ସୁବର୍ଣ୍ଣପୁର: ଜିଲ୍ଲା ତେଲିପାଲି ଗାଁରେ ଯୁବା ବୟସରେ ପରିବାରର ବୋଝ ହୋଇଛନ୍ତି ଜଣେ ୨୫ ବର୍ଷୀୟ ଯୁବକ । ଦୀର୍ଘ 2 ବର୍ଷ ହେଲା ବ୍ରେନ ଟ୍ୟୁମର ରୋଗରେ ପୀଡିତ ହେବା ପରେ ଘରର ଆର୍ଥିକ ଅବସ୍ଥା ଶୋଚନୀୟ ହୋଇ ପଡିଛି । ସରକାରୀ ସହାୟତା ଲୋଡିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଜଣାପଡିଛି ।
ତେଲିପାଲି ଗ୍ରାମର ଜୁଆନି ଭଇନାଙ୍କ ଦ୍ବିତୀୟ ପୁଅ ହେଉଛନ୍ତି କୁଶ ଭଇନା । ତାଙ୍କ ବୟସ 25 ବର୍ଷ ହୋଇଥିବା ବେଳେ ସେ ଗତ 2 ବର୍ଷ ଧରି ବ୍ରେନ ଟ୍ୟୁମରରେ ପୀଡିତ ଅଛନ୍ତି । ବୀରମହାରାଜପୁର ମହାବିଦ୍ୟାଳୟରେ ୨୦୧୭ରେ ଓଡିଆରେ ସ୍ନାତକ ଶିକ୍ଷା ଶେଷ କରିଛନ୍ତି । ପାଠ ପଢା ସମୟରେ ବେଳେ ବେଳେ ତାଙ୍କର ମୁଣ୍ଡ ବ୍ୟଥା ହେଉଥିଲା । ମୁଣ୍ଡବିନ୍ଧା କମିବା ପାଇଁ ସେ ଔଷଧ ଖାଉଥିଲେ ହେଲେ ପରେ ସେ ଦୃଷ୍ଟି ଶକ୍ତି ହରାଇ ବସିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ବୁର୍ଲା ଓ କଟକ ବଡ ମେଡିକାଲରେ ଚିକିତ୍ସିତ ହେଲେ । କିନ୍ତୁ ସେ ଆଉ ଦୃଷ୍ଟି ଶକ୍ତି ଫେରି ପାଇଲେ ନାହିଁ ।
ପରେ କୁଶଙ୍କୁ ବ୍ରେନ ଟ୍ୟୁମର ହୋଇଥିବା ଜଣାପଡିଥିଲା । ତେବେ ତାଙ୍କର ଅସ୍ତ୍ରୋପଚାର ପାଇଁ ଲକ୍ଷାଧିକ ଟଙ୍କା ଦରକାର । କିନ୍ତୁ ତାଙ୍କର ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନଥିବାରୁ ଦୀର୍ଘ 2 ବର୍ଷ ଧରି ତାଙ୍କ ଚିକିତ୍ସା ହୋଇପାରୁନାହିଁ । ପରିବାର ଚଳାଇବା ବୟସରେ ଅନ୍ୟର ସାହାରାରେ ବଂଚିଛନ୍ତି କୁଶ । ଦିନେ କୁଶ ବିଜୁ ଯୁବ ବାହିନୀରେ ମଧ୍ୟ କାର୍ଯ୍ୟ କରୁଥିଲେ । କିନ୍ତୁ ଏପର୍ଯ୍ୟନ୍ତ ତାଙ୍କୁ କୌଣସି ସହାୟତା ମିଳିପାରିନାହିଁ । ଏଠାରେ ବିଜୁ ସ୍ବାସ୍ଥ୍ୟ ଯୋଜନା ଏହି ପରିବାର ପାଇଁ ବିଫଳ ହୋଇଛି।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ