ସୋନପୁର: ଅଘୋଷିତ ବିଦ୍ୟୁତ କାଟକୁ ବନ୍ଦ କରିବା ଦାବିରେ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କଲା ଜିଲ୍ଲା କଂଗ୍ରେସ କମିଟି । ସହରର ଟାଟା ପାୱାର ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଅଣ୍ଡାମାଡ କଲେ କମିଟିର ସଦସ୍ୟ । ଏହି ଆନ୍ଦୋଳନରେ ଜିଲ୍ଲା କଂଗ୍ରେସ କମିଟି, ବ୍ଳକ କଂଗ୍ରେସ କମିଟି ତଥା ଗ୍ରାମ୍ୟ କଂଗ୍ରେସ କମିଟିର ସଦସ୍ୟମାନେ ସାମିଲ ହୋଇଥିଲେ । ରାଜ୍ୟ ସରକାର ଓ ଟାଟା ପାୱାର କମ୍ପାନୀ ବିରୁଦ୍ଧରେ ନାରାବାଜି କରିବା ସହିତ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ଉପରକୁ ଅଣ୍ଡା ମାଡ କରିଥିଲେ ଆନ୍ଦୋଳନକାରୀ। ଜିଲ୍ଲା କଂଗ୍ରସ କମିଟିର ସଭାପତି ଗୌରୀଶ୍ୟାମ ପଣ୍ଡାଙ୍କ ନେତୃତ୍ବରେ ଏହି ଆନ୍ଦୋଳନ ଡାକରା ଦିଆଯାଇଥିଲା ।
ଅପ୍ରିତିକର ପରିସ୍ଥିତିକୁ ଏଡେଇବା ପାଇଁ ପୋଲିସ ମୁତୟନ କରାଯାଇଥିଲା । ପୋଲିସ କର୍ମଚାରୀଙ୍କ ଅନୁରୋଧ କ୍ରମେ କଂଗ୍ରେସ କର୍ମୀମାନେ ଶାନ୍ତ ହୋଇଥିଲେ । ଜିଲ୍ଲାରେ ହେଉଥିବା ଅଘୋଷିତ ବିଦ୍ୟୁତ କାଟକୁ ତୁରନ୍ତ ବନ୍ଦ କରିବା ସହିତ ନିରବଚ୍ଛିନ୍ନ ଭାବେ ବିଦ୍ୟୁତ ଯୋଗାଣ ପାଇଁ ଜିଲ୍ଲା କଂଗ୍ରେସ କମିଟି ଦାବି କରିଛି । ସେହିପରି ବିଦ୍ୟୁତ ଦର ଅହେତୁକ ଭାବେ ବୃଦ୍ଧି କରାଯାଇଥିବାରୁ ଏହାକୁ କମ କରିବା ପାଇଁ ବି ଦାବି କରିଥିଲେ।
ବକେୟା ବିଦ୍ୟୁତ ବିଲ ଆଦାୟ ବେଳେ ଗ୍ରାହକଙ୍କ ଉପରେ ଜୋର ଜୁଲୁମ ନକରି ସେମାନଙ୍କ ଆର୍ଥିକ ସ୍ଥିତିକୁ ଅନୁଧ୍ୟାନ କରିବା ଆବଶ୍ୟକ। ଏହାପରେ ବିଦ୍ୟୁତ ବିଲ ଆଦାୟ କରିବା ପାଇଁ ବିଦ୍ୟୁତ ବିଭାଗକୁ ତାଗିତ କରିଛନ୍ତି ଆନ୍ଦୋଳନକାରୀ । ଏଥିରେ ବ୍ୟତିକ୍ରମ ହେଲେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦିଆଯାଇଛି । ସେହିପରି ଜିଲ୍ଲାର ଗ୍ରାମାଞ୍ଚଳରେ ନିରବଚ୍ଛିନ୍ନ ଭାବେ ବିଦ୍ୟୁତ ଯୋଗାଣ କରିବା,ଲୋ ଭୋଲଟେଜ ସମସ୍ୟା ତୁରନ୍ତ ସମାଧାନ କରିବା, ଗ୍ରାହକଙ୍କ ଉପରେ ଥିବା ବକେୟା ବିଦ୍ୟୁତ ବିଲ ଜୋର ଜୁଲୁମ କରି ଆଦାୟ ନ କରିବା,ଗ୍ରାହକଙ୍କ ଆର୍ଥିକ ସ୍ଥିତିକୁ ଅନୁଧ୍ୟାନ କରି ବିଦ୍ୟୁତ ବିଲ ଆଦାୟ କରିବାକୁ କୁହାଯାଇଛି।
ବିଦ୍ୟୁତ ଦର କମାଇବା, ଜିଲ୍ଲାରେ ବିଦ୍ୟୁତ ଭିତ୍ତିଭୂମୀକୁ ସୁଦୃଢ କରିବା, ଉଠା ଜଳସେଚନ ପ୍ରକଳ୍ପ ଗୁଡିକର ବିଦ୍ୟୁତ ସଂଯୋଗକୁ କାର୍ଯ୍ୟକ୍ଷମ କରିବା,ମାସର ନିର୍ଦ୍ଦିଷ୍ଟ ତାରିଖରେ ବିଦ୍ୟୁତ ବିଲ ସଂଗ୍ରହ କରିବା, ନିର୍ଦ୍ଧାରିତ ସମୟରେ ଗ୍ରାହକଙ୍କୁ ବିଦ୍ୟୁତ ବିଲ ପ୍ରଦାନ କରିବା ଆଦି ଦାବି ହୋଇଛି । ରାଜ୍ୟ ସରକାର ବିଦ୍ୟୁତ ଭିତ୍ତିଭୂମୀ ବିକାଶରେ ବ୍ୟାପକ ଅର୍ଥ ଘୋଟାଲା କରିଥିବା ବେଳେ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ଆନ୍ଦୋଳନକାରୀ । ଆନ୍ଦୋଳନ ମାଧ୍ୟମରେ ଜିଲ୍ଲା କଂଗ୍ରେସ କମିଟି ରାଜ୍ୟ ଶକ୍ତି ବିଭାଗ,ଟାଟା ପାୱାର କମ୍ପାନୀ,ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଜିଲ୍ଲାରେ ଭୟାବହ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛନ୍ତି ।
ଇଟିଭି ଭାରତ, ସୋନପୁର