କଟକ: ଅନ୍ତର୍ଜାତୀୟ ସ୍ତରୀୟ ମ୍ୟାଚ ଆୟୋଜନରେ ଓସିଏର ବଡ଼ ବିଫଳତା । ବଦନାମ ମୁଣ୍ଡାଇଲା କଟକ । ଆଉ ବିଶ୍ୱରେ ବଦନାମ ହେଲା ବାରବାଟୀ । ଏହି ଘଟଣାକୁ ନେଇ ଓସିଏ ସମ୍ପାଦକ ଯେଉଁ ସ୍ପଷ୍ଟୀକରଣ ରଖିଛନ୍ତି ତାହାକୁ ପିଲାଳିଆମୀ ଆଉ ବାଚାଳମୀ କହିଛନ୍ତି କ୍ରୀଡ଼ାବିତ । କେବଳ ସେତିକି ନୁହେଁ ଓସିଏ ସମ୍ପାଦକ କେବଳ ପାସ ବାଣ୍ଟି ରାଜନେତାଙ୍କୁ ସନ୍ତୁଷ୍ଟ କରିଥିବା ଅଭିଯୋଗ କରିବା ସହ ଇସ୍ତଫା ଦେଇଦେବା ଉଚିତ ବୋଲି କହିଛନ୍ତି ଓସିଏର ପୂର୍ବତନ କାଉନସିଲ ସଦସ୍ୟ ବ୍ରଜ ନନ୍ଦ । ସେହିପରି ବାରବାଟୀ କଟକ ବିଧାୟିକା ସୋଫିଆ ଫିର୍ଦୋଷ ଏବଂ କଟକ ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ ଏହି ଘଟଣାକୁ ନିନ୍ଦା କରିବା ସହ ସଠିକ ତଦନ୍ତ କରିବାକୁ ଦାବି କରିଛନ୍ତି ।
ମ୍ୟାଚ ଆୟୋଜନକୁ ନେଇ ସାରା ବିଶ୍ୱରେ ଲଜ୍ଜିତ ହୋଇଛି ବାରବାଟୀ । ମ୍ୟାଚ ଅଧାରୁ ଫ୍ଲଡ଼ ଲାଇଟ ବନ୍ଦ ହୋଇଯିବା ଘଟଣାକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ନିନ୍ଦା କରାଯାଇଛି । ୫ କି ୧୦ ମିନିଟ ନୁହେଁ ବରଂ ୩୦ ମିନିଟ ରୁ ଅଧିକ ସମୟ ଧରି ଲାଇଟ ବନ୍ଦ ହେବା ଘଟଣାକୁ ନେଇ ଏବେ ଉଠିଛି ବଡ଼ ପ୍ରଶ୍ନ । ଏହି ଘଟଣାକୁ ନେଇ କ୍ରୀଡା ବିଭାଗ ଓସିଏକୁ କାରଣ ଦର୍ଶଅ ନୋଟିସ ଜାରି କରିଥିବା ବେଳେ ଏହା ଉପରେ ସ୍ପଷ୍ଟୀକରଣ ଦେଇଛି ଓସିଏ ।
ବଡ଼ କଥା ହେଉଛି ନିଜର ଦୋଷ ଦୃବଳତାକୁ ସ୍ୱୀକାର କରିବା ପରିବର୍ତ୍ତେ ଅନ୍ୟ ଉପରେ ଦୋଷ ଲଦି ଖସି ଯିବାକୁ ବସିଛି ଓସିଏ । ଅର୍ଥାତ ନିଜର ଦୋଷ ମୁଣ୍ଡାଇ ବାକୁ ନାରାଜ ଓସିଏ । ଏହା ଉପରେ ପ୍ରତିକ୍ରିୟା ରଖି ସମ୍ପାଦକ ସଞ୍ଜୟ ବେହେରା ଯାହା କହିଛନ୍ତି ତାହା କୁ ନେଇ ବି ଅନେକ ପ୍ରଶ୍ନବାଚି ସୃଷ୍ଟି କରିଛି । କହିବାକୁ ଗଲେ ବ୍ୟାକଅପ୍ ଜେନେରେଟର ନ ରଖି ଟିମ ବସ ଚାଳକକୁ ଦୋଷ ଦେଇ ନିଜ ମୁଣ୍ଡରୁ ଦୋଷ ଖସେଇବା ଭଳି ଭଲ ଯୋଜନା ହାତକୁ ନେଇଛି ଓସିଏ ।
"ଟିମ ଇଣ୍ଡିଆ ବ୍ୟାଟିଂ ସମୟରେ ଫ୍ଲଡ଼ ଲାଇଟ ଜଳିବା ପାଇଁ ସଂଯୋଗ ହୋଇଥିବା ଜେନେରେଟର ଓଭରଲୋଡ଼ ହେବାରୁ ଫ୍ଲଡ଼ ଲାଇଟ ବନ୍ଦ ହୋଇଥିଲା । ସଙ୍ଗେ ସଙ୍ଗେ ବ୍ୟାକଅପ ଜେନେରେଟର ଆଣିବା ସମୟରେ, ଟିମ ବସ "ରାସ୍ତାରେ ସମସ୍ୟା ସୃଷ୍ଟି କରିଥିଲା । ସେହିପରି ଚାଳକ ଖେଳ ଦେଖିବା ପାଇଁ ଯାଇଥିବା କାରଣରୁ ତାକୁ ଖୋଜି ବସ ସାଇଡ କରିବା ପାଇଁ ସମୟ ନେଇଥିଲା । ଯେଉଁ କାରଣରୁ ମ୍ୟାଚ ଆରମ୍ଭ ବିଳମ୍ବ ହୋଇଥିଲା," ବୋଲି ସମ୍ପାଦକ ସଞ୍ଜୟ ବେହେରା ସ୍ପଷ୍ଟୀକରଣ ରଖିଛନ୍ତି । "ଏହାବ୍ୟତୀତ କେବଳ ବାରବାଟୀ ନୁହେଁ ଅନ୍ୟ ଷ୍ଟାଡିଅମରେ ମଧ୍ୟ ଏଭଳି କୁଆଡେ ଫ୍ଲଡ଼ ଲାଇଟ ବନ୍ଦ ହେବାର ନଜିର ରହିଛି । ଏଭଳି ଘଟଣା ଆଗମୀ ଦିନରେ ହେବନି ଏବଂ ଏନେଇ ଏକ ତଦନ୍ତ ନିଶ୍ଚୟ ହେବ," ବୋଲି ଓସିଏ ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି ।
ଓସିଏର ସ୍ପଷ୍ଟୀକରଣ ଉପରେ କଡା ଜବାବ ଦେଇଛନ୍ତି ଓସିଏର ପୂର୍ବତନ କାଉନସିଲ ସଦସ୍ୟ ବ୍ରଜ ନନ୍ଦ । ସେ କହିଛନ୍ତି, "ଓସିଏ ଯେଉଁ ସ୍ପଷ୍ଟୀକରଣ ଦେଇଛି ତାହା ପିଲାଳିଆମୀ ଏବଂ ବାଚଳାମୀ । ଅନ୍ତର୍ଜାତୀୟ ମ୍ୟାଚକୁ ସାରା ବିଶ୍ୱ ଦେଖୁଥିଲା । ମ୍ୟାଚ ଅଧାରୁ ଲାଇଟ ବନ୍ଦ ହେବା ଆଉ ତାହା ପୁଣି ଅଧଘଣ୍ଟାରୁ ଅଧିକ ତାହା ଓସିଏର ସମ୍ପୂର୍ଣ୍ଣ ବିଫଳତା । କାରଣ ମ୍ୟାଚର ୫ /୬ ଦିନ ଆଗରୁ ଜେନେରେଟର ପରୀକ୍ଷା ନିରୀକ୍ଷା କରିବା କଥା । ସ୍ୱତନ୍ତ୍ର ଇଞ୍ଜିନିୟର ଏଥିପାଇଁ ନିୟୋଜିତ ହେବା କଥା । କେବଳ ସେତିକି ନୁହେଁ ଏତେ ବଡ଼ ମ୍ୟାଚ ହେଉଛି ମାତ୍ର ଜେନେରଟର ପାଖରେ ସୁରକ୍ଷା ବ୍ୟବସ୍ଥା କେମିତି ନଥିଲା," ବୋଲି ପୂର୍ବତନ ଓସିଏ କାଉନ୍ସିଲ ସଦସ୍ୟ ବ୍ରଜ କିଶୋର ନନ୍ଦ ପ୍ରଶ୍ନ କରିଛନ୍ତି ।
ଯଦି କେହି ଜେନେରେଟର ତାର କାଟି ଦେଇଥାନ୍ତେ ତାହେଲେ ତାକୁ କଣ କରାଯାଇପାରିଥାନ୍ତା ! ଅର୍ଥାତ ଜେନେରେଟର ପାଖରେ ସୁରକ୍ଷା ଵ୍ୟଵସ୍ଥା ନଥିଲା । ଆଉ ଯଦି ଥିଲା ତେବେ ବସ କେମିତି ସେଠାରେ ରହିଲା ବୋଲି ଓସିଏର ସ୍ପଷ୍ଟୀକରଣକୁ ଅତି କଡା ଭାଷାରେ ନିନ୍ଦା କରିଛନ୍ତି । ସେ ଆହୁରି କହିଛନ୍ତି ଯେ ଓସିଏର ସ୍ପଷ୍ଟୀକରଣ ଗ୍ରହଣୀୟ ନୁହେଁ । ଏଭଳି ଘଟଣା ପୂର୍ବରୁ କେବେ ଘଟି ନଥିଲା । ଓସିଏ ସମ୍ପାଦକ କେବଳ ପାସ ବାଣ୍ଟି ରାଜନେତାଙ୍କୁ ସନ୍ତୁଷ୍ଟ କରିଛନ୍ତି ବୋଲି ସେ ଅଭିଯୋଗ ମଧ୍ୟ କରିଛନ୍ତି । ସେହିପରି ଫ୍ଲଡ଼ ଲାଇଟ କମିଟି ଗଠନ ହୋଇଥିଲା କି ନାହିଁ ବୋଲି ପ୍ରଶ୍ନ କରିବା ସହ ଓସିଏକୁ କାଠଗଡାକୁ ଟାଣିଛନ୍ତି ବ୍ରଜ । ତେବେ ଏହି ବଡ଼ ବିଫଳତା ପାଇଁ ଓସିଏ ସମ୍ପାଦକ ଦାୟୀ ଏବଂ ସେ ଇସ୍ତଫା ଦେଇଦେବା କଥା ବୋଲି ବ୍ରଜ କହିଛନ୍ତି।
ଦୀର୍ଘ ୩ ବର୍ଷ ପରେ ବାରବାଟୀକୁ ଫେରିଥିଲା ମ୍ୟାଚ-
ବିସିସିଆଇ ପକ୍ଷରୁ ଦୀର୍ଘ ୩ ବର୍ଷ ପରେ ମ୍ୟାଚ ଆଲର୍ଟ ପରେ ଓସିଏରେ ବସିଥିଲା ଘନ ଘନ ବୈଠକ । ଜିଲ୍ଲା ପ୍ରଶାସନ, ମହାନଗର ନିଗମ, କମିଶନରେଟ ପୋଲିସ ପ୍ରତିଦିନ ମାରାଥାନ ଗସ୍ତ କରି ଷ୍ଟାଡିୟମର ମଧ୍ୟ ସମୀକ୍ଷା କରିଥିଲେ । କହିବାକୁ ଗଲେ ରାଜ୍ୟ ସରକାରଙ୍କ ତତ୍ୱାବଧାନରେ ମ୍ୟାଚ ମଧ୍ୟ ପରିଚାଳନା ହେଲା । ମନ୍ତ୍ରୀ ବିଧାୟକ ଏପରିକି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିନ ତମାମ ଐତିହାସିକ ବାରବାଟୀ ଷ୍ଟାଡିୟମରେ ଉପସ୍ଥିତ ରହି ମ୍ୟାଚ ଉପଭୋଗ କଲେ । ହେଲେ ଏତେ ଯୋଜନା ବ୍ଲୁ ପ୍ରିଣ୍ଟ ପରେ ମଧ୍ୟ ଘଟିଗଲା ଏହି ଅଘଟଣ ।
"ଭାରତ ଟିମର ବ୍ୟାଟିଂ ଜମି ଆସୁଥିଲା ବେଳେ ହଠାତ ବନ୍ଦ ହେଇଗଲା ଫ୍ଲଡ଼ ଲାଇଟ । ସମସ୍ତେ ଆଚମ୍ବିତ ହୋଇଗଲେ। ମ୍ୟାଚ ହେବକି ନାହିଁ ତାହା ମଧ୍ୟ ଅନିଶ୍ଚିତତା ମଧ୍ୟରେ କିଛି ସମୟ ପାଇଁ ଗତି କରିଥିଲା । ମୈଦାନରୁ ଖେଳାଳି ଡ୍ରେସିଂ ରୁମକୁ ଫେରିଥିଲେ । ଫ୍ୟାନ୍ସ ମଧ୍ୟ କିଛି ସମୟ ପାଇଁ ହୋ ହାଲା କରିଥିଲେ । ହେଲେ ଏହି ଅଧ ଘଣ୍ଟାଏ ସମୟ ପାଇଁ ବିଶ୍ୱରେ ନିନ୍ଦାର ପରିସର ହେଲା କଟକ । କଳଙ୍କିତ ଅଧ୍ୟାୟ ଲେଖିଲା ଓଡିଶା । ଏହି ଘଟଣାରେ ଏକ ଉଚ୍ଚ ସ୍ତରୀୟ ତଦନ୍ତ କମିଟି ଗଠନ କରି ଶୀଘ୍ର ସର୍ବ ସମୁଖକୁ ରିପୋର୍ଟ ଆସିବା ଆବଶ୍ୟକ," ବୋଲି କହିଛନ୍ତି ମେୟର ସୁବାସ ସିଂ।
ଏହା ବି ପଢନ୍ତୁ- ଖେଳ ମଝିରେ ଅନ୍ଧକାର ହୋଇଗଲା ଷ୍ଟାଡିୟମ, ଅଧ ଘଣ୍ଟା ଧରି ଖେଳ ବନ୍ଦ - IND VS ENG 2ND ODI
"ଓସିଏ ଓ ରାଜ୍ୟ ସରକାରଙ୍କ ଏହି ଚରମ ଅବହେଳା ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଯିଏ ଏହି ଘଟଣାରେ ଦୋଷୀ ତାଙ୍କ ବିରୋଧରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯାଉ । ଓ ଆଗମୀ ଦିନରେ ଏହି ବିଷୟ ବିଧାନସଭାରେ ଉତ୍ଥାପନ ହେବ," ବୋଲି କହିଛନ୍ତି ବାରବାଟୀ ବିଧାୟିକା ସୋଫିଆ ଫିର୍ଦୋଷ । ସେହିପରି କଟକ ଚୌଦ୍ୱାର ବିଧ୍ୟାୟକ ସୌଭିକ ବିଶ୍ୱାଳ ମଧ୍ୟ ଏହି ଘଟଣାକୁ ନିନ୍ଦା କରିବା ସହ ଘଟଣାର ତଦାନ୍ତ କରିବାକୁ ସେ ଦାବି କରିଛନ୍ତି।
ଅନ୍ୟପଟେ କଟକ ଅତିରିକ୍ତ ଡିସିପି ଅମରେନ୍ଦ୍ର ପଣ୍ଡା କହିଛନ୍ତି, "ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଆସିବା ପରେ ପୋଲିସ ଏହାକୁ ତଦନ୍ତ କରିବ । ବାସ୍ତବିକ କେଉଁ କାରଣରୁ ଲାଇଟ କଟିଲା ! ବସ ଚାଳକ କେଉଁଠି ଥିଲା ! ବ୍ୟାକଅପ୍ ବ୍ୟବସ୍ଥା ସଠିକ ଭାବରେ କରାଯାଇଥିଲା କି ନାହିଁ !"
ଅନିୟମିତତାର ସୀମା ପାର କଲା ଓଡିଶା କ୍ରିକେଟ ଆସୋସିଏସନ । ସଫଳତା ସ୍ଥାନରେ ପୁଣି ବିଫଳତା ସାଉଁଟିଲା ଓସିଏ । ଗତକାଲି ବାରବାଟୀରେ ଖେଳାଯାଇଥିବା ଭାରତ ଓ ଇଂଲଣ୍ଡ ଦ୍ୱିତୀୟ ଦିନିକିଆରେ ଘଟିଗଲା ବଡ଼ ବିଭ୍ରାଟ । ୨୦ ମିନିଟରୁ ଉର୍ଦ୍ଧ୍ବ ସମୟ ଫ୍ଲଡ଼ ଲାଇଟ ବନ୍ଦ ହେବା ଫଳରେ କଟକ ସମେତ ଓଡିଶାକୁ ଲାଗିଲା ଶକ୍ତ ଝଟକା । ଉଭୟ ଦର୍ଶକ ଓ ଖେଳାଳି ପ୍ରକାଶ କଲେ ତୀବ୍ର ଅସନ୍ତୋଷ । ତେବେ ଏତେ ବଡ଼ ଅଘଟଣା ପାଇଁ ଦାୟୀ କିଏ ? ଯଦି ରାଜ୍ୟ ସରକାର ଓ ଓସିଏର ମିଳିତ ଉଦ୍ୟମରେ ଏହି ମ୍ୟାଚ ପରିଚାଳନା ହେଉଥିଲା ତେବେ ଏତେ ବଡ଼ ଘଟଣା ଘଟିଲା କେମିତି । ଟିକେଟ ବିକ୍ରି ସମୟରେ ଦଳାଚକଟା ଘଟଣା ଓଡିଶା ସମେତ ଦେଶରେ ଶୀର୍ଷକ ଖବର ପାଲଟିଥିଲା । ଯେଉଁଟି ଓସିଏ ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷରେ ବଦନାମ ହୋଇଥିଲା ।
ବାରବାଟୀ ରେ ମହା ବିଭ୍ରାଟ ପାଇଁ ଦାୟୀ କିଏ ! ଯଦିଓ ଏହି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ତଥାପି ନାଲି ଫିତା ତଳେ ବାନ୍ଧି ହୋଇ ରହି ଯିବନି ତ ତଦନ୍ତ ପ୍ରକ୍ରିୟା ! ଏହି ଭଳି ଅନେକ ପ୍ରଶ୍ନ ଯାହାକି ସାଧାରଣରେ ଉଙ୍କି ମାରିଛି ।
ଭୁବନେଶ୍ୱରରୁ ସଞ୍ଜୀବ ରାୟ, ବିକାଶ ଦାସଙ୍କ ସହ କଟକରୁ ପ୍ରଭୁକଲ୍ୟାଣ ପାଲ ଓ ନାରାୟଣ ସାହୁ, ଇଟିଭି ଭାରତ