ସୁବର୍ଣ୍ଣପୁର: ସହରରେ ଚାଲିଥିବା 4 ଲେନ ରାସ୍ତା ନିର୍ମାଣ କାର୍ଯ୍ୟ ଏବେ ବନ୍ଦ ହୋଇ ପଡିଛି । ମହାନଦୀ ପୋଲରୁ ତେଲନଦୀ ପୋଲ ଯାଏଁ ପ୍ରାୟ ସାଢ଼େ ଚାରି କିଲୋମିଟର ରାସ୍ତା ସମ୍ପୂର୍ଣ୍ଣ ହୋଇପାରିନାହିଁ ଯାହା ଫଳରେ ଲୋକେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।
ମହାନଦୀ ପୋଲରୁ ତେଲନଦୀ ପୋଲ ଯାଏଁ ପ୍ରାୟ ସାଢ଼େ ଚାରି କିଲୋମିଟର ଏହି ଫୋର ଲେନ ରାସ୍ତା ନିର୍ମାଣ ଏଯାଏଁ ଆରମ୍ଭ ହୋଇ ପାରି ନାହିଁ । କେବଳ ରାସ୍ତାର ଉଭୟ ପାର୍ଶ୍ବରେ ତିଆରି ଚାଲିଥିବା ଡ୍ରେନ ନିର୍ମାଣ କାର୍ଯ୍ୟ ବି ସମ୍ପୂର୍ଣ୍ଣ ହୋଇ ପାରି ନାହିଁ। ରାସ୍ତାର ପ୍ରାୟ 20 ପ୍ରତିଶତ କାର୍ଯ୍ୟ ଶେଷ ହୋଇଥିବା ବେଳେ ଆହୁରି 80 ପ୍ରତିଶତ କାର୍ଯ୍ୟ ବାକି ରହିଛି।ହେଲେ ଏବେ ଡ୍ରେନ ନିର୍ମାଣ କାର୍ଯ୍ୟ ବି ବନ୍ଦ ରହିଛି । ମହାନଦୀ ପୋଲ ପାଖରୁ ବ୍ଲକ ଛକ ଯାଏଁ ରାସ୍ତା ନବୀକରଣ ପାଇଁ ଓପାଡି ଦିଆଯାଇ ଥିବାରୁ ଗାଡି ମୋଟର ଯା ଆସରେ ଧୂଳି ଉଡୁଛି । ଫଳରେ ଲୋକେ ଅତିଷ୍ଠ ହୋଇ ପଡୁଛନ୍ତି । ଏଯାଏଁ ସମ୍ପୂର୍ଣ୍ଣ ରାସ୍ତା ପାର୍ଶ୍ବରେ ଥିବା ବିଦ୍ୟୁତ ଖୁଣ୍ଟ ସ୍ଥାନାନ୍ତର କାର୍ଯ୍ୟ ବି ଶେଷ ହୋଇପାରିନାହିଁ ।
ତେବେ ସହରବାସୀ ପୂର୍ତ୍ତ ବିଭାଗ ପାଖରେ ଶୀଘ୍ର ରାସ୍ତାର ପ୍ରଶାସ୍ତିକରଣ କାର୍ଯ୍ୟ ଶେଷ କରିବା ପାଇଁ ଦାବି କରୁଥିଲେ ହେଁ ପୂର୍ତ୍ତ ବିଭାଗ ଠିକାଦାରଙ୍କୁ ସୁହାଇବା ପରି କାର୍ଯ୍ୟ କରୁଥିବା ଅଭିଯୋଗ ହେଉଛି । ତୁରନ୍ତ ରାସ୍ତାର ନବୀକରଣ କାର୍ଯ୍ୟ ଶେଷ ହେଲେ ସହରବାସୀ ଶାନ୍ତିରେ ନିଶ୍ବାସ ମାରିବେ ବୋଲି ଚର୍ଚ୍ଚା ହେଉଛି ।
ସୁବର୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ