ସୁବର୍ଣ୍ଣପୁର: ସହରରେ ପ୍ରଥମ କୋଭିଡ 19 ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ସହରର ଏକ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ମଙ୍ଗଳବାର ଜିଲ୍ଲାପାଳ ମନୀଷା ବାନର୍ଜୀ ଏକ ନିର୍ଦେଶରେ ପଦ୍ମିନୀ ଦେବୀ ମହାବିଦ୍ୟାଳୟ ଛକ ପଶ୍ଚିମ ଉତ୍ତରରୁ ଆରମ୍ଭ କରି ସତ୍ୟମ ସାନିଟାରୀ ଛକ, ପଶ୍ଚିମରେ ଚିନ୍ମୟ ଆଇଏଏସ ଛକ, ମାଣିକେଶ୍ୱରୀ ଛକ ପୂର୍ବ ଦିଗ, ଦକ୍ଷିଣ ପୂର୍ବ କୁଞ୍ଜ ଢ଼ାବା ରୋଡ଼କୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି ।
ମଙ୍ଗଳବାର ସନ୍ଧ୍ୟା 6 ଟାରୁ 10 ଦିନ ଯାଏଁ ଏହି କଣ୍ଟେନମେଣ୍ଟ ବଳବତ୍ତର ରହିବ ବୋଲି ଆଦେଶରେ କୁହାଯାଇଛି । କଣ୍ଟେନମେଣ୍ଟ ଜୋନରେ ଦୋକାନବଜାର, ଗାଡିମୋଟର ବନ୍ଦ ରହିବା ସହିତ ଦୈନନ୍ଦିନ ଆବଶ୍ୟକ ସାମଗ୍ରୀ ଯୋଗାଇ ଦେବା ପାଇଁ ସଦର ପୋୖର ପରିଷଦର ଜଣେ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି। ସେହିପରି ଆଇନ ଶୃଙ୍ଖଳା ପାଇଁ ସଦର ତହସିଲଦାର, ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଜିଲ୍ଲାର ଜଣେ ଉପ ମୁଖ୍ୟ ଚିକିତ୍ସାଧିକାରୀ ଓ କଣ୍ଟେନମେଣ୍ଟ ଜୋନ ତଦାରଖ ପାଇଁ ଉପ ଜିଲ୍ଲାପାଳ ବଳରାମ ମଲ୍ଲିକଙ୍କୁ ଦାଇତ୍ୱ ଦିଆଯାଇଛି । ତେବେ ସହରରେ ପ୍ରଥମ କୋଭିଡ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇ ଥିବାରୁ ସହରବାସୀଙ୍କ ଭିତରେ ଭୟର ବାତାବରଣ ଖେଳିଯାଇଛି।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ