ସୁବର୍ଣ୍ଣପୁର: ବର୍ଜ୍ୟବସ୍ତୁରେ ନିଆଁ ଲାଗି ବିସ୍ଫୋରଣ । ଦୁଇ ଶିଶୁଙ୍କ ଉପରେ ଛିଟିକି ପଡ଼ିଲା ଅଧାଜଳା ବର୍ଜ୍ୟବସ୍ତୁ । ଫଳରେ ଶିଶୁମାନେ ଗୁରୁତର ଆହତ ହୋଇଛନ୍ତି । ତେବେ ସୁବର୍ଣ୍ଣପୁର ସଦର ପୌର ପରିଷଦ କଠିନ ବର୍ଜ୍ୟବସ୍ତୁ ପରିଚାଳନାରେ ସମ୍ପୂର୍ଣ୍ଣ ଫେଲ୍ ମାରିଥିବାରୁ ଏଭଳି ଅଭାବନୀୟ ଘଟଣା ଘଟିଥିବା ଅଭିଯୋଗ ହୋଇଛି । ଦୀର୍ଘ ଦିନ ପର୍ଯ୍ୟନ୍ତ ରାସ୍ତା କଡ଼ରେ ଏକତ୍ରିତ ବର୍ଜ୍ୟବସ୍ତୁ ଉଠା ନଯିବାରୁ ବର୍ଜ୍ୟବସ୍ତୁରେ ନିଆଁ ଲାଗି ଦୁଇ ଜଣ ଶିଶୁ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତ ହୋଇଥିବା ଶିଶୁ ଦୁଇଜଣଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ସୁବର୍ଣ୍ଣପୁର ସଦର ପୌର ପରିଷଦର ସଫେଇ କର୍ମଚାରୀମାନେ ସହରର ପୋଲିସ ରିଜର୍ଭ କଲୋନୀରେ ସଫେଇ କରି କଠିନ ବର୍ଜ୍ୟବସ୍ତୁ ସବୁକୁ ଏକତ୍ରୀତ କରି ରାସ୍ତା କଡ଼ରେ ଜମା କରିଥିଲେ । ଦୀପାବଳୀ ପରେ ପ୍ରାୟ ସପ୍ତାହେ ବ୍ୟାପି ବର୍ଜ୍ୟବସ୍ତୁ ଉଠା ନଯିବାରୁ କେହି ଜଣେ ବର୍ଜ୍ୟବସ୍ତୁରେ ନିଆଁ ଲଗାଇ ଦେଇଥିଲେ । ରିଜର୍ଭ କଲୋନୀରେ ରହୁଥିବା ଟ୍ରାଫିକ କନେଷ୍ଟବଳ ସୁନୀତା ପାତ୍ର ଘରେ ଅନୁପସ୍ଥିତ ଥିବା ସମୟରେ ତାଙ୍କ ଦୁଇ ଶିଶୁ ଆରାଧ୍ୟା ଓ ଆର୍ଯ୍ୟାନ ଖେଳୁଥିବା ବେଳେ ପାହାନ୍ତିଆରୁ ଘର ପାଖରେ ନିଆଁ ଲାଗିଥିବା ଦେଖିଥିଲେ । ତେବେ ଶିଶୁ ଦୁଇ ଜଣ ଶରୀରକୁ ଉଷୁମ ରଖିବା ପାଇଁ ନିଆଁ ପାଖକୁ ଯାଇଥିଲେ । ଦୀପାବଳୀ ସନ୍ଧ୍ୟାରେ ଅଫୁଟା ବାଣ ସବୁ ସେହି ବର୍ଯ୍ୟବସ୍ତୁ ଭିତରେ ରହିଥିଲା । ଶିଶୁମାନେ ନିଆଁ ପାଖକୁ ଯିବା ପରେ ସେହି ବାଣ ବିସ୍ଫୋରଣ ହୋଇଥିଲା । ଫଳରେ ବାଣ ବିସ୍ଫୋରଣରେ ଅଧାଜଳା ବର୍ଜ୍ୟବସ୍ତୁ ଶିଶୁମାନଙ୍କ ଶରୀର ଉପରକୁ ଛିଟିକି ପଡିଥିଲା ।
ଏହା ମଧ୍ୟ ପଢ଼ନ୍ତୁ........ଝିଅ ବାହାଘର ପାଇଁ ସାଇତି ଥିଲେ ଟଙ୍କା, ଜଳିପୋଡ଼ି ସବୁ ହେଲା ପାଉଁଶ
ତେବେ ବିସ୍ଫୋରଣ ଯୋଗୁଁ ଶିଶୁମାନଙ୍କ ମୁହଁ ଗୁରୁତର ଭାବେ ଜଳି ଯାଇଛି । ଆହତ ଶିଶୁମାନଙ୍କ ମୁହଁ ପୋଡି ଯାଇଥିବା ବେଳେ ଶରୀରର ବିଭିନ୍ନ ଯାଗାରେ ଅଧାଜଳା ବର୍ଜ୍ୟବସ୍ତୁ ପଡ଼ି ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଛି । ସ୍ଥାନୀୟ ଲୋକ ଶିଶୁ ଦୁଇ ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲ୍ ନେବା ସହ ସେମାନଙ୍କ ମାଆ ସୁନୀତାଙ୍କୁ ଖବର ଦେଇଥିଲେ । ବର୍ତ୍ତମାନ ଆହତ ଶିଶୁ ଦୁଇ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ତେବେ ସଦର ପୌର ପରିଷଦର ଏପରି କାର୍ଯ୍ୟକୁ ଜନସାଧାରଣ ତୀବ୍ର ନିନ୍ଦା କରିବା ସହିତ ସଦର ପୌରପରିଷଦ କର୍ତ୍ତୃପକ୍ଷଙ୍କୁ ଏହି ଘଟଣା ପାଇଁ ଦାୟୀ କରିଛନ୍ତି । ସହରର ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଓ ବୁଦ୍ଧିଜୀବୀମାନଙ୍କ ପକ୍ଷରୁ ସଦର ପୌର ପରିଷଦ କର୍ତ୍ତୃପକ୍ଷ କଠିନ ବର୍ଜ୍ୟବସ୍ତୁ ପରିଚାଳନା ଦିଗରେ ଯତ୍ନବାନ ହେବାକୁ ଅନୁରୋଧ କରିଛନ୍ତି ।
ଇଟିଭି ଭାରତ, ସୁବର୍ଣ୍ଣପୁର