ସମ୍ବଲପୁର: ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି, ସମ୍ବଲପୁରରେ ରାଜନୈତିକ ହଟଚମଟ ବଢିବାରେ ଲାଗିଛି । ବିଭିନ୍ନ ଘଟଣାକୁ ନେଇ ପ୍ରାୟ କିଛି ମାସ ହେଲା ଶିଥିଳ ପଡିଥିବା ସମ୍ବଲପୁର ପରିବେଶ ହଠାତ ସରଗରମ ହୋଇଛି । ଆଉ ଏହାରି ପଛରେ ରହିଛି ଦେବଗଡ ରାଣୀ ଅରୁନ୍ଧତୀ ଦେବୀଙ୍କ ସୋସିଆଲ ମିଡିଆ ପୋଷ୍ଟ । ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବଙ୍କ ପତ୍ନୀ ହେଉଛନ୍ତି ଅରୁନ୍ଧତୀ କୁମାରୀ ଦେବୀ । ସ୍ବାମୀ ବିଜେପିର ଗୁରୁତ୍ବପୂର୍ଣ୍ଣ ସମ୍ବଲପୁର ସଂସଦୀୟ କ୍ଷେତ୍ରର ସାଂସଦ ଥିବାବେଳେ, ଅରୁନ୍ଧତୀ କିନ୍ତୁ ଓଡିଶା ବିଜେପିର ପୋଷ୍ଟର ବୟ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଖୋଲାଖୋଲି ବିଷୋଦଗାର କରି ହଇଚଇ ସୃଷ୍ଟି କରିଛନ୍ତି ।
ଏହାବି ପଢନ୍ତୁ- General Elections: ସମ୍ବଲପୁର ସଂସଦୀୟ କ୍ଷେତ୍ରରୁ ପ୍ରାର୍ଥୀ ହେବେ ଧର୍ମେନ୍ଦ୍ର !
ରାଜନୀତି ଗଳିକନ୍ଦିରେ ଏବେ ଚର୍ଚ୍ଚା ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଲୋକସଭା ଆସନରୁ ଲଢିବେ ନିର୍ବାଚନ । ଚର୍ଚ୍ଚାକୁ ଖୋରାକ ଯୋଗାଇଛି ସମ୍ବଲପୁରକୁ ଧର୍ମେନ୍ଦ୍ରଙ୍କ ଘନଘନ ଗସ୍ତ । ଏଥିସହ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବା ସହ ଲୋକ ସମ୍ପର୍କ ବୃଦ୍ଧି କରିବ । ଯାହାକୁ ନେଇ ଏବେ ଖଡ୍ଗହସ୍ତ ରାଣୀ ଅରୁନ୍ଧତୀ । ରାଣୀ ନିଜ ସୋସିଆଲ ମିଡିଆ(ଫେସବୁକ) ରେ ଗତ କିଛି ଦିନ ଧରି ପ୍ରତ୍ୟେକ୍ଷ ଓ ପରୋକ୍ଷରେ ସିଧା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଆସୁଛନ୍ତି ।
ରାଣୀ ଅରୁନ୍ଧତୀ ଗତ 5 ଦିନ ତଳେ ନିଜ ସୋସିଆଲ ମିଡିଆରେ ସିଧାସଳଖ ଧର୍ମେନ୍ଦ୍ରଙ୍କ ଶ୍ରଦ୍ଧା ନାମ(ମୁକୁ) ବାବୁ ସୁବାସ ଚୌହ୍ବାନଙ୍କ ବଳି ପରେ ରାଜା ସାହେବ (ସାଂସଦ ନିତେଶ ଗଙ୍ଗଦେବ)ଙ୍କର ବଳି ନେବାକୁ ଚାହୁଁଛନ୍ତି କି ? ଏହା ପରଠାରୁ ରାଣୀ ଅରୁନ୍ଧତୀ ଲଗାତାର ଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଓ ପରୋକ୍ଷ ଭାବେ ସ୍ଥାନୀୟ ଦେବଗଡ ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ କଡା ସମାଲୋଚନା କରିଚାଲିଛନ୍ତି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ସମସ୍ତ ପୋଷ୍ଟରେ ସାଂସଦ ନିତେଶ ଗଙ୍ଗଦେବଙ୍କୁ ସୋସିଆଲ ମିଡିଆରେ ଟ୍ୟାଗ କରି ଲେଖଛନ୍ତି । ଅର୍ଥାତ ରାଣୀଙ୍କ ସମସ୍ତ ସୋସିଆଲ ମିଡିଆ ପୋଷ୍ଟ ରାଜା ସାହେବ(ସାଂସଦ) ଜ୍ଞାତସାରରେ ହେଉଛି । ଯାହାକୁ ନେଇ ଏବେ ବିଜେପି ସହ ରାଜ୍ୟ ରାଜନୀତିରେ ଆଲୋଡନ ସୃଷ୍ଟି ହୋଇଛି ।
ଏହି ପୋଷ୍ଟ ପରେ ପରେ ସାଂସଦଙ୍କ ପତ୍ନୀ ତଥା ରାଣୀ ଅରୁନ୍ଧତୀ ଆଉ ଏକ ସୋସିଆଲ ମିଡିଆ ପୋଷ୍ଟ କରି ଲେଖିଛନ୍ତି, ‘‘ସମ୍ବଲପୁର ସାଂସଦଙ୍କୁ ଆଉ କେତେ ଅପମାନ କଲେ ଶାନ୍ତି ମିଳିବ? ଜଣେ କୁଚକ୍ରୀ ମନ୍ତ୍ରୀଙ୍କୁ l ରାଜାସାହେବ ଜଣେ ଶାନ୍ତ ସରଳ ବ୍ୟକ୍ତି ତାଙ୍କୁ କମସେ କମ ଲୋକଙ୍କ ପାଇଁ କାମ କରିବାକୁ ଦିଆଯାଉ l ଜଣେ ମାନସିକ ରୋଗାଗ୍ରସ୍ତ ବିଧାୟକ ଏବଂ ରୁଗ୍ନ ମାନସିକତା କେନ୍ଦ୍ରୀୟ ମନ୍ତ୍ରୀ ବାରମ୍ବାର ଡେଭଲପମେଣ୍ଟ କାମରେ ମୁଣ୍ଡ ପୁରାଉଛନ୍ତି l ରାଜା ସାହେବଙ୍କ ସରଳତାର ଫାଇଦା ଆଉ କେତେଦିନ ଉଠାଇବ l ଏହି ପୋଷ୍ଟ ମାଧ୍ୟମରେ ଚେତାଇ ଦେଉଛି ଯେ ନିଜର ବ୍ୟବହାରକୁ ସୁଧାର ନହେଲେ ବହୁତ ମହଙ୍ଗା ପଡ଼ିବ l ମୁଁ ଆହ୍ବାନ ଦେଉଛି ଯଦି ଦମ ଅଛି ତାହେଲେ ଅନ୍ୟ ରାଜ୍ୟରୁ ବାରମ୍ବାର ବିଜେପିର ଦୟାରୁ ରାଜ୍ୟସଭାକୁ ନଯାଇ ସମ୍ବଲପୁର ସଂସଦୀୟ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢନ୍ତୁ l ଦୁଇ କୁଚକ୍ରିଙ୍କୁ କହୁଛି ସୁଧୁରି ଯାଅ l ବାରମ୍ବାର ରାଜା ସାହେବଙ୍କ କାମରେ ମୁଣ୍ଡ ପୁରେଇବା କେତେ ଯୁକ୍ତିଯୁକ୍ତ l ଲୋକଙ୍କ ଦ୍ବାରା ନିର୍ବାଚିତ ସାଂସଦ କୁ କାମ କରିବାରୁ କେତେ ଅଟକାଇବ ? ସାଂସଦକୁ ବଦନାମ କରି ତାଙ୍କ ସଂସଦ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିବା ତମର ଲକ୍ଷ୍ୟ ଆମେ ସମସ୍ତେ ଜାଣିଛୁ l ଯଦି ଦମ ଅଛି ତାହେଲେ ସାମ୍ନାରୁ ଲଢ଼େଇ କର କାପୁରୁଷ ପରି ପଛରୁ ଲଢ଼େଇ କର ନାହିଁ l ରାଜା ସାହେବକୁ ଥରେ କହିଥାନ୍ତ କୁ ମୁଁ ସମ୍ବଲପୁର ସଂସଦ କ୍ଷେତ୍ରରୁ ନିର୍ବାଚନ ଲଢ଼ିବାକୁ ଚାହୁଁଛି ରାଜା ସାହେବ ଖୁସି ଖୁସି ସିଟ ଛାଡି ଦେଇଥାନ୍ତେ l ଏବେ ତ ବିଲକୁଲ ଛାଡିବାର ପ୍ରଶ୍ନ ଉଠୁନାହିଁ l ରାଜା ସାହେବଙ୍କ ସରଳତା ବହୁତ ଫାଇଦା ଉଠାଇ ନେଲ ଆଉ ନୁହେଁ l’’
ଆଉ ଏକ ଚର୍ଚ୍ଚା ଅନୁସାରେ ସମ୍ବଲପୁର ସାଂସଦ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ସମ୍ପର୍କ ଭଲ ନଥିବା କଥା କିଛି ଦିନ ତଳେ ସମ୍ବଲପୁରରେ ଚର୍ଚ୍ଚା ହେଉଥିଲା । ବର୍ତ୍ତମାନ ସାଂସଦଙ୍କ ପତ୍ନୀ କେଉଁ ହିସାବରେ ସାଂସଦଙ୍କ ପାଇଁ ପକ୍ଷ ରଖୁଛନ୍ତି ସେନେଇ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି ? ସାଂସଦଙ୍କ ପତ୍ନୀ ନିଜ ସ୍ବାମୀଙ୍କ ପାଇଁ ଏହି ପକ୍ଷ ରଖୁଛନ୍ତି ନାଁ ସମ୍ପର୍କର ଅପବ୍ୟବହାର କରି ନିଜର ରାଜନୈତିକ ଆକାଂକ୍ଷା ପୂରଣ କରିବା ଉଦ୍ଦେଶ୍ୟରେ ଗୋଟି ଚାଳନା କରୁଛନ୍ତି? କାରଣ କିଛି ଦିନ ହେଲା ସାଂସଦଙ୍କ ପତ୍ନୀ ବିଜେଡି ଆଡକୁ ଢଳୁ ଥିବାର ଖବର ଚର୍ଚ୍ଚାରେ ରହି ଆସୁଛି l
ସମ୍ବଲପୁରର ରାଜନୀତି ସମୀକ୍ଷକଙ୍କ ମତରେ ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବଙ୍କ ସମ୍ବଲପୁରରେ କୌଣସି ରାଜନୈତିକ ଭିତ୍ତିଭୂମି ନଥିଲା । ବିଜେପିର ଆଶୀର୍ବାଦ ମୋଦି ହାୱାରେ ସେ ବିଜୟୀ ହେଲେ । ପରବର୍ତ୍ତୀ ସମୟରେ କିନ୍ତୁ ସମ୍ବଲପୁରକୁ ସମ୍ପୂର୍ଣ୍ଣ ରୂପେ ଭୁଲିଗଲେ l ସମ୍ବଲପୁର ଲୋକଙ୍କ ପାଇଁ ସେ "ମିଷ୍ଟର ଇଣ୍ଡିଆ" ସଦୃଶ । ସମ୍ବଲପୁରର ଗତ କିଛି ମାସ ଧରି ବିଭିନ୍ନ ପ୍ରତିକୂଳ ସ୍ଥିତିରେ ଗତି କରୁଛି । ସେ 40 ଦିନିଆ ଚାଷୀ ଆନ୍ଦୋଳନ ହେଉ କି ଓକିଲଙ୍କ ବହୁ ଚର୍ଚ୍ଚିତ ହାଇକୋର୍ଟ ବେଞ୍ଚ ଆନ୍ଦୋଳନ ଅବା ଓକିଲଙ୍କ ଗିରଫଦାରୀ, ହନୁମାନ ଜୟନ୍ତୀ ଶୋଭାଯାତ୍ରା ଏପରିକି ମହାମାରୀ କୋଭିଡ କାଳରେ ବି ସାଂସଦ ସମ୍ବଲପୁର ଲୋକଙ୍କ ଆଗରେ ଠିଆ ହେଲେନାହିଁ l ସାଂସଦ ଭାବେ ସେ କେବେ ସମ୍ବଲପୁରବାସୀଙ୍କ ସହ ରହିଲେ ନାହିଁ । କ୍ବିଚିତ କେବେ କେବେ ସ୍ବଳ୍ପ ସମୟ ପାଇଁ ଦେଖା ଦିଅନ୍ତି ପୁଣି ଉଭା ହୋଇଯାଆନ୍ତି । ଫଳରେ ସେ ନିଜେ ନିଜେ ବଦନାମ ହେଲେ । ତାଙ୍କ ପାରିବାପଣିଆ ପଦାରେ ପଡିଗଲା l ବର୍ତ୍ତମାନ ତାଙ୍କ ପତ୍ନୀ ଯେଉଁ କେନ୍ଦ୍ରମନ୍ତ୍ରୀ ଓ ବିଧାୟକଙ୍କୁ ଟାର୍ଗେଟ କରିଛନ୍ତି ତାହା ଯୁକ୍ତିଯୁକ୍ତ ନୁହେଁ l କାରଣ ଜଣେ ସାଂସଦଙ୍କୁ ତାଙ୍କ କାମ କରିବାରୁ କେହି ଅଟକାଇ ପାରିବେନାହିଁ l ବର୍ତ୍ତମାନ ଯେହେତୁ ସାଂସଦ ରାଜନୈତିକ କାର୍ଯ୍ୟ ଦକ୍ଷତା ଦୃଷ୍ଟି ରୁ ବଦନାମ ହୋଇସାରିଛନ୍ତି ତାକୁ ଲୁଚେଇବା ପାଇଁ ତାଙ୍କ ପତ୍ନୀ ଏହିଭଳି ଆକ୍ଷେପ କରି ଥାଇପାରନ୍ତି । ନଚେତ ଏମିତି କରି ସେ ନିଜର ରାଜନୈତିକ ଆକାଂକ୍ଷା ପୂର୍ଣ୍ଣ କରିବାର ଲକ୍ଷ୍ୟରେ ଥାଇ ପାରନ୍ତି । ଅର୍ଥାତ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରି ସେ ଶାସକ ଦଳ ରୁ ଅନୁକମ୍ପା ଅଥବା ଟିକେଟ ଆଶାୟୀ ଥାଇପାରନ୍ତି ।
ଏହାବି ପଢନ୍ତୁ- ଦେବଗଡ଼ ମୁଖ୍ୟ ଚିକିତ୍ସାଳୟକୁ ଆମ୍ବୁଲାନ୍ସ ଦାନ କଲେ ସାଂସଦ
ଅନ୍ୟପଟେ ଏନେଇ କୁଚିଣ୍ଡାର ପୂର୍ବତନ ବିଧାୟକ ତଥା ବିଜେପିର ବରିଷ୍ଠ ନେତା ରବି ନାଏକ କହିଛନ୍ତି, ‘‘ସମ୍ବଲପୁର ସାଂସଦଙ୍କ ରାଜନୈତିକ ଅନୁଭବ ଓ ଅନୁଭୂତି ରହିଛି l ତାଙ୍କ ପ୍ରତି ସମସ୍ତଙ୍କ ଶ୍ରଦ୍ଧା ରହିଛି l ଲୋକଙ୍କ କଥାକୁ ନେଇ କୌଣସି ମନ୍ତବ୍ୟ ଦେବା ଅନୁଚିତ l ଓଡିଶାର ପ୍ରଗତିରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଅତୁଳନୀ । ତାଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ସମିଚୀନ ନୁହେଁ l ସମ୍ବଲପୁରରୁ କିଏ ପ୍ରାର୍ଥୀ ହେବେ ଦଳ ନିଷ୍ପତି ନେବ ।’’
ଆଗାମୀ ସାଧାରଣ ନିର୍ବାଚକୁ ଆଉ ଛ’ ମାସ ବାକି ଥିବାବେଳେ, ସମ୍ବଲପୁରରୁ କିଏ ବିଜେପିର ଲୋକସଭା ପ୍ରାର୍ଥୀ ହେବେ ତାହା ଅସ୍ପଷ୍ଟ । ଏଭଳି ସ୍ଥିତିରେ ଜଣେ କେନ୍ଦ୍ରମନ୍ତ୍ରୀ ଓ ବିଧାୟକଙ୍କୁ ଦଳୀୟ ସାଂସଦଙ୍କ ପତ୍ନୀଙ୍କ ଏଭଳି ସମାଲୋଚନାକୁ ସମ୍ବଲପୁରବାସୀ କିଭଳି ଗ୍ରହଣ କରୁଛନ୍ତି ତାରି ଉପରେ ନଜର ।
ଇଟିଭି ଭାରତ, ସମ୍ବଲପୁର