ସମ୍ବଲପୁର: ଆସନ୍ତା ୨୬ ତାରିଖରେ କେନ୍ଦ୍ର ସରକାରଙ୍କ ଜନବିରୋଧି ନୀତି ବିରୋଧରେ ଦେଶବ୍ୟାପୀ ଧର୍ମଘଟର ଡାକରା ଦିଆଯାଇଛି । କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ସମୂହ ପକ୍ଷରୁ ଏହି ଡାକରା ଦିଆଯାଇଛି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସଙ୍ଘ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଧର୍ମଘଟରେ ୧୦୦ ରୁ ଊର୍ଦ୍ଧ୍ବ ଫେଡେରେସନ ଓ ଆସୋସିଏସନ ସାମିଲ ରହି କେନ୍ଦ୍ର ସରକାରଙ୍କ ଜନବିରୋଧି ନୀତି ବିରୋଧରେ ପ୍ରତିବାଦ କରିବେ ।
ତେବେ ସମ୍ବଲପୁରରେ ମଧ୍ୟ ଏହି ଦିନିକିଆ ଧର୍ମଘଟକୁ ସଫଳ କରିବା ପାଇଁ ସମ୍ବଲପୁର କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ମିଳିତ ମଞ୍ଚ ତରଫରୁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି । ୨୬ ତାରିଖରେ ସମ୍ବଲପୁର ଜିଲ୍ଲାର ସମସ୍ତ କେନ୍ଦ୍ରୀୟ ସଙ୍ଗଠନ ରାଜରାସ୍ତାରେ ଓହ୍ଲାଇ କେନ୍ଦ୍ର ସରକାରଙ୍କ କୄଷକ ବିରୋଧୀ, ଜନବିରୋଧି ନୀତି ନେଇ ସ୍ୱର ଉତ୍ତୋଳନ କରାଯିବ । ଏଥିସହ ବେରୋଜଗାରୀ, ଆକାଶଛୁଆଁ ଦରଦାମ ବୃଦ୍ଧିକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରାଯିବା ନେଇ ସୂଚନା ମିଳିଛି ।
ସମ୍ବଲପୁର ଜିଲ୍ଲାରେ ଆଇଏନଟିୟୁସି, ହିନ୍ଦ ମଜଦୂର ସଙ୍ଘ, ଏଆଇଟିୟୁସି, ସିଟୁ, ଏସଡବ୍ଲୁଇସିସିକୁ ନେଇ ଗଠିତ ଶ୍ରମିକ ସଙ୍ଗଠନର ମିଳିତ ମଞ୍ଚ ଧର୍ମଘଟରେ ସାମିଲ ରହିବା ସହ ଧର୍ମଘଟକୁ ସଫଳ କରିବାରେ ସହଯୋଗ କରିବା ପାଇଁ ସ୍ଥାନୀୟ ଲୋକଙ୍କୁ ନିବେଦନ କରିଛନ୍ତି ।
ସମ୍ବଲପୁରରୁ ବାଦଶାହା ଜୁଷ୍ମନ ରଣା, ଇଟିଭି ଭାରତ