ସୁବର୍ଣ୍ଣପୁର: ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ଜଙ୍ଗଲୀ ପଶୁ । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲାରେ । ନିକଟସ୍ଥ ଅର୍ଜୁନପୁର ଜଙ୍ଗଲରୁ ପ୍ରତିଦିନ ମାଙ୍କଡ଼ ଦଳ ସହର ଭିତରକୁ ଖାଦ୍ୟ ଅନ୍ବେଷଣରେ ଆସି ଏ ଗଛରୁ ସେ ଗଛକୁ ଡେଇଁ ଫଳମୂଳ ଖାଉଛନ୍ତି । ଏପରିକି ଖାଦ୍ୟ ଖାଇବାକୁ ପରିବା ବଜ଼ାର ଓ ହୋଟେଲ ଗୁଡିକ ସମ୍ମୁଖରେ ଘଣ୍ଟା ଘଣ୍ଟା ଧରି ବସି ରହୁଛନ୍ତି ।
ତେବେ ନିକଟସ୍ଥ ଜଙ୍ଗଲରେ ଖାଦ୍ୟ ଅଭାବ ଯୋଗୁଁ ମାଙ୍କଡ଼ ମାନେ ସହର ଭିତରକୁ ଆସୁଥିବା ବେଳେ ସହରର କିଛି ସ୍ବେଛାସେବୀ ଏମାନଙ୍କୁ ଖାଦ୍ୟ ଦେଉଥିବା ଦେଖିବାକୁ ମିଳିଛି । ଅନେକ ସମୟରେ ମାଙ୍କଡ଼ ମାନେ ରାସ୍ତାରେ ଯାଉଥିବା ଯାନବାହାନ ଆଗକୁ ଚାଲି ଆସୁଥିବାରୁ ଅନେକ ଦୁର୍ଘଟଣା ହେବା ସହ ମାଙ୍କଡ଼ ମାନେ କ୍ଷତବିକ୍ଷତ ହୋଇ ମୃତ୍ୟୁ ମୁଖରେ ପଡୁଛନ୍ତି । ଏପରିକି ବିଦ୍ୟୁତ ଆଘାତରେ ମାଙ୍କଡ଼ ମାନଙ୍କ ପ୍ରାଣହାନୀ ହେଉଛି ।
କିନ୍ତୁ ବନ ବିଭାଗ ଏମାନଙ୍କ ସୁରକ୍ଷା ବିଷୟରେ ଚିନ୍ତା କରୁ ନ ଥିବା ଅଭିଯୋଗ ହେଉଛି । ପୁରୁଣା ଜଙ୍ଗଲର ପୁନଃରୁଦ୍ଧାର କରିବା ଅବା ନୂତନ ଜଙ୍ଗଲ ସୃଷ୍ଟି କରିବାରେ ବ୍ୟାପକ ସରକାରୀ ଅନୁଦାନ ଖର୍ଚ୍ଚ କରାଯାଉଥିବା ବେଳେ ଜଙ୍ଗଲରେ ବୃକ୍ଷ ରୋପଣ କରାଗଲେ ମାଙ୍କଡ଼ ମାନେ ଖାଦ୍ୟ ପାଇପାରନ୍ତେ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି । ଏ ଦିଗରେ ବନ ବିଭାଗ ଯତ୍ନବାନ ହେବା ଜରୁରୀ ହୋଇ ପଡିଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ