ସମ୍ବଲପୁର: ବର୍ତ୍ତମାନ ରାଜ୍ୟରେ ଲାଗି ରହିଥିବା ବହୁ ଚର୍ଚ୍ଚିତ ମନୋଜ ମିଶ୍ରଙ୍କୁ ଓଡିଆ ଚଳଚ୍ଚିତ୍ର ପ୍ରଯୋଜକ ସଙ୍ଘର ବାସନ୍ଦ ଘଟଣାକୁ ନେଇ ଆଜି ସମ୍ବଲପୁରର ଜିଲ୍ଲାର ବିଜେପି ଓ ବିଜେଡି ବିଧାୟକ ପୁଣି ଥରେ ମୁଁଖ ଖୋଲିଛନ୍ତି । ଏହି ସମଗ୍ର ପ୍ରକରଣରେ ମନୋଜ ମିଶ୍ରଙ୍କୁ ସମର୍ଥନ କରି ଆସନ୍ତା 15 ତାରିଖରେ କୋଶଲ ରାଜ୍ୟ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପଶ୍ଚିମ ଓଡିଶା ବନ୍ଦ ଡାକରା ଦିଆଯାଇଛି l ପୂର୍ବରୁ ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଏହି ପ୍ରସଙ୍ଗରେ ରାଜ୍ୟ ବିଭାଜନ କଥା କହି ରାଜ୍ୟରେ ରାଜନୈତିକ ମାହୋଲକୁ ସରଗରମ କରିଦେଇଥିବା ବେଳେ ଆଜି ପୁଣି ଏହି ପ୍ରସଙ୍ଗରେ ସମ୍ବଲପୁର ଜିଲ୍ଲା ବିଜେଡି ଓ ବିଜେପିର ଦୁଇ ଜଣ ବରିଷ୍ଠ ବିଧାୟକଙ୍କ ବୟାନ ସାମ୍ନାକୁ ଆସିଛି l
ଆଜି ବିଜେପି ବିଧାୟକ ତଥା ରାଜ୍ୟ ବିଜେପି ଉପ ସଭାପତି ନାଉରୀ ନାଏକ ଏହି ପ୍ରସଙ୍ଗରେ ଚଳଚିତ୍ର ନିଗମର ଅଧକ୍ଷ କୁନା ତ୍ରିପାଠୀଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି l ସେ କହିଛନ୍ତି ଯେ ଏପରି ପରିସ୍ଥିତିରେ କୁନା ତ୍ରିପାଠୀ କରୁଛନ୍ତି କଣ ? ଏଥିସହ ମାଇଣ୍ଡଗେମ ଚଳଚ୍ଚିତ୍ରର ସଫଳତା ପରେ କିଛି ଲୋକ ମନୋଜ ମିଶ୍ରଙ୍କ ବିରୋଧରେ ଷଡଯନ୍ତ୍ର କରିଛନ୍ତି ବୋଲି ସେ ସନ୍ଦେହ କରୁଥିବା କହିଛନ୍ତି l ଆଗାମୀ 15 ତାରିଖରେ ଦିଆଯାଇଥିବା ବନ୍ଦ ଡାକରାକୁ ସମର୍ଥନ ପ୍ରସଙ୍ଗରେ ଦଳର ନିଷ୍ପତ୍ତି ଅନୁସାରେ ପରବର୍ତ୍ତୀ ସମୟରେ ଘୋଷଣା କରାଯିବ ବୋଲି ନାଉରୀ କହିଛନ୍ତି ।
ଅଧିକ ପଢନ୍ତୁ- ପୁଣି ମୁହଁ ଖୋଲିଲେ ମନୋଜ ମିଶ୍ର, କହିଲେ- 'ମୋତେ ମାନସିକ ନିର୍ଯାତନା ଦେବା ବନ୍ଦ କର'
ସେପଟେ ଶାସକ ଦଳର ପୂର୍ବତନ ମନ୍ତ୍ରୀ ତଥା ରେଢାଖୋଲ ବିଧାୟକ ଇଂ ରୋହିତ ପୂଜାରୀ ମଧ୍ୟ ଏନେଇ ତାଙ୍କର ମୁହଁ ଖୋଲିଛନ୍ତି l ସେ କହିଛନ୍ତି ଯେ ସମସ୍ତ କଳାକାର ରାଜ୍ୟର ଚଳଚିତ୍ରର ଉନ୍ନତି ପାଇଁ କାର୍ଯ୍ୟ କରିବା ଆବଶ୍ୟକ l ବର୍ତ୍ତମାନ ଯେଉଁ ପରିସ୍ଥିତି ଉପୁଜିଛି ଏହାକୁ ନେଇ ରାଜନୀତି କରଣ କରିବା ଠିକ ନୁହଁ l ଏପରିକି କୌଣସି କଳାକାର କୁ ବାସନ୍ଦ କରିବା ମଧ୍ୟ ଠିକ ନୁହଁ l ମନୋଜ ମିଶ୍ରଙ୍କୁ ସମର୍ଥନ କରି ଆଗାମୀ 15 ତାରିଖରେ ପଶ୍ଚିମ ଓଡିଶା ବନ୍ଦ ଡାକରା ନେଇ ସେ କହିଛନ୍ତି ଯେ ବର୍ତ୍ତମାନ ଏହି ବନ୍ଦ ର ଆବଶ୍ୟକତା ନଥିଲା l
ଅନ୍ୟପଟେ ନରସିଂହ ମିଶ୍ରଙ୍କ ରାଜ୍ୟ ବିଭାଜନ ମନ୍ତବ୍ୟ ଉପରେ ରୋହିତ କୌଣସି ମନ୍ତବ୍ୟ ଦେଇ ନାହାଁନ୍ତି । ବିବାଦର ସମାଧାନ ଯଥାଶୀଘ୍ର କରାଯାଉ ବୋଲି ସେ ଅପିଲ ମଧ୍ୟ କରିଛନ୍ତି l
ଇଟିଭି ଭାରତ, ସମ୍ବଲପୁର