଖ୍ୟ ଶାସନ ସଚିବ ଏହାର ସମୀକ୍ଷ କରିବା ପାଇଁ ଏକ ଟିମ୍ ସହ ରାଉରକେଲାରେ ପହଞ୍ଚିଥିଲେ । ଏହାପୂର୍ବରୁ ରାଉରକେଲା ବିମାନବନ୍ଦର ନିର୍ମାଣ କାର୍ଯ୍ୟ ସମୀକ୍ଷା କରିଥିଲେ ମୁଖ୍ୟ ଶାସନ ସଚିବ । ହକି ଷ୍ଟାଡିୟମ ସମୀକ୍ଷା ବେଳେ ରାଜ୍ୟ ସରକାରଙ୍କ ଏକ ଟିମ୍ ଉପସ୍ଥିତ ରହିଥିଲେ । ହକିର ମହାକୁମ୍ଭ ଦେଖିବା ପାଇଁ ପ୍ରସ୍ତୁତ ରାଉରକେଲା ଏବଂ ସୁନ୍ଦରଗଡ଼ ଜିଲ୍ଲା ।