ସୁନ୍ଦରଗଡ: ଚର୍ଚ୍ଚିତ ବିର୍ଜୁ କୁଲୁ। ଯାହାଙ୍କ ଫେରିବା ଘଟଣା ଗଣମାଧ୍ୟମର ଶିରୋନାମାରେ ଥିଲା। ବିର୍ଜୁଙ୍କ ଫେରିବାକୁ ନେଇ ପରିବାର ଲୋକେ ଓ ସମସ୍ତେ ଖୁସି ଥିଲେ। ହେଲେ ପାକିସ୍ତାନ ଜେଲରେ ଦୀର୍ଘ 20 ବର୍ଷ କାଳ ବନ୍ଦୀ ଜୀବନ କାଟିବା ପରେ ପୁଣି ବିର୍ଜୁ ନିଖୋଜ ହୋଇଯାଇଛନ୍ତି। ଗତକାଲି ବିଳମ୍ବିତ ରାତ୍ରିରେ ସେ ଘରୁ କେଉଁଆଡେ ଚାଲିଯାଇଥିବା ତାଙ୍କ ଭଉଣୀ ଥାନାରେ ଏତଲା ଦେଇଛନ୍ତି। ସୁନ୍ଦରଗଡ ଜିଲ୍ଲା କୁତ୍ରା ଥାନା ଅନ୍ତର୍ଗତ କଟଙ୍ଗ ପଞ୍ଚାୟତ ଜଙ୍ଗରପଡାର ବିର୍ଜୁ କୁଲ୍ଲୁ । ସେ ଗତ ନଭେମ୍ବର ମାସ 13 ତାରିଖରେ ଘରକୁ ଫେରିଥିଲେ ।
ସୂଚନା ଥାଉକି, ବିର୍ଜୁ 25 ବର୍ଷ ତଳେ ନିଖୋଜ ହୋଇଯାଇଥିଲେ । ମାନସିକ ଭାବେ ଅନଗ୍ରସର ଥିବା ବିର୍ଜୁ ଦୀର୍ଘ ବର୍ଷ ଧରି ନିଖୋଜ ରହିବା ଯୋଗୁଁ ପରିବାର ଲୋକେ ଆଶା ଛାଡିଦେଇଥିଲେ । ଭାବିଥିଲେ ସେ ମୃତ୍ୟୁ ବରଣ କରିଥାଇପାରନ୍ତି । ତେବେ ବର୍ଷକ ତଳେ ସେ ଲାହୋର ଜେଲରେ ବନ୍ଦୀ ଥିବା କଥା କୁତ୍ରା ପୋଲିସ ନିକଟରୁ ଜାଣିବାକୁ ପାଇଥିଲେ ପରିବାର ଲୋକେ । ତାପରେ ତାଙ୍କ ଫେରିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।
ଗତ ଅକ୍ଟୋବର ମାସ 26 ତାରିଖରେ ସେ ଲାହୋର ଜେଲରୁ ମୁକ୍ତି ପାଇଥିଲେ । ତାଙ୍କୁ ଭାରତକୁ ଅଣାଯାଇଥିଲା । ଭାରତକୁ ଆସିବା ପରେ ଓଡିଶା ସରକାର ଓ ଜିଲ୍ଲା ପ୍ରଶାସନର ସହଯୋଗରେ ସେ କୁତ୍ରା ଫେରିଥିଲେ । ଗଣମାଧ୍ୟମରେ ଏନେଇ ଜୋର ଚର୍ଚ୍ଚା ହୋଇଥିଲା । ସେ ସମୟରେ କୁତ୍ରା ବ୍ଲକ ପ୍ରଶାସନ ତାଙ୍କର ସମସ୍ତ ଦାୟିତ୍ତ୍ବ ବହନ କରିବ ବୋଲି ତାଙ୍କ ପରିବାର ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲା ।
ପ୍ରଥମ କେଇଦିନ କେତେ କିଲୋ ଚାଉଳ ଓ କିଛି ଟଙ୍କା ଦେଇ ଜିଲ୍ଲା ପ୍ରଶାସନ ତା’ର ଦାୟିତ୍ବ ନେଇଥିଲା । ହେଲେ ପରବର୍ତ୍ତି ସମୟରେ ବିର୍ଜୁକୁ କୌଣସି ସାହାଯ୍ୟ ମିଳିନଥିଲା । ବିର୍ଜୁ ଅନ୍ୟର ଘରେ ରହୁଥିଲା । ତେବେ ସେ ଗତ ଶନିବାର ଦିନ ମଧ୍ୟରାତିରୁ (ପ୍ରାୟ 1 ଟା ସମୟରୁ )ନିଖୋଜ ହୋଇଯାଇଥିବା କଥା ଜଣାପଡିଛି । ବିର୍ଜୁର ନିଖୋଜ ହେବା ଘଟଣା ନେଇ ଗତକାଲି କୁତ୍ରା ଥାନାରେ ତାଙ୍କ ଭଉଣୀ ଲିଖିତ ଅଭିଯୋଗ କରିଛନ୍ତି । ଏକ ସ୍ୱତନ୍ତ୍ର ଟିମ ଗଠନ କରି କୁତ୍ରା ପୋଲିସ ବିର୍ଜୁକୁ ଖୋଜୁଛି ।
ସୁନ୍ଦରଗଡରୁ ହରିହର ଦାଶ ମହାପାତ୍ର, ଇଟିଭି ଭାରତ