ସୁବର୍ଣ୍ଣପୁର: ତରଭା ଥାନା ନୂଆପାଲି ଗାଁରୁ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା ଏକ ଭିନ୍ନ ମୋଡ ନେଇଛି । ପୋଲିସ ପୋଷ୍ଟମଟମ୍ ରିପୋର୍ଟ ନଦେଇ ଅପମୃତ୍ୟୁ ମାମଲା ରୁଜୁ କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।
ସୂଚନା ଅନୁଯାୟୀ ଗତ ମେ 23 ତାରିଖରେ ନୂଆଁପାଲି ଗାଁର ରଙ୍କମଣୀ ଦେହୁରୀଙ୍କ ଚାଷଜମିରେ ଥିବା ଏକ ପଳାଶ ଗଛରୁ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ଏନେଇ ପରିବାର ଲୋକେ ପୋଲିସକୁ ଖବର ଦେବା ସହ ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଥିଲେ । ଏଥିସହ ଗାଁର କଳାକୃଷ୍ଣ ଖେତି ନାମକ ଜଣେ ବ୍ୟକ୍ତିଙ୍କ ଘଟଣାରେ ସମ୍ପୃକ୍ତି ଥିବା ନେଇ ଅଭିଯୋଗ କରିଥିଲେ । ମାତ୍ର ପୋଲିସ ପୋଷ୍ଟମଟମ ରିପୋର୍ଟ ପରେ ତଦନ୍ତ କରିବ ବୋଲି କହି ଅପମୃତ୍ୟୁ ମାମଲା ରୁଜୁକରି ଘଟଣାକୁ ଚାପି ଦେବାକୁ ଉଦ୍ୟମ କରୁଥିବା ଅଭିିଯୋଗ ହୋଇଛି ।
ନାବାଳିକା ମୃତ୍ୟୁର ଏତେ ଦିନ ପରେ ବି କୌଣସି ତଦନ୍ତ କରାଯାଉନାହିଁ କି ଅଭିଯୁକ୍ତକୁ ଥାନାକୁ ଆଣି ପଚାରାଉଚୁରା କରାଯାଉ ନ ଥିବା ଅଭିଯୋଗ ହୋଇଛି । ମୃତ ନାବାଳିକା ଜଣକ ବିରବର ସିଂଙ୍କ 17 ବର୍ଷୀୟା ଝିଅ ରୀସ୍ନା ସିଂ । ରୀସ୍ନାଙ୍କ ଘର ବୌଦ୍ଧ ଜିଲ୍ଲା ଦହ୍ୟା ନିକଟ ସିଂହପାଲିରେ ହୋଇ ଥିବାବେଳେ ସେ ନିଜ ମାମୁଁ ଘର ନୂଆପାଲି ଗାଁରେ ରହି ବଡ଼ଭଇରୋ କଲେଜରେ +2 ପଢୁଥିଲା । ନାବାଳିକାଙ୍କୁ ହତ୍ୟା କରା ଯାଇଥିବା ନେଇ ତାଙ୍କ ମାମୁଁ ଥାନାରେ ଅଭିଯୋଗ କରିଥିଲେ । ତେବେ ଘଟଣାର ସଠିକ୍ ତଦନ୍ତ କରିବାକୁ ମୃତ ନାବାଳିକାଙ୍କ ମାମୁଁ ଦାବି କରିଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ