ସୁବର୍ଣ୍ଣପୁର: ଥାନା ଘେରିଲେ ଗ୍ରାମବାସୀ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଘେରାଉ କରିଛନ୍ତି ଝାରକୁମୁଣ୍ଡା ଗ୍ରାମବାସୀ । ଗାଁରେ ଥିବା କ୍ଲବ ଘରକୁ ଦୀର୍ଘ ୧୦ ବର୍ଷରୁ ଅଧିକ ସମୟ ହେଲା ଗାଁର ଜଣେ ଅସାମାଜିକ ପରିବାର ଜବରଦଖଲ କରି ରଖିଛନ୍ତି । ଏହାସହ ଗାଁରେ ନୂତନ ଭାବେ ନିର୍ମାଣଧୀନ ଦୁଇଟି କୋଠାକୁ ମଧ୍ୟ ଜବରଦଖଲ କରି ସାରିଛନ୍ତି । ଏହାକୁ ପ୍ରତିବାଦରେ ଥାନା ଆଗରେ ଧାରଣା ଦେଇଛନ୍ତି ଗ୍ରାମବାସୀ ।
ଗାଁରେ ଥିବା କ୍ଲବ ଘର ସରକାରୀ ଏବଂ ସାମୂହିକ ଗୃହ ହୋଇଥିବାରୁ ତାହା ଗ୍ରାମବାସୀଙ୍କୁ ହସ୍ତାନ୍ତର କରିବାକୁ ଝାରକୁମୁଣ୍ଡା ଗ୍ରାମବାସୀ ଦୀର୍ଘ ଦିନରୁ ଉକ୍ତ ଅସାମାଜିକ ପରିବାରକୁ କହି ଆସୁଥିଲେ । ହେଲେ ଉକ୍ତ ପରିବାର ଜବରଦଖଲରୁ ହଟିଯିବା ପରିବର୍ତ୍ତେ ଓଲଟି ଗ୍ରାମବାସୀଙ୍କୁ ଧମକ ଚମକ ଦେଇ ଆସୁଥିଲେ । ଏନେଇ ଗ୍ରାମବାସୀ ବୀରମହାରାଜପୁର ଥାନାରେ ପୂର୍ବରୁ ଅଭିଯୋଗ କରିଥିଲେ ମଧ୍ୟ କିଛି ଫଳ ମିଳିନଥିଲା । ପୁନର୍ବାର ଅସାମାଜିକ ପରିବାର ଲୋକମାନେ ଗ୍ରାମବାସୀଙ୍କୁ ମାରଣାସ୍ତ୍ର ଦେଖାଇ ହତ୍ୟା ଧମକ ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି ।
ଏନେଇ ଗ୍ରାମବାସୀ ପୁଣି ଥରେ ବୀରମହାରାଜପୁର ଥାନାରେ ଲିଖିତ ଅଭିଯୋଗ ପରେ ମଧ୍ୟ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆ ଯାଉନଥିବାରୁ ଶେଷରେ ଥାନା ଘେରିଥିଲେ ଗ୍ରାମବାସୀ । ଝାରକୁମୁଣ୍ଡା ଗାଁର ଶତାଧିକ ପୁରୁଷ ଓ ମହିଳା ବୀରମହାରାଜପୁର ଥାନାକୁ ଘେରାଉ କରି ରଖିବା ସହ ନ୍ୟାୟ ଦାବି କରିଥିଲେ । ତେବେ ପୋଲିସ ପକ୍ଷରୁ ଏପର୍ଯ୍ୟନ୍ତ ଅଭିଯୁକ୍ତ ପରିବାରର ୩ ଜଣକୁ ଥାନାକୁ ଆଣି ଅଟକ ରଖିଥିଲେ ମଧ୍ୟ ଏଯାଏଁ ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଗିରଫ କରି ନ ଥିବାରୁ ଅସନ୍ତୋଷ ବୃଦ୍ଧି ପାଉଛି । ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ