ସୁବର୍ଣ୍ଣପୁର: ଜିଲ୍ଲାର ସାଲମାଟିକ୍ରା ଗ୍ରାମରେ 20ରୁ କମ୍ ସଂଖ୍ୟକ ଛାତ୍ରଛାତ୍ରୀ ଥିବା ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ ରଖାଯାଇଛି । ତେବେ ଏହାକୁ ବିରୋଧ କରି ଗ୍ରାମର ମହିଳାମାନେ ଛାତ୍ରଛାତ୍ରୀଙ୍କ ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାର ଧାରଣା ଦେଇଛନ୍ତି ।
ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ 20ରୁ କମ ସଂଖ୍ୟକ ଛାତ୍ରଛାତ୍ରୀ ଥିବା ପ୍ରାଥମିକ ବିଦ୍ୟାଳୟଗୁଡ଼ିକ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ରହିଛି । ଏହି ନିୟମକୁ ଭିତ୍ତି କରି ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ସାଲମାଟିକ୍ରା ଗ୍ରାମର ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରାଯାଇଛି । କିନ୍ତୁ ଗ୍ରାମବାସୀ ଏହାକୁ ବିରୋଧ କରିଛନ୍ତି । ଗ୍ରାମର ମହିଳାମାନେ ଜିଲ୍ଲା ଶିକ୍ଷା ବିଭାଗର ନିଷ୍ପତ୍ତିକୁ ପ୍ରତିବାଦ କରି ଗ୍ରାମର ମହିଳାମାନେ ଛାତ୍ରଛାତ୍ରୀମାନଙ୍କୁ ନେଇ ଆନ୍ଦୋଳନ କରିଛନ୍ତି ।
ତେବେ ଏହି ଗାଁଟି ଜିଲ୍ଲାର ଆଭ୍ୟନ୍ତରୀଣ ଅଞ୍ଚଳରେ ଥିବାବେଳେ ଏହି ଗ୍ରାମକୁ ଭଲ ରାସ୍ତା ନାହିଁ । ପୁଣି ଏହି ବିଦ୍ୟାଳୟକୁ ନିକଟସ୍ଥ ଚେରୁପାଲି ବିଦ୍ୟାଳୟରେ ମିଶ୍ରଣ କରାଯାଇଥିବା ବେଳେ ତାହା ଦୁଇ କିଲୋମିଟରରୁ ଅଧିକ ରାସ୍ତା ପଡୁଥିବାରୁ ଛାତ୍ରଛାତ୍ରୀଙ୍କ ଯିବା ଆସିବାରେ ଅନେକ ଅସୁବିଧା ସୃଷ୍ଟି ହେଉଛି ବୋଲି ଅଭିଭାବକମାନେ ଅଭିଯୋଗ କରିଛନ୍ତି । ଏପରିକି 2009 ଶିକ୍ଷା ଅଧିକାର ଆଇନର ଖୋଲାଖୋଲି ଉଲ୍ଲଙ୍ଘନ ହେଉଥିବା କହିଛନ୍ତି ଗ୍ରାମବାସୀ । ଗ୍ରାମର ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ ନ କରିବାକୁ ଜିଲ୍ଲାପାଳ ମନୀଷା ବାନାର୍ଜୀଙ୍କୁ ଗ୍ରାମବାସୀମାନେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ