ସୁବର୍ଣ୍ଣପୁର: ସହରରେ ଜାଳେଣି ଗ୍ୟାସର ଅଭାବ ଦେଖା ଦେଇଛି । ଆଜକୁ ସପ୍ତାହେରୁ ଅଧିକ ସମୟ ହେଲାଣି ବଜାରରେ ଜାଳେଣି ଗ୍ୟାସ ମିଳୁନଥିବା ଅଭିଯୋଗ ହୋଇଛି । ବଜାରରେ ଗ୍ୟାସ ମିଳୁନଥିବା ଯୋଗୁ ବିଶେଷକରି ସହରରେ ଖାଉଟି ମାନେ ବେଶ ଅସୁବିଧାର ସମ୍ବୁଖୀନ ହେଉଛନ୍ତି।
ତେବେ ସହରରେ ଏକମାତ୍ର ବିତରକ କମ୍ପାନୀ ଥିବାରୁ ଲୋକେ ଅନ୍ୟ ଉପାୟ ନ ପାଇ ବିତରକ ଉପରେ ହିଁ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି । ଏବେ ସାତ ଦିନରୁ ଅଧିକ ହେଲା ସହରରେ ଗ୍ୟାସ ଆଉ ହୋମ ଡେଲିଭରି ହେଉନାହିଁ । ସେହିପରି ବିଭିନ୍ନ ଗାଁ ଗହଳିରୁ ଲୋକେ ଗ୍ୟାସ ନେବା ପାଇଁ ଆସି ଖାଲି ଗ୍ୟାସ ସିଲିଣ୍ଡର ଧରି ଘରକୁ ନିରାଶରେ ଫେରୁଛନ୍ତି ।
ତେବେ ବିତରକଙ୍କୁ ଆବଶ୍ୟକ ପରିମାଣରେ ଗ୍ୟାସ ସିଲିଣ୍ଡର ପ୍ରଦାନ କରାଯାଉ ନ ଥିବାରୁ ଖାଉଟି ମାନେ ଠିକ ସମୟରେ ଗ୍ୟାସ ନ ପାଇ ହଇରାଣ ହେଉଛନ୍ତି । ତେବେ ଜିଲ୍ଲା ପ୍ରଶାସନ ଏଦିଗରେ ହସ୍ତକ୍ଷେପ କରି ଖାଉଟିଙ୍କ ସମସ୍ୟା ଦୂର କରିବାକୁ ଖାଉଟି ମାନେ ଦାବି କରିଛନ୍ତି।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ