ସୁବର୍ଣ୍ଣପୁର: ପଞ୍ଚାୟତ ନିର୍ବାଚନ ପାଇଁ ଜୋର୍ ଧରିଛି ତାତି । ଏନେଇ ସୁବର୍ଣ୍ଣପୁର ଜିଲ୍ଲା ବିଜେପି ପକ୍ଷରୁ ବେଆଇନ ଭାବେ ସ୍ଥାନ ସଂରକ୍ଷଣ କରାଯାଇଥିବା ନେଇ ହୋଇଛି ଅଭିଯୋଗ । ପଞ୍ଚାୟତ ନିର୍ବାଚନ ପାଇଁ ଅନୂସୂଚିତ ଜାତି, ଅନୂସୂଚିତ ଜନଜାତି, ପଛୁଆ ବର୍ଗ ଓ ମହିଳାଙ୍କ ସ୍ଥାନ ସଂରକ୍ଷଣ ବିଜେଡି ଦଳକୁ ସୁହାଇବା ପରି କରାଯାଇଛି । ତେବେ ପ୍ରାରମ୍ଭିତ ତାଲିକା ଗତ ଅକ୍ଟୋବର 10ରେ ପ୍ରକାଶିତ ହେବା ପରେ ଏହା ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି ।
ସେପଟେ ବିଜେଡି ନେତା, ମନ୍ତ୍ରୀଙ୍କୁ ସୁହାଇବା ଓ ବିଜେଡି କର୍ମୀମାନଙ୍କ ପତିଆରା ଥିବା ସ୍ଥାନରେ ବିଜେଡି କର୍ମୀମାନେ ଯେପରି ଅନାୟାସରେ ବିଜୟୀ ହେବେ ସେହିଭଳି ଭାବେ ସ୍ଥାନ ସଂରକ୍ଷଣ କରି ପ୍ରାରମ୍ଭିକ ତାଲିକା ପ୍ରକାଶନ କରାଯାଇଥିବା ନେଇ ବିଜେପି ଅଭିଯୋଗ କରିଛି ।
ଆଉ ଏହି ତାଲିକାରେ ପଞ୍ଚାୟତିରାଜ ଆଇନ, ଓଡିଶା ପଞ୍ଚାୟତ ସମିତି ଆଇନ, ଓଡିଶା ଗ୍ରାମ ପଞ୍ଚାୟତ ଆଇନ, ଓଡିଶା ଜିଲ୍ଲା ପରିଷଦ ଆଇନର ସଂପୂର୍ଣ୍ଣ ଉଲଙ୍ଘନ ହୋଇଥିବା ଅଭିଯୋଗ ହୋଇଛି । ତେବେ ସ୍ଥାନ ସଂରକ୍ଷଣ ନାଁରେ ଜିଲ୍ଲା ପ୍ରଶାସନ ବିଜେଡିକୁ ସୁହାଇବା ପରି କାର୍ଯ୍ୟ କରୁଥିବା ନେଇ ମଧ୍ୟ ଅଭିଯୋଗ ଆଣିଛନ୍ତି ବିଜେପି ନେତା ।
ତେବେ ସ୍ଥାନ ସଂରକ୍ଷଣ ଆଇନ ଆଧାରରେ କରିବା ନେଇ ବିଜେପି ଦଳ ପକ୍ଷରୁ ଜିଲ୍ଲା ପ୍ରଶାସନ ନିକଟରେ ଲିଖିତ ଅଭିଯୋଗ କରିବା ସହ ଏହି ଘଟଣାର ତଦନ୍ତ ଦାବି କରିଛନ୍ତି । ଏହି ଘଟଣାରେ କୌଣସି ସ୍ଥାୟୀ ସମାଧାନ ନ ବାହାରେ ତେବେ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବା ନେଇ ଜିଲ୍ଲା ବିଜେପି ସଭାପତି ପ୍ରମୋଦ ମହାପାତ୍ର ସୂଚନା ଦେଇଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ