ସୁବର୍ଣ୍ଣପୁର: ସହରରେ ଚାଲିଛି ଯୁବ ବର୍ଗଙ୍କ ପାଇଁ ଟୀକାକରଣ । ପ୍ରଶାସନିକ ଅନୁମତି ମିଳିବା ପରେ ସହରର 7ଟି କେନ୍ଦ୍ରରେ ଆରମ୍ଭ ହୋଇଛି ଟୀକାକରଣ । ବହୁ ସଂଖ୍ଯାରେ ଯୁବାବର୍ଗ ଟୀକା ଗ୍ରହଣ କରାଯାଉଥିବା ଦେଖିବାକୁ ମିଳିଛି ।
ଜିଲ୍ଲାପାଳ ମନିଷା ବାନାର୍ଜୀ ଦୁଇ ଦିନ ଧରି ସହରରେ 1000 ଲେଖାଏଁ ଟୀକା ପ୍ରଦାନ କରିବାକୁ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେବା ପରେ ସଦର ପୌର ପରିଷଦ ପକ୍ଷରୁ ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର କରାଯାଇଥିଲା । ଯୁବ ବର୍ଗ କୋୱିନ ଆପରେ ରେଜିଷ୍ଟ୍ରେସନ କରି ସ୍ଲଟ ବୁକିଂ କରି ଟୀକା ନେଉଛନ୍ତି । ସହରର ସାତଗୋଟି କେନ୍ଦ୍ରରେ ଯୁବ ବର୍ଗ 18 ବର୍ଷରୁ 44 ବର୍ଷ ବୟସ୍କ ବ୍ୟକ୍ତିମାନଙ୍କୁ ଟୀକା ପ୍ରଦାନ କରାଯାଉଥିବା ବେଳେ ସାମାଜିକ ଦୂରତ୍ବ ରକ୍ଷା ଉପରେ ବେଶ ଗୁରୁତ୍ବ ଦିଆଯାଇଛି । ରେଜିଷ୍ଟ୍ରେସନ କରି ନ ଥିଲେ ଟୀକାକରଣ କେନ୍ଦ୍ରକୁ ଯିବା ପାଇଁ ମନା କରାଯାଇଛି ।
ଏଥିପାଇଁ ସହରର ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟରେ ଦୁଇ ଗୋଟି କେନ୍ଦ୍ର ,ସୋନପୁର ମହାବିଦ୍ୟାଳୟରେ ଦୁଇଗୋଟି କେନ୍ଦ୍ର ,ସଂସ୍କୃତି ଭବନରେ ଦୁଇଗୋଟି କେନ୍ଦ୍ର ଓ ମାରୱାଡି ଧର୍ମଶାଳାରେ ଗୋଟିଏ ଟୀକାକରଣ କେନ୍ଦ୍ର କରାଯାଇଛି । ତେବେ ଏବେ ମାତ୍ର ଦୁଇ ହଜାର ଟୀକା ପ୍ରଦାନ କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜଣାପଡିଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ