ସୁବର୍ଣ୍ଣପୁର: ତିଲେସରା ଅଙ୍ଗନବାଡି କେନ୍ଦ୍ରର ଅଙ୍ଗନବାଡି କର୍ମୀ ନିରୂପମା ବାଗଙ୍କ ଗିରଫକୁ ବିରୋଧ । ଏହାର ପ୍ରତିବାଦରେ ଗୁରୁବାର ଦ୍ବିତୀୟ ଦିନରେ ଅଙ୍ଗନବାଡି କର୍ମୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ସହ ସିଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ ।
ସୂଚନାଯୋଗ୍ୟ, ସୁବର୍ଣ୍ଣପୁର ଜିଲ୍ଲା ଜରାଜାରିଂ ଗ୍ରାମପଞ୍ଚାୟତର ତିଲେସରା ଅଙ୍ଗବାଡି କେନ୍ଦ୍ରରେ ଶିଶୁଙ୍କ ଖାଦ୍ୟରେ ଅନିୟମିତତାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ମନୀଷା ବାନାର୍ଜୀ ଦୃଢ ପଦକ୍ଷେପ ନେଇଥିଲେ । ଗତ ମଙ୍ଗଳବାର ଜିଲ୍ଲାପାଳ ମନୀଷା ବାନାର୍ଜୀ ଉକ୍ତ ଅଙ୍ଗନବାଡି କେନ୍ଦ୍ରକୁ ଯାଇ ଶିଶୁଙ୍କ ଖାଦ୍ୟ ଯାଞ୍ଚ କରିଥିଲେ । ଯାଞ୍ଚ ବେଳେ 20 ଜଣ ଶିଶୁ ଅଙ୍ଗନବାଡିରେ ଉପସ୍ଥିତ ଥିବାବେଳେ 28 ଶିଶୁଙ୍କ ଉପସ୍ଥାନ ପଡିଥିଲା । ତେବେ ଉପସ୍ଥାନ ଅନୁଯାୟୀ ରନ୍ଧାଖାଦ୍ୟ ପ୍ରସ୍ତୁତ କରାଯାଉଥିବା ଜିଲ୍ଲାପାଳ ଜାଣିବାକୁ ପାଇଥିଲେ । ଏହା ପରେ ଜିଲ୍ଲାପାଳ ସିଡିପିଓ ସବିତା ଦୋରାଙ୍କୁ ତୁରନ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସିଡିପିଓ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଅଙ୍ଗନବାଡ଼ି କର୍ମୀ ନିରୂପମା ବାଗଙ୍କ ନାଁରେ ତରଭା ଥାନାରେ ଲିଖିତ ଏତଲା ଦେଇଥିଲେ ।
ପୋଲିସ ନିରୂପମାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଜାମିନ ନାମଞ୍ଜୁର ହେବାରୁ ପୋଲିସ ନିରୂପମାଙ୍କୁ ଜେଲକୁ ପଠେଇ ଦେଇଛି । ନିରପୁମାଙ୍କ ଗିରଫକୁ ପ୍ରତିବାଦ କରି ତରଭା ବ୍ଲକର ଅଙ୍ଗନବାଡି କର୍ମୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ସହିତ ସିଡିପିଓଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି । ନିରୁପମାଙ୍କ କେସ ପ୍ରତ୍ୟାହାର କରିବା ସହିତ ତାଙ୍କୁ ପୁନର୍ବାର ନିଯୁକ୍ତି ଦେବାକୁ ଦାବି କରିଛନ୍ତି । ଏଥିସହ ସରକାରଙ୍କ ପାଖରୁ ଖାଦ୍ୟ ପ୍ରସ୍ତୁତି ପାଇଁ ମିଳୁଥିବା ଟଙ୍କା ଅପେକ୍ଷା ବଜାର ଦର ଅଧିକ ଥିବାରୁ ରନ୍ଧା ଦାୟିତ୍ବ ପ୍ରଶାସନ ନିଜ ହାତକୁ ନେବା ପାଇଁ ଦାବି କରିଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ